ମହଙ୍ଗା ପଡିଲା ବିଧାୟକଙ୍କ ଦବଙ୍ଗଗିରି : ବିଜେପି କର୍ମୀଙ୍କୁ ଆକ୍ରମଣ ଓ ସାମ୍ବାଦିକଙ୍କୁ ଦୁର୍ବ୍ୟବହାର ଘଟଣାରେ ଦଳରୁ ନିଲମ୍ବିତ ହେଲେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ

ନିଜର ଦବଙ୍ଗ ଗିରି ଯୋଗୁ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ବିଜେଡି ଦଳରୁ ନିଲମ୍ବିତ । ସରକାରୀ କାର୍ଯ୍ୟକ୍ରମ ସମୟରେ ସର୍ବ ସମ୍ମୁଖରେ ବିଜେପି କର୍ମୀଙ୍କୁ ମାଡ଼ମାରିବା ଚିଲିକା ବିଧାୟକଙ୍କ ପାଇଁ ମହଙ୍ଗା ପଡ଼ିଛି। ବିଧାୟକ ପ୍ରଶାନ୍ତ ଜଗଦେବଙ୍କ ବିରୋଧରେ ଦଳ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ତାଙ୍କୁ ଦଳରୁ ନିଲମ୍ବନ କରିଛନ୍ତି ।

କିନ୍ତୁ ବିଜେଡି ଦଳର ଏହି ବିଧାୟକଙ୍କ ଦାଦାଗିରି ଆଜିର ନୁହେଁ, ଏହା ତାଙ୍କର ପୁରୁଣା ରୋଗ । ବିଧାନସଭା କ୍ଷେତ୍ର ବଦଳିଛି, ହେଲେ ବଦଳିନାହିଁ ସ୍ଵଭାଵ । ବିଧାୟକ ପ୍ରଶାନ୍ତ ଜଗଦେବ ତାଙ୍କର ଏହି ଆକ୍ରମଣାତ୍ମକ ସ୍ଵଭାବ କୁ ବେଶ ଚର୍ଚ୍ଚିତ ଓ ନିନ୍ଦିତ ମଧ୍ୟ। ସମ୍ମାନସ୍ପଦ ସ୍ଥାନରେ ରହିଥିବା ବେଳେ ଜଣେ ଜନ ପ୍ରତିନିଧି ହୋଇ କିପରି ଶହ ଶହ ସାଧାରଣ ଜନତାଙ୍କ ସାମ୍ନାରେ ଆକ୍ରମଣ କରିବାକୁ ସଙ୍କୋଚ କରୁନାହାନ୍ତି ତାହା ସବୁଠାରୁ ବଡ଼ ପ୍ରଶ୍ନବାଚୀ। ମାରିବାକୁ ହାତ ଉଠାଇଛନ୍ତି, ବିଧା ବି ମାରୁଛନ୍ତି । ଏ ଭଳି ଅନେକ ଦୃଶ୍ୟ କଏଦ୍ ହୋଇଛି କ୍ୟାମେରାରେ । ବାଲୁଗାଁ ବିଜ୍ଞାପିତ ପରିଷଦ କାର୍ଯ୍ୟାଳୟରେ ଚାଲିଥିବା ଏକ ଆବାସ ବଣ୍ଟନ ଏବଂ ରାସନ କାର୍ଡ ବଣ୍ଟନ ଭଳି ସରକାରୀ କାର୍ଯ୍ୟକ୍ରମରେ ଚାଲିଥିବା ପାତର ଅନ୍ତରକୁ ବିରୋଧ କରି ସ୍ଥାନୀୟ ବିଜେପି କର୍ମୀ ନାରାବାଜି କରୁଥିବା ବେଳେ ଉତ୍ୟକ୍ତ ହୋଇ ବିଧାୟକ ପ୍ରଶାନ୍ତ ଜଗଦେବ ଆକ୍ରମଣ କରିଥିଲେ । ତେବେ ଏନେଇ ବିଧାୟକ ଜଗଦେଵ ଙ୍କର କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।

ସୂଚନା ମୁତାବକ ବାଲୁଗାଁ ବିଜ୍ଞାପିତ ପରିଷଦ କାର୍ଯ୍ୟାଳୟରେ ଆବାସ ଓ ରାସନ କାର୍ଡ ବଣ୍ଟନ କାର୍ଯ୍ୟକ୍ରମ ଚାଲିଥିବା ବେଳେ ଏତିକିବେଳେ କିଛି ବିଜେପି କର୍ମୀ ପହଞ୍ଚି ପ୍ରତିବାଦ କରିଥିଲେ । ବାସ୍ ଏଥିରେ ଉତକ୍ଷିପ୍ତ ହୋଇ ପ୍ରଶାନ୍ତ ଜଗଦେବ ବିଜେପି ମଣ୍ଡଳ ସଭାପତି ନିରଞ୍ଜନ ସେଠୀଙ୍କୁ ଆକ୍ରମଣ କରିଥିଲେ । ଏପରିକି ଖବର ସଂଗ୍ରହ ପାଇଁ ପହଞ୍ଚିଥିବା ଏକ ୱେବ ମିଡ଼ିଆର ସାମ୍ବାଦିକ ଦିବ୍ୟକାନ୍ତ ବେହେରା ଏହି ଘଟଣାର ଭିଡ଼ିଓ ଉତ୍ତୋଳନ କରୁଥିବାରୁ ତାଙ୍କୁ ମଧ୍ୟ ବିଧାୟକ ଆକ୍ରମଣ କରିବା ସହିତ ତାଙ୍କ ମୋବାଇଲ ଛଡେଇ ନେଇଥିବାର ଅଭିଯୋଗ ଆସିଛି ।

ଉକ୍ତ ଘଟଣାକୁ ନେଇ ବିଜେପି ନଗର ମଣ୍ଡଳ ସଭାପତି ଏବଂ ସମ୍ପୃକ୍ତ ସାମ୍ବାଦିକଙ୍କ ତରଫରୁ ବାଲୁଗାଁ ଥାନାରେ ପୃଥକ ପୃଥକ ଭାବେ ଦୁଇଟି ଏତଲା ଦିଆଯାଇଛି। ବିଧାୟକ ଙ୍କ ଏହି ଆକ୍ରମଣକୁ ବିରୋଧ କରି ବାଲୁଗାଁ ଥାନା ପରିସରରେ ଶହ ଶହ ବିଜେପି କର୍ମୀ ଏବଂ ସାମ୍ବାଦିକ ମାନେ ଜମା ହୋଇଥିବାର ଦେଖିବାକୁ ମିଳିଛି। ଏହା ସହିତ ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ ଘଟଣା ସ୍ଥଳରେ ପହଞ୍ଚି ଉକ୍ତ ଘଟଣାକୁ କଡ଼ା ନିନ୍ଦା କରିବା ସହ ବିଧାୟକଙ୍କୁ ତୁରନ୍ତ ଗିରଫ ଦାବିରେ ବାଲୁଗାଁ ଥାନା ପରିସରରେ ଧାରଣାରେ ବସିଛନ୍ତି। ବିଧାନସଭାରେ ଏହି ଘଟଣା ଉଠାଇବୁ ବୋଲି ଶ୍ରୀ ହରିଚନ୍ଦନ କହିଥିବା ବେଳେ ଦୁଇଟି ଯାକ ମାମଲା ପଞ୍ଜିକୃତ ନହେବା ପର୍ଯ୍ୟନ୍ତ ଥାନାରେ ବସିରହିବେ ବୋଲି ଶ୍ରୀ ହରିଚନ୍ଦନ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ସେହିପରି ପୂର୍ବରୁ ବେଗୁନିଆର ବିଧାୟକ ଥିବା ସମୟରେ ବେଗୁନିଆର ତତ୍କାଳୀନ ମହିଳା ବିଡ଼ିଓଙ୍କୁ ଆକ୍ରମଣ କରି ବିବାଦରେ ଛନ୍ଦି ହୋଇଥିଲେ ପ୍ରଶାନ୍ତ ଜଗଦେବ । ଭୁବନେଶ୍ୱର ସ୍ଥିତ ନିଜ କ୍ୱାର୍ଟର ନିକଟରେ ଜଣେ ଉଠାଦୋକାନୀଙ୍କୁ ଅଶ୍ରାବ୍ୟ ଭାଷାରେ ଗାଳିଦେଇ ନିନ୍ଦିତ ମଧ୍ୟ ସେ ହୋଇଥିଲେ । ଯାହାର ଭିଡିଓ ସେ ସମୟରେ ବେଶ୍ ଭାଇରାଲ୍ ହୋଇଥିଲା । ସେହିଭଳି ବେଗୁନିଆରେ ଏକ କାର୍ଯ୍ୟକ୍ରମ ଚାଲିଥିବା ବେଳେ ଅନେକ ଖାଦ୍ୟପେୟ ନଷ୍ଟ କରିବା ସହିତ ଭଙ୍ଗାରୁଜା ମଧ୍ୟ କରିଥିଲେ । ସେହିପରି ନିର୍ବାଚନୀ ଗସ୍ତରେ ପଶ୍ଚିମ ଓଡିଶା ଗସ୍ତରେ ଯାଇଥିବା ବେଳେ ବୌଦ୍ଧ ଜିଲ୍ଲାର ମନମୁଣ୍ଡା ଠାରେ କଳା ପତାକା ଧରି ବିକ୍ଷୋଭ କରୁଥିବା ବିଜେପି କର୍ମୀଙ୍କୁ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରି ଚର୍ଚ୍ଚା କୁ ଆସିଥିଲେ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି, ବିଧାୟକ ପ୍ରଶାନ୍ତ ଜଗଦେବଙ୍କ ନାଁରେ ଏଭଳି ଦାଦାଗିରି ଖବର ଅନେକ ବାର ସାମ୍ନାକୁ ଆସିଥିଲେ ସୁଦ୍ଧା ତାଙ୍କ ବିରୋଧରେ କୈାଣସି କାର୍ଯ୍ୟାନୁଷ୍ଠାନ ବି ଗ୍ରହଣ କରାଯାଇନଥିଲା । ହେଲେ ଆଜିର ଘଟଣାକୁ ନେଇ ଖୋଦ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ଦଳରୁ ନିଲମ୍ବିତ କରିଥିବା ସହିତ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ପଦରୁ ବହିଷ୍କୃତ କରିଛନ୍ତି । ଏ ନେଇ ସୂଚନା ଓ ପ୍ରସାରଣ ବିଭାଗ ପକ୍ଷରୁ ଟୁଇଟ ମାଧ୍ୟମରେ ସୂଚନା ଦିଆଯାଇଛି।

ଏପଟେ ବାଲୁଗାଁ ଥାନାରେ ଘଟଣାକୁ ନେଇ ଉତ୍ତେଜନା ପ୍ରକାଶ ପାଇବାରୁ ଖୋଦ ଏସଡ଼ିପିଓ ମାନସ ରଞ୍ଜନ ବାରିକ ତୀକ୍ଷ୍ଣ ନଜର ରଖିଥିବା ବେଳେ ଥାନା ପରିସରରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି। ଏପଟେ ମାଡମରା ଘଟଣାକୁ ନେଇ ଶ୍ରୀ ଜଗଦ୍ଦେବ ଦଳରୁ ନିଲମ୍ବିତ ହେବା ପରେ ପୋଲିସ ତାଙ୍କ ଭୁବନେଶ୍ୱର ବାସଭବନରୁ ପ୍ରଶାନ୍ତ ଙ୍କୁ ନପାଇ ଖାଲି ହାତରେ ଫେରିଛି ।

ବିଜେଡିରୁ ନିଲମ୍ବିତ ହେବା ପରେ ପ୍ରଶାନ୍ତଙ୍କ ଗିରଫ ଦାବି ଜୋରଦାର କରିଛି ବିଜେପି। ବିଧାୟକଙ୍କୁ ତୁରନ୍ତ ଗିରଫ କରିବାକୁ ଦଳ ଦାବି କରିଛି । ଏ ପ୍ରସଙ୍ଗରେ ଆସନ୍ତା ମଙ୍ଗଳବାର ବିଜେପି ଜନଜାତି ମୋର୍ଚ୍ଚା ପକ୍ଷରୁ ଏସ୍‌.ପି.ଙ୍କ କାର୍ଯ୍ୟାଳୟ ଘେରାଉ କରିବାକୁ ଚେତାବନୀ ଦିଆଯାଇଛି ।

Leave a Reply

Your email address will not be published. Required fields are marked *