ପାରାଦୀପ କଳିଙ୍ଗ ବାଲିଯାତ୍ରା ୨୦୨୫ ଉଦଘାଟନ ଅବସରରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ

ପାରାଦୀପ, ପ୍ରବାହ ନ୍ୟୁଜ୍ : ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ପାରାଦୀପ ହେବ ଗ୍ରୀନ ହାଇଡ୍ରୋଜେନ ହବ 

ଖୁବ ଶୀଘ୍ର ପାରାଦୀପରେ ହେବ ଏୟାରପୋର୍ଟ

ପାରାଦୀପକୁ ପର୍ଯ୍ୟଟନର କେନ୍ଦ୍ରସ୍ଥଳୀ କରିବା ପାଇଁ ମଙ୍ଗଳା ନଦୀରେ କ୍ରୁଜ ଟର୍ମିନାଲ  ନିର୍ମାଣ ହେବ

କଳିଙ୍ଗ ବାଲିଯାତ୍ରା ହେଉଛି ଓଡ଼ିଆ ସାଧବ ପୁଅଙ୍କ ସାହସର ପ୍ରତୀକ 

ପାରାଦୀପ ବାଲିଯାତ୍ରା ବ୍ୟବସାୟ ଓ ପରମ୍ପରାର ଅପୂର୍ବ ସମ୍ମିଶ୍ରଣ – ମୁଖ୍ୟମନ୍ତ୍ରୀ

ଆଜି ଜଗତସିଂହପୁର ର ପାରାଦୀପ ଠାରେ ଆୟୋଜିତ କଳିଙ୍ଗ ବାଲିଯାତ୍ରାର ଉଦ୍‌ଘାଟନୀ ଉତ୍ସବରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କହିଥିଲେ ଯେ, କଳିଙ୍ଗ ବାଲିଯାତ୍ରା ହେଉଛି ଓଡ଼ିଆ ସାଧବ ପୁଅଙ୍କ ସାହସର ପ୍ରତୀକ ଆଉ ସେଇଥିପାଇଁ ପାରାଦୀପ ଆଜି ପୂର୍ବ ଭାରତରେ ବିକାଶର ମୁଖଶାଳା ପାଲଟିଛି ଏବଂ ଓଡ଼ିଶାର ଅର୍ଥନୈତିକ ପ୍ରଗତିର ଦ୍ୱାରଦେଶ।

ଓଡ଼ିଶା କୁ ପାରାଦୀପ ମାଧ୍ୟମରେ କିଭଳି ସମୃଦ୍ଧ କରାଯିବ ସେଥିପାଇଁ ମୁଖ୍ୟମନ୍ତ୍ରୀ ପାରାଦୀପକୁ ଗ୍ରୀନ ହାଇଡ୍ରୋଜେନ ହବ ହେବ ବୋଲି ଘୋଷଣା କରିଥିଲେ। ଏହା ସହିତ ସେ କହିଥିଲେ ଯେ ପାରାଦୀପକୁ ପର୍ଯ୍ୟଟନର କେନ୍ଦ୍ରସ୍ଥଳୀ କରିବା ପାଇଁ ମଙ୍ଗଳା ନଦୀ ରେ କ୍ରୁଜ ଟର୍ମିନାଲ  ନିର୍ମାଣ ହେବ ଏବଂ ରାଜ୍ୟ ସରକାର ଏଥିପାଇଁ ୫୦୦ କୋଟି ଟଙ୍କାର ଅର୍ଥ ବ୍ୟବସ୍ଥା କରିଛନ୍ତି। ପାରାଦୀପ ସହରରେ ଖୁବ ଶୀଘ୍ର ଏୟାର ପୋର୍ଟ ହେବ ଏବଂ ଏବେ ପାରାଦୀପ କେବଳ ଜଳପଥ ଓ ସ୍ଥଳ ପଥ ନୁହେଁ ବରଂ ଆକାଶପଥ ସହିତ ମଧ୍ୟ ସଂଯୋଗ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

କାର୍ଯ୍ୟକ୍ରମରେ ଅଭିଭାଷଣ ରଖି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ବାଲିଯାତ୍ରା ହେଉଛି ଓଡ଼ିଆ ପରମ୍ପରା ଓ ସଂସ୍କୃତିର ଏକ ଗୌରବୋଜ୍ଜଳ ଉତ୍ସବ । ଏହା ଆମକୁ ମନେପକାଏ ଯେ – ଆମ ପୂର୍ବଜମାନେ ସମୁଦ୍ରର ଉଚ୍ଚ ତରଙ୍ଗକୁ ଜୟ କରି, ଜାହାଜ ନେଇ ସୁବର୍ଣ୍ଣ ଦ୍ୱୀପ ଓ ବିଭିନ୍ନ ଦେଶ ସହିତ ବାଣିଜ୍ୟ ଓ ସାଂସ୍କୃତିକ ସମ୍ପର୍କ ସ୍ଥାପନ କରିଥିଲେ।

ପାରାଦୀପ ଆଜି ପୂର୍ବ ଭାରତରେ ବିକାଶର ମୁଖଶାଳା ପାଲଟିଛି ଏବଂ ଓଡ଼ିଶାର ଅର୍ଥନୈତିକ ପ୍ରଗତିର ଦ୍ୱାରଦେଶ । ଏଠାରୁ ଆରମ୍ଭ ହେଉଛି ଆମ ରାଜ୍ୟର ଉନ୍ନତି ଓ ବିକାଶର ନୂତନ ଅଧ୍ୟାୟ। ପାରାଦୀପ ବନ୍ଦର ଆଜି ଭାରତର ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବନ୍ଦର, ଯାହା ଆଜି ଶିଳ୍ପ, ବାଣିଜ୍ୟ ଓ ରୋଜଗାରର ଏକ କେନ୍ଦ୍ରବିନ୍ଦୁ ହୋଇପାରିଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ସେ କହିଥିଲେ ଯେ, ପାରାଦୀପ ଓଡିଶାର ବିକାଶର ଏକ ଅଭିନ୍ନ ଅଙ୍ଗ। ପାରାଦୀପରେ ଅନୁଷ୍ଠିତ କଳିଙ୍ଗ ବାଲିଯାତ୍ରା ବିକାଶ ଓ ବିରଶତର ଏକ ଉତ୍କୃଷ୍ଟ ଉଦାହରଣ। ପାରାଦୀପ ବାଲିଯାତ୍ରା ବ୍ୟବସାୟ ଓ ପରମ୍ପରାର ଅପୂର୍ବ ସମ୍ମିଶ୍ରଣ।ଆଜିଠାରୁ ହେଉଥିବା ଏହି ବାଲିଯାତ୍ରାରେ ରାଜ୍ୟ ତଥା ରାଜ୍ୟ ବାହାରରୁ ଅନେକ ବ୍ୟବସାୟୀ ଏବଂ ବ୍ୟବସାୟିକ ଅନୁଷ୍ଠାନ ନିଜ ନିଜ ସାମଗ୍ରୀ ଏବଂ ସେବା ପ୍ରଦର୍ଶନ କରିବେ। ଏହା ଆମର ସ୍ଥାନୀୟ ଲୋକ ଏବଂ ବ୍ୟବସାୟୀଙ୍କ ପାଇଁ ଅନେକ ସମ୍ଭାବନା ସୃଷ୍ଟି କରିବ। ଆମ ଶିଳ୍ପୀମାନଙ୍କୁ ସଶକ୍ତ କରିବା, ତାଙ୍କର କୌଶଳକୁ ନୂଆ ବଜାର ଯୋଗାଇବା, ଓଡ଼ିଶା ସରକାରର ପ୍ରାଥମିକତା। 

ରାଜ୍ୟସରକାରଙ୍କ ବନ୍ଦର ଭିତ୍ତିକ ଉନ୍ନତି ବିଷୟରେ କହିବାକୁ ଯାଇ ମୁଖ୍ୟମନ୍ତ୍ରୀ କହିଥିଲେଯେ, ପାରାଦୀପ ବନ୍ଦର  ପୂର୍ବ ଭାରତର ଏକ ବଡ ବ୍ୟବସାୟିକ ବନ୍ଦର। ବନ୍ଦର ସହିତ ପାରାଦୀପର ସର୍ବାଙ୍ଗୀନ ଉନ୍ନତି ପାଇଁ ଆମ ସରକାର ସମସ୍ତ ପ୍ରକାର କାର୍ଯ୍ୟ କରିବେ। ପାରାଦୀପକୁ କେବଳ ଶିଳ୍ପସମୃଦ୍ଧ ଅଞ୍ଚଳ ନୁହେଁ, ପାରାଦୀପରେ ଗ୍ରୀନଫିଲଡ୍ ବିମାନ ବନ୍ଦର ପ୍ରତିଷ୍ଠା, ଭୁବନେଶ୍ୱର-ଖୋର୍ଦ୍ଧା-ଜଟଣୀ-କଟକ-ପାରାଦୀପ ଓ ପୁରୀକୁ ନେଇ ଏକ ମହାନଗରୀ ବିକଶିତ କରିବା, ଶିଳ୍ପ କରିଡର ପ୍ରସ୍ତୁତ କରିବା, ପାରାଦୀପ ବେଳାଭୂମିକୁ ପର୍ଯ୍ୟଟନର ବିକାଶ ଉପଯୋଗୀ କରିବା ଇତ୍ୟାଦି ଅନେକ ଯୋଜନା ଆମର ରହିଛି। ଆଗାମୀ ଦିନରେ ଜଗତସିଂହପୁର ଜିଲ୍ଲା ବିଶେଷକରି ପାରାଦୀପ ଅଞ୍ଚଳର ଅଭୁତପୂର୍ବ ବିକାଶ ଘଟିବ । 

ସେ ଆହୁରି କହିଥିଲେ ଯେଏହି ବିକାଶରେ ଡବଲ ଇଞ୍ଜିନ ଡବଲ ଗତିରେ କାମ କରିବ। ଆପଣମାନେ ଜଗତସିଂହପୁର ଜିଲ୍ଲାକୁ ପ୍ରକୃତରେ ଟ୍ରିପଲ ଇଞ୍ଜିନରେ ପରିଣତ କରିଛନ୍ତି। ପ୍ରାୟ ସମସ୍ତ ଜନପ୍ରତିନିଧିଙ୍କୁ ବି ଆପଣ ରାଜ୍ୟ ସରକାରଙ୍କ ସହିତ ଯୋଡିଛନ୍ତି। ଏହାର ପ୍ରଭାବ ବି ଦେଖିବାକୁ ମିଳୁଛି। ବିଶ୍ଵର ବଡ ବଡ କମ୍ପାନୀମାନେ ଏଠାରେ ନିଜ ନିଜର ଶିଳ୍ପ ପ୍ରତିଷ୍ଠା କରିଛନ୍ତି କିମ୍ବା ଆଗ୍ରହ ପ୍ରକାଶ କରିଛନ୍ତି। ଆଗାମୀ ଦିନରେ ଜଗତସିଂହପୁର ଜିଲ୍ଲା, ବିଶେଷ ଭାବେ ପାରାଦୀପ ଓ ଏହାର ଆଖପାଖ ଆଞ୍ଚଳ ଦ୍ରୁତ ଶିଳ୍ପାୟନ ଦେଖିବ। ଶିଳ୍ପାୟନ ହେଲେ, ରୋଜଗାର ସୃଷ୍ଟି ହେବ ଏବଂ ଏଠାକାର ଅର୍ଥନୀତିକୁ ବଳ ମିଳିବ।

କାର୍ଯ୍ୟକ୍ରମରେ ଯୋଗ ଦେଇ ଶିଳ୍ପ ଓ ଦକ୍ଷତା ବିକାଶ ମନ୍ତ୍ରୀ ଶ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ କହିଥିଲେ ଯେ କଳିଙ୍ଗ ବାଲିଯାତ୍ରାକୁ ଉଦଘାଟନ କରି ଏହି ଐତିହାସିକ ମେଳାର ଗୌରବ କୁ ଅକ୍ଷୁର୍ଣ୍ଣ ରଖିଛନ୍ତି। ଓଡିଶାକୁ ସମୃଦ୍ଧ ଓଡ଼ିଶାରେ ପରିଣତ କରିବା ପାଇଁ ମୁଖ୍ୟମନ୍ତ୍ରୀ ପ୍ରତିଶୃତିବଦ୍ଧ ଏବଂ ଏହା ଆମ ସରକାର କ୍ଷମତାକୁ ଆସିବା ଦିନ ଠାରୁ ହିଁ କାମରେ କରି ଦେଖାଉଛନ୍ତି।

ମୁଖ୍ୟମନ୍ତ୍ରୀ ପ୍ରଥମେ ଓରମାସ ଦ୍ୱାରା ଆୟୋଜିତ ପଲ୍ଲୀଶ୍ରୀ ମେଳା ବୁଲି ଦେଖିଥିଲେ। ଚଳିତବର୍ଷ ଓ ଓରମାସ ପକ୍ଷରୁ ୧୫୦ ଟି ଷ୍ଟଲ୍ ରେ ଜିଲ୍ଲା,ରାଜ୍ୟ ତଥା ରାଜ୍ୟ ବାହାରୁ ବିଭିନ୍ନ ହସ୍ତଶିଳ୍ପ ସାମଗ୍ରୀ ସହ ଫୁଡ୍ କୋର୍ଟ ମଧ୍ୟ ରହିଛି।

କଳିଙ୍ଗ ବାଲିଯାତ୍ରା ରେ ଏ ବର୍ଷ ୬୦୦ ରୁ ଉର୍ଦ୍ଧ୍ବ ଷ୍ଟଲ ରହିଛି।ସେଥିରେ ବିଭିନ୍ନ ହସ୍ତଶିଳ୍ପ, ହସ୍ତତନ୍ତ, ବିଭିନ୍ନ ଘର କରଣା ତଥା ଗୃହ ସଜା ସାମଗ୍ରୀ ସହ ଜିଲ୍ଲା ତଥା ରାଜ୍ୟ ବାହାରର ଖାଦ୍ୟ ଷ୍ଟଲ ମଧ୍ୟ ରହିଛି।

ଏହାଛଡ଼ା ପ୍ରତ୍ୟେକ ଦିନ ରଜ୍ୟର ବିଭିନ୍ନ ଲୋକକଳା, ଲୋକନୃତ୍ୟ ଏବଂ ଓଲିଉଡ କଳାକାର ଙ୍କ ଦ୍ୱାରା ମନୋରଞ୍ଜନ କାର୍ଯ୍ୟକ୍ରମ ରହିଛି । ଶେଷ ଦିନ ମହାମହିମ ରାଜ୍ୟପାଳ ଙ୍କ ଦ୍ୱାରା ଉଦଯାପନୀ ସମାରୋହ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି।ବଲିଉଡ କଳାକାର ଅଙ୍କିତ ତିୱାରୀ ଙ୍କ ମ୍ୟୁଜିକଲ୍ ନାଇଟ ର କାର୍ଯ୍ୟକ୍ରମ ଥିବା ପ୍ରାପ୍ତ ସୂଚନାରୁ ପ୍ରକାଶ।

ଆଜି ର କାର୍ଯ୍ୟକ୍ରମରେ ଜଗତସିଂହପୁର ସାଂସଦ ଡ. ବିଭୁପ୍ରସାଦ ତରାଇ , ତିର୍ତ୍ତୋଲ ବିଧାୟକ ଡ. ରମାକାନ୍ତ ଭୋଇ, ପାରାଦୀପ ବନ୍ଦର କର୍ତ୍ତୃପକ୍ଷର ଅଧ୍ୟକ୍ଷ ଶ୍ରୀଯୁକ୍ତ ପି. ଏଲ୍.ହରନାଧ ପ୍ରମୁଖ ମଂଚାସୀନ ରହି ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଶ୍ରୀ ଜେ. ସୋନାଲ ସ୍ୱାଗତ ଭାଷଣ ଦେଇଥିବା ବେଳେ ଆରକ୍ଷୀ ଅଧିକ୍ଷକ ଅଙ୍କିତ କୁମାର ବର୍ମା ଧନ୍ୟବାଦ ଦେଇଥିଲେ। କାର୍ଯ୍ୟକ୍ରମରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରିଣୀ ଶ୍ରୀମତୀ ପ୍ରତିଚୀ ତନୟା ମହାନ୍ତି ମଞ୍ଚ ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *