ଚଇତି ଲୋକ ମହୋତ୍ସବ ର ଦ୍ଵିତୀୟ ସନ୍ଧ୍ୟାରେ ଦୁଲୁକିଲା ମଞ୍ଚ

ରାୟଗଡ଼ା:୨୦/୦୧(ନି. ପ୍ର): ରାୟଗଡ଼ା ଜିଲ୍ଲା ଚଇତି ମହୋତ୍ସବ ର ଦ୍ଵିତୀୟ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମରେ କଳପ୍ରେମୀଙ୍କୁ ରୋମାଞ୍ଚିତ କରିଛି ମଞ୍ଚ । ଜିଲ୍ଲା ର ଲୁକ୍କାୟିତ ପ୍ରତିଭାକୁ ପ୍ରୋତ୍ସାହନ ପ୍ରଦାନ କରିବା ସହ ଶାନ୍ତି, ମୈତ୍ରୀ, ବିକାଶ ଓ ସମୃଦ୍ଧି ର ପ୍ରତୀକ ସାଜିଛି ଏହି  ଚଇତି ଓ ପଲ୍ଲୀଶ୍ରୀ ମେଳା ।

ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ଥାନୀୟ ଜିସିଡି ପଡ଼ିଆରେ ଆୟୋଜିତ ଚଇତି ଉତ୍ସବର ଦ୍ଵିତୀୟ ସନ୍ଧ୍ୟାରେ ଦର୍ଶକଙ୍କ ପ୍ରବଳ ସମାଗମ ମଧ୍ୟରେ ବିଳମ୍ବିତ ସାନ୍ଧ୍ୟ ଯାଏଁ କଳାକାରମାନଙ୍କ ଆକର୍ଷଣୀୟ  ପାରମ୍ପରିକ ଏଵଂ ଶାସ୍ତ୍ରୀୟ ନୃତ୍ୟ ଦର୍ଶକମାନଙ୍କ ମନ ମୋହିଥିଲା ।

ଜିଲ୍ଲାପାଳ ଶ୍ରୀମତୀ ସ୍ୱଧା ଦେବ ସିଂ ଙ୍କ ଅଧ୍ୟକ୍ଷତା ରେ ଆୟୋଜିତ ଲୋକ ମହୋତ୍ସବ ର ଦ୍ୱିତୀୟ ସାନ୍ଧ୍ୟ ରେ ବିଶାଖାପାଟଣା ମଣ୍ଡଳସ୍ତରୀୟ ରେଲ ଡିଭିଜନ ଅଧିକାରୀ ଅନୁପ ଶତପଥୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜିଲ୍ଲା ର କଳା ସଂସ୍କୃତି ଓ ଲୁକାୟିତ ପ୍ରତିଭା ମାନଙ୍କୁ ଦେଶ ତଥା ବିଦେଶ ରେ ପହଞ୍ଚାଇ ଜିଲ୍ଲାକୁ ଗୌରାନ୍ବିତ କରିବାକୁ ପରାମର୍ଶ ଦେଇଥିଲେ । ସେହିଭଳି ବିଶିଷ୍ଟ ଅତିଥି ଭାବେ ଦକ୍ଷିଣ ପଶ୍ଚିମାଞ୍ଚଳ ପୁଲିସ ଉପ ମହାନିର୍ଦ୍ଦେଶକ ପଣ୍ଡିତ ରାଜେଶ ଉତ୍ତମ କୁମାର ଯୋଗ ଦେଇ ଥିବା ବେଳେ ସମ୍ମାନୀତ ଅତିଥି ଭାବେ ରାୟଗଡ଼ା ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବିବେକାନନ୍ଦ ଶର୍ମା, ବୈଦେଶିକ ମନ୍ତ୍ରଣାଳୟ ଉପ ଶାସନ ସଚିବ ମାନସ ରାଜ ପଟେଲ ଙ୍କ ସମେତ ପଡୋଶୀ ଜିଲ୍ଲାର ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ପ୍ରମୁଖ ଉପସ୍ଥିତ ଥିଲେ । ପରେ ସାଂସ୍କୃତିକ କାର୍ଯ୍ୟକ୍ରମରେ ବିଷମକଟକ ବ୍ଲକ ଓଡିଶା ଆଦର୍ଶ ବିଦ୍ୟାଳୟ ଛାତ୍ରଛାତ୍ରୀମାନେ ପ୍ରଥମେ ନୃତ୍ୟ ପ୍ରଦର୍ଶନ କରିଥିବା ବେଳେ ଆସାମ ର ବିହୁ ଓ ମହାରାଷ୍ଟ୍ର ର ଲାବଣି ନୃତ୍ୟ ପରିବେଷଣ କରିଥିଲେ ।

ଏହାପରେ ଗଜପତି ଜିଲ୍ଲା ସଂସ୍କୃତି ପରିଷଦ ପକ୍ଷରୁ ପାଇକ ଆଖଡ଼ା ଏବଂ କନ୍ଧମାଳ ର ଆଦିବାସୀ ନୃତ୍ୟ ପରେ ଆଦିବାସୀ ଢେମସା ନୃତ୍ୟ, ଘୁମୁରା ନୃତ୍ୟ ପରିବେଷଣ କରାଯାଇଥିଲା । ମହାମାରୀ କରୋନା ବେଳେ ପ୍ଲାଜମା ଦେଇ ଲୋକଙ୍କ ଜୀବନ ବଞ୍ଚାଇଥିବା ଭି ଭେଙ୍କେଟେଶ ଓ ଅନ୍ୟ ସହଯୋଗୀ ଙ୍କୁ ଚଇତି ସମ୍ମାନ ରେ ସମ୍ମାନୀତ କରାଯାଇଥିଲା । କାର୍ଯ୍ୟକ୍ରମକୁ ଅତିରିକ୍ତ ଜିଲ୍ଲାପାଳ ଧର୍ମାନନ୍ଦ ବେହେରା, ସୋମନାଥ ପ୍ରଧାନ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବସନ୍ତ କୁମାର ପ୍ରଧାନ ପ୍ରମୁଖ ପରିଚାଳନା କରିଥିଲେ ।

Leave a Reply

Your email address will not be published. Required fields are marked *