ଖୋର୍ଦ୍ଧାରୁ ଏକକୋଟିରୁ ଉର୍ଦ୍ଧ ମୂଲ୍ୟର ବ୍ରାଉନସୁଗାର ଜବତ: ଜଣେ ବ୍ୟବସାୟୀ ଏସ୍‌.ଟି.ଏଫ୍ ଦ୍ଵାରା ଗିରଫ

ଖୋର୍ଦ୍ଧା:୧/୧୦(ପ୍ରବାହ ନିଉଜ) ପ୍ରତ୍ୟେକ ଦିନ ପୋଲିସ୍ ର ଚଢ଼ାଉ ପରେ ମଧ୍ୟ ନିଶା କାରବାର ବନ୍ଦ ହେବାର ନାଁ ଧରୁନି ଖୋର୍ଦ୍ଧା ଅଞ୍ଚଳରୁ । ବିଗତ ୧୦ବର୍ଷରୁ ଉର୍ଦ୍ଧ ସମୟ ହେବ ଖୋର୍ଦ୍ଧା ସହର ଓ ଏହାର ଆଖପାଖ ଅଞ୍ଚଳ ଡ୍ରଗସ୍ ମାଫିଆଙ୍କ ପେଣ୍ଠସ୍ଥଳୀ ପାଲଟିଛି। ଯଦିଓ ବିଗତ ଦିନରେ ଏସ୍‌.ଟି.ଏଫ୍, କ୍ରାଇମବ୍ରାଞ୍ଚ୍, ସ୍ଥାନୀୟ ପୋଲିସ୍ ଏଵଂ ଅବକାରୀ ବିଭାଗ ବିଭିନ୍ନ ସମୟରେ ଚଢ଼ାଉ କରି ଅନେକ ଡ୍ରଗସ୍‌ ବ୍ୟବସାୟୀଙ୍କୁ ଗିରଫ କରିଛି, ତଥାପି ଏହି ଡ୍ରଗସ୍‌ ବ୍ୟବସାୟୀ ଆଇନର ଗଳାବାଟ ଦେଇ ଅନାୟସରେ ଜେଲ୍ ରୁ ମୁକୁଳି ଆସି ପୁଣି ଆରମ୍ଭ କରି ଦେଉଛନ୍ତି ନିଜ ବ୍ୟବସାୟ। ଏହି ଡ୍ରଗସ୍‌ ବ୍ୟବସାୟୀଙ୍କ ଉପରେ ପୋଲିସ୍ ର କଡ଼ା ନଜର ରହୁଥିବା ବେଳେ ଅନେକ ସ୍ଥାନରେ
ବ୍ୟବସାୟୀ ମାନେ ଆଢ଼ୁଆଳରେ ରହି ଅର୍ଥର ପ୍ରଲୋଭନ ଦେଖାଇ ଶିକ୍ଷିତ ବେକାର ଯୁବକ ଯୁବତୀଙ୍କ ସହିତ ସମ୍ଭ୍ରାନ୍ତ ଶ୍ରେଣୀର ମହିଳାଙ୍କୁ ଏହି ବ୍ୟବସାୟରେ ସାମିଲ କରୁଥିବା ବେଳେ ପ୍ୟାକେଟ୍ ପିଛା ୩ ଶହ ଓ ୫ଶହ ଟଙ୍କାରେ ଖୋର୍ଦ୍ଧା ଓ ଏହାର ଆଖପାଖ ଅଞ୍ଚଳରେ ବିକ୍ରୀ କରୁଥିବା ଜଣାପଡ଼ିଛି । ତେବେ ଶୁକ୍ରବାର ଅପରାହ୍ନରେ ଖୋର୍ଦ୍ଧା ଆଦର୍ଶ ଥାନା ଅନ୍ତର୍ଗତ ହାବେଳୀ ପଡ଼ିଆ ପାଖ ହରିଜନ ସାହି(ସଟର୍ କଲୋନୀ)ରେ ଏସ୍‌.ଟି.ଏଫ୍ ଟିମ୍ ଚଢ଼ାଉ କରି ଜଣେ ବ୍ରାଉନସୁଗାର ବ୍ୟବସାୟୀଙ୍କୁ ଗିରଫ କରିବା ସହିତ ଏକକୋଟିରୁ ଉର୍ଦ୍ଧ ମୂଲ୍ୟର ବ୍ରାଉନସୁଗାର ଜବତ କରିଛି।

ସୂଚନା ମୁତାବକ, ଖୋର୍ଦ୍ଧା ଆଦର୍ଶ ଥାନା ଅନ୍ତର୍ଗତ କାମନାବର ହରିଜନ ସାହିର ୨୩ବର୍ଷୀୟ ସିଦ୍ଧାର୍ଥ ନାୟକ ଓରଫ ସିଦ୍ଧୁ ନାମକ ଯୁବକ, ଯିଏ କି ପେସାରେ ଜଣେ ଡିପ୍ଲୋମା ଛାତ୍ର ବ୍ରାଉନସୁଗାର ବ୍ୟବସାୟ କରୁଥିବା ସମ୍ପର୍କରେ ଭୁବନେଶ୍ଵର ଏସ୍‌.ଟି.ଏଫ୍ ଟିମ୍ ଜାଣିବାକୁ ପାଇଥିଲେ । ଗତ ଶୁକ୍ରବାର ଅପରାହ୍ନରେ ସଂପୃକ୍ତ ବ୍ୟବସାୟୀ ଜଣକ ବାଲେଶ୍ଵରରୁ ବ୍ରାଉନସୁଗାର ନେଇ ଫେରୁଥିବା ବେଳେ ବେଳେ ବିଶେଷ ସୂତ୍ରରୁ ସୂଚନା ପାଇ ହାବେଳୀ ପଡ଼ିଆ ପାଖ ହରିଜନ ସାହି(ସଟର୍ କଲୋନୀ)ରେ ଚଢ଼ାଉ କରି ୧କେଜି ୧୫୦ଗ୍ରାମ ବ୍ରାଉନସୁଗାର ସହିତ ଏକ କେ.ଟି.ଏମ. ବାଇକ୍, ଏକ ଦାମୀ ମୋବାଇଲ୍ ଓ ଅନେକ ଅପରାଧିକ ସାମଗ୍ରୀ ବରାମଦ କରିଥିଲେ। ଏସ୍‌.ଟି.ଏଫ୍ ଟିମ୍ ହାତରେ ସିଦ୍ଧାର୍ଥ ଧରା ପଡ଼ିଥିବା ବେଳେ ଅନ୍ୟ ଦୁଇଜଣ ସହଯୋଗୀ ଏସ୍‌.ଟି.ଏଫ୍ କୁ ଚକମା ଦେଇ ଘଟଣା ସ୍ଥଳରୁ ଫେରାର ହୋଇ ଯାଇଥବା ବେଳେ ଶନିବାର ସନ୍ଧ୍ୟାରେ ଦୁଇ ସହଯୋଗୀଙ୍କୁ ଖୋର୍ଦ୍ଧା ଡି.ଏଫ୍.ଓ ଅଫିସ୍ ପଛପଟ ବୁଦୁବୁଦିଆ ଜଙ୍ଗଲ ମଧ୍ୟରୁ ଗିରଫ କରିଥିବା ଜଣାପଡ଼ିଛି।

ଏହି ପରିପ୍ରେକ୍ଷୀରେ ଏସ୍‌.ଟି.ଏଫ. ଥାନା ରେ କେସ ନଂ-୨୧/୨୦୨୨ ୟୁ/ଏସ ୨୧(ସି)/୨୯ ଏନଡିପିଏସ ଅଧିନିୟମ ୧୯୮୫ ଅନୁଯାୟୀ ଏକ ମାମଲା ରୁଜୁ କରାଯାଇ ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯାଇଛି।

ତେବେ ନିଶା ଦ୍ରବ୍ୟ ବିରୁଦ୍ଧରେ ପୋଲିସ୍ ଠାରୁ ଆରମ୍ଭ କରି ଏସ୍‌.ଟି.ଏଫ୍, କ୍ରାଇମବ୍ରାଞ୍ଚ୍ ପକ୍ଷରୁ ସ୍ୱତନ୍ତ୍ର ଡ୍ରାଇଭ୍ ଜାରି ରଖି ଅନେକ ଡ୍ରଗ୍ଧ ମାଫିଆଙ୍କୁ ଗିରଫ କରିବା ସତ୍ତ୍ୱେ ଖୋର୍ଦ୍ଧା ଅଞ୍ଚଳରେ ନିଶା କାରବାର ଅନ୍ତ ହେବା ପରିବର୍ତ୍ତେ ଦିନକୁ ଦିନ ବୃଦ୍ଧି ପାଉଛି। ଯାହାକୁ ନେଇ ସ୍ଥାନୀୟ ଜନସାଧାରଣଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଉଛି ।

Leave a Reply

Your email address will not be published. Required fields are marked *