ଖୋର୍ଦ୍ଧା ସହରରୁ ପୁଣି ଥରେ ଲକ୍ଷାଧିକ ଟଙ୍କାର ଧଳାଜହର ଜବତ : ଜଣେ ଗିରଫ

ଖୋର୍ଦ୍ଧା: ୨୨/୦୨/୨୦୨୧ :  ପୁଣି ଖୋର୍ଦ୍ଧା ସହରରେ ଧଳା ଜହର ର କାରବାର । ସମ୍ପୃକ୍ତ ବ୍ୟକ୍ତି ଗିରଫ। ସୁଦୂର ବାଙ୍ଗଲାଦେଶରୁ ଜଳେଶ୍ବର ଦେଇ ଖୋର୍ଦ୍ଧା ସହିତ ଓଡ଼ିଶାର ଅନେକ ଯାଗାକୁ ଏହି ଧଳା ଜହର ର ଚେର ଲମ୍ବିଛି । ପୋଲିସ ର ବାରମ୍ବାର ଚଢ଼ାଉ ସତ୍ତ୍ୱେ ଏ ମାରାତ୍ମକ ବ୍ୟବସାୟ ବନ୍ଦ ହେବା ତ ଦୂରର କଥା, ଥମିବାର ନା ନେଉନି ।

ସ୍ଥାନୀୟ ଲୋକେଶ୍ୱରପୁର ଅଞ୍ଚଳରୁ ଆଉଜଣେ ବ୍ୟବସାୟୀ ଗିରଫ । ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଖୋର୍ଦ୍ଧା ଅବକାରୀ ବିଭାଗର ଇନ୍ସପେକ୍ଟର ଭୈରବ ସାହୁଙ୍କ ନେତୃତ୍ବରେ ଏ.ଆଇ କୌଶଲ୍ୟା ଜେନା, ଏ.ଏସ୍‌.ଆଇ ଅକ୍ଷୟ କୁମାର ଜେନାଙ୍କ ସମେତ ମୋବାଇଲ ସ୍କାଡ୍ ବିଳମ୍ବିତ ରାତିରେ ଚଢ଼ାଉ କରି ବ୍ରାଉନସୁଗାର ବ୍ୟବସାୟୀକୁ ଗିରଫ କରିଛନ୍ତି ।

ଦୀର୍ଘଦିନ ଧରି ଖୋର୍ଦ୍ଧା ଓ ଏହାର ଆଖପାଖ ଅଞ୍ଚଳରେ ଏହି ବ୍ରାଉନସୁଗାର ପରି ମାରାତ୍ମକ ଜହର ର ବ୍ୟବସାୟ କରୁଥିବା ଚବିଶି ବର୍ଷୀୟ ହରପ୍ରସାଦ ଦାଶକୁ ଅବକାରୀ ବିଭାଗ ଗିରଫ କରିବା ସହିତ ତାଠାରୁ ୩୨୦ ଗ୍ରାମର ବ୍ରାଉନସୁଗାର, ନଗଦ ନଅ ଲକ୍ଷ କୋଡିଏ ହଜାର ଟଙ୍କା ଓ ଏକ ବାଇକ ଜବତ କରିଛି । ଜବତ ହୋଇଥିବା ବ୍ରାଉନସୁଗାର ର ଅନୁମାନିକ ମୁଲ୍ୟ ପ୍ରାୟ ବତିଶ ଲକ୍ଷ ଟଙ୍କା ହେବ ବୋଲି ଅବକାରୀ ଅଧିକାରୀ ଭୈରବ ସାହୁ କହିଛନ୍ତି ।

ସେହିପରି ଅଭିଯୁକ୍ତ ହରପ୍ରସାଦ କେବେଠାରୁ ଓ କେତେଦିନ ହେବ ଏହି ବ୍ୟବସାୟରେ ଲିପ୍ତ ରହିବା ସହ ସେ କେଉଁ ସ୍ଥାନରୁ ଏହି ବ୍ରାଉନ ସୁଗାରକୁ ଆଣି ବ୍ୟବସାୟ କରୁଥିଲେ, ଏବଂ ଏ କାମରେ ହରଙ୍କୁ କେଉଁମାନେ ସହଯୋଗ କରୁଥିଲେ,  ସେନେଇ ତଦନ୍ତ ଜାରି ରହିଛି ।

Leave a Reply

Your email address will not be published. Required fields are marked *