ଖୋର୍ଦ୍ଧା ସହରରୁ ଆନ୍ତଃ ରାଜ୍ୟ ବ୍ରାଉନସୁଗାର ବ୍ୟବସାୟୀ ଗିରଫ :   ୬୫ ଲକ୍ଷର ବ୍ରାଉନସୁଗାର ଜବତ

ଖୋର୍ଦ୍ଧା : ୦୧/୦୩/୨୦୨୧: ଜିଲ୍ଲାରେ ଦିନକୁ ଦିନ ବଢ଼ି ଚାଲିଛି ଧଳା ଜହର ବେପାରୀଙ୍କ ପ୍ରାଦୁର୍ଭାବ । ପୋଲିସର କାର୍ଯ୍ୟାନୁଷ୍ଠାନ ଗ୍ରହଣ ସତ୍ତ୍ୱେ ମଧ୍ୟ ଏ ମାରାତ୍ମକ ବ୍ୟବସାୟ ପୂର୍ଵପେକ୍ଷା ଅଧିକ ହେବାରେ ଲାଗିଛି । ଏହି ଅସାମାଜିକ ତତ୍ତ୍ୱ ଆଇନ ର ଗଳା ବାଟର ସୁଯୋଗ ନେଇ ଆଇନ ହାତରୁ ଖସିଯିବା ପରେ ପୁଣି ଏ ବ୍ୟବସାୟ ଆରମ୍ଭ କରିବା ସହିତ ନିଜର ଅପରାଧିକ ସାମ୍ରାଜ୍ୟ ବିସ୍ତାର କରିବାରେ ଲାଗି ପଡୁଛନ୍ତି ।

ଗଞ୍ଜାମ, ଖୋର୍ଦ୍ଧା ଓ ପୁରୀ ଜିଲ୍ଲାରେ ନିଜ ଅପରାଧର ଚେର ଲମ୍ବାଇଥିବା ସେମିତି କିଛି ଅପରାଧୀଙ୍କୁ  ଖୋର୍ଦ୍ଧା ଆଦର୍ଶ ଥାନା ପୋଲିସ୍ ଗିରଫ କରିଛି।  ବିଶେଷ ସୂତ୍ରରୁ ଖବର ପାଇ ଖୋର୍ଦ୍ଧା ଟାଉନ ଥାନା ପୋଲିସ ୧୬ ନମ୍ବର ଜାତୀୟ ରାଜପଥ ରେ ଥିବା ରିଲାୟନ୍ସ ପେଟ୍ରୋଲ ପମ୍ପ ନିକଟରେ ଚଢାଉ କରି ତିନିଜଣ ଅପରାଧୀଙ୍କୁ ଗିରଫ କରିଛି ।

ଗିରଫ ଅଭିଯୁକ୍ତ ହେଲେ  ଚବିଶ ବର୍ଷୀୟ ସଂଗ୍ରାମ ପଣ୍ଡା ଓ ସତେଇଶ ବର୍ଷୀୟ ଅମିତ ସାହୁ । ଉଭୟଙ୍କ ଘର  ଗଞ୍ଜାମ ଜିଲ୍ଲାର ରମ୍ଭା ଓ କେଶପୁର ଅଞ୍ଚଳର ହୋଇଥିବା ବେଳେ ତୃତୀୟ ଅଭିଯୁକ୍ତ ଖୋର୍ଦ୍ଧା ଡିଏଭି ସ୍କୁଲ ଅଞ୍ଚଳର ବିରେନ୍ଦ୍ର ସାହୁ ବୋଲି ଜଣାପଡିଛି ।

ତାଙ୍କ ନିକଟରୁ ୬୫୪ଗ୍ରାମ ବ୍ରାଉନସୁଗାର, ନଗଦ ୯୫ହଜାର ଟଙ୍କା, ଛଅଟି ମୋବାଇଲ ଫୋନ ସହିତ ଏକ ଇକ୍କୋ ସ୍ପୋର୍ଟସ କାର ଜବତ ହୋଇଛି । ଜବତ ବ୍ରାଉନସୁଗାର ର ଆନୁମାନିକ ମୂଲ୍ୟ ୬୫ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି ।

ଗିରଫ ଅଭିଯୁକ୍ତ ମାନେ ବାଲେଶ୍ବର ଜିଲ୍ଲା ଜଳେଶ୍ବର ଅଞ୍ଚଳ ରୁ ଆଣି ଖୋର୍ଦ୍ଧା, ପୁରୀ ଓ ଗଞ୍ଜାମ ଜିଲ୍ଲାରେ ବ୍ୟବସାୟ କରୁଥିବା ସୂଚନା ମିଳିଛି । ଏମାନେ ପୁରୀ ଓ ଖୋର୍ଦ୍ଧା ଜିଲ୍ଲାର ଅନେକ ଅପରାଧିକ ମାମଲାରେ ଜଡ଼ିତ ଥିବା ଜଣା ପଡିଥିବା ବେଳେ ସମସ୍ତ ଗିରଫ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯିବା ନେଇ ଖୋର୍ଦ୍ଧା ଏସ୍.ପି ରାଜ କିଶୋର ଦୋରା ଆଜି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *