ଭୁଲ କାହାର ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ନା ମାଧ୍ୟମିକ ଶିକ୍ଷା ପରିଷଦର : ବିବାଦରେ ବିବାହିତ ପ୍ରେମୀ ଯୁଗଳ

ଖୋର୍ଦ୍ଧା : ୦୪/୦୪/୨୦୨୧: ପ୍ରେମ କରି ବିବାହ କରିଥିବା ନବ ବିବାହିତ ପ୍ରେମୀ ଯୁଗଳ ବିବାଦରେ ଛନ୍ଦି ହୋଇ ଏବେ ଆଇନ ଘେରରେ । ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମିଳିଥିବା  ଜନ୍ମପ୍ରମାଣ ପତ୍ରରେ ଅନୁସାରେ ପ୍ରେମିକାର ବୟସ ୧୯ ହୋଇଥିବା ବେଳେ ସଦର ପୋଲିସ ଥାନା ଅଧିକାରୀ କିନ୍ତୁ ଏ କଥାକୁ ସହଜରେ ଗ୍ରହଣ କରିବାକୁ ନାରାଜ । ତେଣୁ ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ଜାରି ହୋଇଥିବା ପ୍ରମାଣ ପତ୍ର ଠିକ୍ ନା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପ୍ରଦତ୍ତ କାଗଜପତ୍ର ଆଧାରରେ ଯୁକ୍ତି ବାଢିଥିବା ପୋଲିସ କଥାରେ କେତେ ସତ୍ୟତା ରହିଛି ତାହା ବର୍ତ୍ତମାନ ବଡ଼ ପ୍ରଶ୍ନବାଚୀ ହୋଇଛି ।

ଏ ପଟେ ଖୋର୍ଦ୍ଧା ସଦର ଥାନା ପୋଲିସ ନବ ବିବାହିତ ପ୍ରେମୀ ଯୁଗଳଙ୍କୁ ଠାବ କରିଥିବା ବେଳେ ପ୍ରେମିକକୁ ଗିରଫ କରି କୋର୍ଟ ଚାଲାଣ କରିଛି ଓ ପ୍ରେମିକାକୁ ସୁଧାର ଗୃହକୁ ପଠାଇଥିବା ଜଣାପଡିଛି ।

ସୂଚନା ଅନୁସାରେ ଖୋର୍ଦ୍ଧା ସଦର ଥାନା ଅନ୍ତର୍ଗତ ଶିଆଳିଆପାଟଣା ଗ୍ରାମର ଗଗନ ସାମନ୍ତରାୟଙ୍କ ୨୬ ବର୍ଷୀୟ ପୁଅ ଉଦ୍ଧବ ସାମନ୍ତରାୟ ଜନୈକା ୧୯ ବର୍ଷ ଯୁବତୀଙ୍କ ସହିତ ପ୍ରେମସମ୍ପର୍କ ସ୍ଥାପନ ପରେ ପରିବାର ଲୋକେ ବିରୋଧ କରିବାରୁ ଉଭୟ ଘର ଛାଡ଼ି କେଉଁଆଡ଼େ ଚାଲିଯାଇଥିଲେ। ଏ ଘଟଣାରେ ଯୁବତୀଙ୍କ ପରିବାର ପକ୍ଷରୁ ଅଭିଯୁକ୍ତ ନାମରେ ଥାନାରେ ଅଭିଯୋଗ ହୋଇଥିଲା । ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଥିଲା ବେଳେ ଅନ୍ୟପଟେ ପ୍ରେମୀ ଯୁଗଳ ଭୁବନେଶ୍ୱର ସ୍ଥିତ ଜନୈକ ନୋଟାରୀ ମାଜିଷ୍ଟ୍ରେଟଙ୍କ ନିକଟରେ ବିବାହ କରିବା ସହିତ ଚଳିତ ବର୍ଷ ଫେବୃଆରୀ ୨୨ ତାରିଖରେ ଭୁବନେଶ୍ୱର ବରଗଡ଼ ସ୍ଥିତ ମା’ ମଙ୍ଗଳା ମନ୍ଦିରରେ ମଧ୍ୟ ବିବାହ କରିଥିଲେ ।

ପ୍ରାୟ ଏକ ମାସରୁ ଉର୍ଦ୍ଧ ସମୟ ଧରି ଉଭୟ ପ୍ରେମୀ ଦାମ୍ପତ୍ୟ ଜୀବନ ବିତାଉଥିବା ବେଳେ ଆଜି ସଦର ପୁଲିସ ସେମାନଙ୍କୁ ଠାବ କରି ପ୍ରେମିକାକୁ ଉଦ୍ଧାର କରିବା ସହ ପ୍ରେମିକ ଉଦ୍ଧବକୁ ଗିରଫ କରି କୋର୍ଟ ଚାଲାଣ କରିଛି । ତେବେ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପ୍ରଦତ୍ତ ପରୀକ୍ଷା ପ୍ରବେଶିକା ପତ୍ର ଅନୁସାରେ ପ୍ରେମିକା ନାବାଳିକା ଅଟେ ଏବଂ ତା’ ବୟସ ୧୭ ବର୍ଷ ୧୦ ମାସ ଜଣାପଡିବା ପରେ ପୋଲିସ ଏଭଳି ପଦକ୍ଷେପ ଗ୍ରହଣ କରିଥିବା ସଦର ଥାନା ଅଧିକାରିଣୀ ଅନୀତା ସାହୁ ପ୍ରକାଶ କରିଛନ୍ତି ।

କିନ୍ତୁ ପ୍ରେମିକା ନିଜକୁ ୧୮ ବର୍ଷରୁ ଉର୍ଦ୍ଧ ବୟସ୍କ କହି ନିଜର ଜନ୍ମ ପ୍ରମାଣ ପତ୍ର ଦେଖେଇବାରେ ଉଭୟଙ୍କ ଦାମ୍ପତ୍ୟ ଜୀବନ ଏବେ ବିବାଦୀୟ ହୋଇପଡ଼ିଥିବା ବେଳେ ବୟସ ଗତ ପ୍ରମାଣ ପତ୍ରକୁ ନେଇ ଏବେ ସନ୍ଦେହ ସୃଷ୍ଟି ହୋଇଛି । ପ୍ରେମିକାଙ୍କୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ୧୭ ଏପ୍ରିଲ ୨୦୦୨ରେ ଜାରି ହୋଇଥିବା ପଞ୍ଜିକୃତ ଜନ୍ମପ୍ରମାଣ ନମ୍ବରରେ ୮୪୫/୨୦୦୨ରେ ତାଙ୍କ ଜନ୍ମ ୧୩ ଏପ୍ରିଲ ୨୦୦୨ ଉଲ୍ଲେଖ ଥିବା ଜଣାପଡ଼ିଛି ।

ସ୍ୱାସ୍ଥ୍ୟ ବିଭାଗର ପ୍ରମାଣ ପତ୍ରକୁ ଦେଖିଲେ ବର୍ତ୍ତମାନ ପ୍ରେମିକାଙ୍କ ବୟସ ୧୮ ବର୍ଷରୁ ଅଧିକ । କିନ୍ତୁ ମାଟ୍ରିକ୍ ପରୀକ୍ଷା ପ୍ରବେଶିକା ପତ୍ର ଅନୁସାରେ ପ୍ରେମିକା ବୟସ ୧୮ ବର୍ଷରୁ ଦୁଇ ମାସ କମ୍ ବୋଲି ପୁଲିସ କହିବା ଘଟଣା ଅନେକ ପ୍ରଶ୍ନ ସୃଷ୍ଟି କରିଥିବା ଏହା ନିହାତି ଭାବରେ ତଦନ୍ତ ସାପେକ୍ଷ ।

Leave a Reply

Your email address will not be published. Required fields are marked *