ଚିଲିକା ବିଧାୟକଙ୍କ ଗିରଫ ଦାବିରେ ବିଜେପି ଅନୁସୂଚିତ ଜାତି ମୋର୍ଚ୍ଚାର ଖୋର୍ଦ୍ଧା ଏସ୍.ପି ଅଫିସ ଘେରାଉ

ଖୋର୍ଦ୍ଧା : ୧୬/୦୯(ପ୍ରବାହ ନିଉଜ୍) ବିଜେପି କର୍ମୀଙ୍କୁ ମାଡ଼ମାରିବା ଏବଂ ଜାତିଆଣ ଆକ୍ଷେପ ଘଟଣାକୁ ନେଇ ବିଜେପି ଅନୁସୂଚିତ ଜାତି ମୋର୍ଚ୍ଚା ପକ୍ଷରୁ ଖୋର୍ଦ୍ଧା ଏସ୍.ପି ଅଫିସ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ବିଜେପି ପକ୍ଷରୁ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଗିରଫ ଦାବି କରାଯାଇଛି।

ପୂର୍ବ ସୂଚନା ଅନୁଯାୟୀ, ବିଗତ ୮ ତାରିଖ ଅପରାହ୍ନରେ ବାଲୁଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟାଳୟ ପରିସରରେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ବିଜେପି ବାଲୁଗାଁ ନଗର ମଣ୍ଡଳ ସଭାପତି ନିରଞ୍ଜନ ସେଠିଙ୍କୁ ଗାଳିଗୁଲଜ କରିବା ସହିତ ମାଡ଼ ମାରିଥିବାର ଅଭିଯୋଗ ହୋଇଥିଲା। ଏହା ସହିତ ସେହି ସମୟରେ ଭିଡ଼ିଓ ଉତ୍ତୋଳନ କରୁଥିବା ସାମ୍ବାଦିକ ଦିବ୍ୟକାନ୍ତ ବେହେରାଙ୍କୁ ବିଧାୟକ ଗାଳିଗୁଲଜ କରିବା ସହ ତାଙ୍କ ମୋବାଇଲ ଛଡେଇ ନେଇଥିବା ଅଭିଯୋଗ ହୋଇଥିଲା। ତେବେ ଏହାକୁ ନେଇ ବାଲୁଗାଁ ଥାନାରେ ବିଜେପି କର୍ମୀ ଏବଂ ସାମ୍ବାଦିକଙ୍କ ପକ୍ଷରୁ ଦୁଇଟି ପୃଥକ ପୃଥକ ଏତଲା ଦିଆଯାଇଥିଲା। ଏହାପରେ ବିଜେଡ଼ି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ବିଧାୟକଙ୍କୁ ତୁରନ୍ତ ଦଳରୁ ନିଲମ୍ବନ କରିଥିଲେ। କିନ୍ତୁ ଘଟଣାକୁ ସପ୍ତାହ ରୁ ଉର୍ଦ୍ଧ ଦିନ ହୋଇ ଯାଇଥିଲେ ମଧ୍ୟ ବିଧାୟକଙ୍କୁ ଗିରଫ କରାଯାଇ ନଥିବାରୁ ବିଜେପି ଜନଜାତି ମୋର୍ଚ୍ଚା ପକ୍ଷରୁ ବୁଧବାର ଦିନ ଖୋର୍ଦ୍ଧା ଏସ୍.ପି ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା।

ଭାରତୀୟ ଜନତା ଦଳ ଅନୁସୂଚିତ ଜାତି ମୋର୍ଚ୍ଚାର ଶହ ଶହ ବିଜେପି କର୍ମୀଙ୍କ ସହିତ ବରିଷ୍ଠ ନେତୃମଣ୍ଡଳୀ ମାନେ ଖୋର୍ଦ୍ଧା ଏସ୍.ପି ଅଫିସ ଆଗରେ ଧାରଣା ଦେଇଥିଲେ। ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ, ବିଜେପି ରାଜ୍ୟ ଅନୁସୂଚିତ ଜାତି ମୋର୍ଚ୍ଚାର ସଭାପତି ବିଭୁ ପ୍ରସାଦ ତରାଇ, ଜିଲ୍ଲା ଅନୁସୂଚିତ ଜାତି ମୋର୍ଚ୍ଚାର ସଭାପତି ଶିବ ପ୍ରସାଦ ମଲ୍ଲିକ ପ୍ରମୁଖ ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ଅମାନୁଷିକ କାର୍ଯ୍ୟକୁ କଡ଼ା ନିନ୍ଦା କରିଥିଲେ। ଏହା ସହ ତୁରନ୍ତ ବିଧାୟକ ଜଗଦ୍ଦେଵଙ୍କୁ ଗିରଫ କରିବା ନେଇ ବିଜେପି ପକ୍ଷରୁ ୧୬ ଜଣିଆ ପ୍ରତିନିଧି ମଣ୍ଡଳୀ ଏସ୍.ପି ରାଜ କିଶୋର ଦୋରାଙ୍କୁ ସାକ୍ଷାତ କରି ଦାବିପତ୍ର ପ୍ରଦାନ କରିଥିଲେ।

ତେବେ ଯଥାଶୀଘ୍ର ବିଧାୟକ ଜଗଦ୍ଦେବଙ୍କୁ ଗିରଫ କରାନଗଲେ ଏହି ଆନ୍ଦୋଳନକୁ ରାଜ୍ୟବ୍ୟାପି ସମସ୍ତ ଏସ୍.ପି ଅଫିସ ଆଗରେ ବିକ୍ଷୋଭ କରାଯିବ ବୋଲି ବିଜେପି ପକ୍ଷରୁ ଚେତାବନୀ ଦିଆଯାଇଛି। ଅନୁରୂପ ଭାବେ ଆମେ ବିଜେପି ଜନଜାତି ମୋର୍ଚ୍ଚାର ଗିରଫଦାରୀ ଦାବିପତ୍ର ଗ୍ରହଣ କରିଛୁ।  ଏବଂ ଆଇନ ଅନୁଯାୟୀ ପଦକ୍ଷେପ ନେବୁ ବୋଲି ଏସପି ଶ୍ରୀ ଦୋରା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ଏହି ବିକ୍ଷୋଭ ପ୍ରଦର୍ଶନ କାର୍ଯ୍ୟକ୍ରମରେ ଖୋର୍ଦ୍ଧା ଜିଲ୍ଲା ବିଜେପି ସଭାପତି ଶ୍ରୀ ରଶ୍ମିରଞ୍ଜନ ମହାପାତ୍ର, ଖୋର୍ଦ୍ଧା ବିଧାୟକ ପ୍ରାର୍ଥୀ କାଳୁ ଚରଣ ଖଣ୍ଡାୟତ ରାୟ, ଜଟଣୀର ବିଧାୟକ ପାର୍ଥି ଶ୍ରୀ ବିଶ୍ୱରଂଜନ ବଡ଼ଜେନା, ମହିଳା ମୋର୍ଚ୍ଚା ସଭାନେତ୍ରୀ ପ୍ରବୀଣା ଭଞ୍ଜଦେଓ, ଜିଲ୍ଲା ଉପ-ସଭାନେତ୍ରୀ ରୋଜିନା ରାଣୀ ଦାସ, ଯୁବମୋର୍ଚା ସଭାପତି ପ୍ରଦୀପ ବଡ଼ଜେନା, ସାଧାରଣ ସମ୍ପାଦକ ପ୍ରତାପ ମହାପାତ୍ର, ସମ୍ପାଦକ ମନୋଜ ନନ୍ଦ, ସାଂସଦ ପ୍ରତିନିଧି ଅବନୀ ଜେନା, ରବିନାରାୟଣ ସ୍ବାଇଁ ଏବଂ ଅନେକ ବରିଷ୍ଠ କାର୍ଯ୍ୟକର୍ତ୍ତା ଯୋଗ ଦେଇଥିଲେ ।

Leave a Reply

Your email address will not be published. Required fields are marked *

You may have missed