ବିଶିଷ୍ଟ କର୍ମଚାରୀ ନେତା ଗଗନ ଭଞ୍ଜଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

ଭୁବନେଶ୍ୱର, (ପ୍ରବାହ ନ୍ୟୁଜ୍‌) :ତା ୧ା୩ : ଗଗନ ଭଞ୍ଜ ଜଣେ ସଂଗଠକ ନଥିଲେ, ସେ ଥିଲେ ଏକ ଅନୁଷ୍ଠାନ । ଶ୍ରୀ ଭଞ୍ଜ ତାଙ୍କ ସଂଘର୍ଷମୟ ଜୀବନଚର୍ଯ୍ୟା ମଧ୍ୟରେ ଅନେକ କର୍ମଚାରୀ ସଂଗଠନର ନେତୃତ୍ୱ ନେଇ ସେ କର୍ମଚାରୀ ଜଗତକୁ ଯେଉଁ ଦିଗ୍‌ଦର୍ଶନ ଦେଇଛନ୍ତି ସେଭଳି ପ୍ରକାର ବ୍ୟକ୍ତିତ୍ୱ ମିଳିବା ଅତ୍ୟନ୍ତ ବିରଳ ବୋଲି ଓଡ଼ିଶା ରାଜ୍ୟ ଅଣଗେଜେଟେଡ୍ କର୍ମଚାରୀ ସମନ୍ୱୟ ସମିତି ସହ ସହବନ୍ଧିତ ସଂଗଠନ ଆନୁକୂଲ୍ୟରେ ଅନୁଷ୍ଠିତ ଅବସରକାଳୀନ ସମ୍ବର୍ଦ୍ଧନା ସମାରୋହ ଅବକାଶରେ ବରିଷ୍ଠ ସ୍ତମ୍ଭକାର ପ୍ରଦୋଷ ପଟ୍ଟନାୟକ କହିଛନ୍ତି । ଭୁବନେଶ୍ୱରସ୍ଥିତ କର୍ମଚାରୀ ଭବନ, ୟୁନିଟ୍‌-୫ଠାରେ ଅନୁଷ୍ଠିତ ସମ୍ବର୍ଦ୍ଧନା ସମାରୋହରେ ଅନ୍ୟତମ ଅତିଥି ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର ସମ୍ବର୍ଦ୍ଧନା ସଭାରେ ଯୋଗାଦେଇ କହିଥିଲେ ଯେ, ଶ୍ରୀ ଭଞ୍ଜ ଏକ ଅନନ୍ୟ ପ୍ରତିଭାସମ୍ପନ୍ନ କର୍ମଚାରୀ ନେତା ଥିଲେ । କେବଳ ରାଜ୍ୟର ନୁହଁନ୍ତି, ସମଗ୍ର ଭାରତ ବର୍ଷରେ ବହୁ କର୍ମଚାରୀ ସମାବେଶରେ ଅତିଥି ଭାବେ ଯୋଗଦେଇ କର୍ମଚାରୀମାନଙ୍କର ବିଭିନ୍ନ ଦାବି ସମ୍ବର୍ନ୍ଧରେ ସରକାରଙ୍କ ନିକଟରେ ଉପସ୍ଥାପନ କରିବା ପାଇଁ ପଛାଇ ନାହାଁନ୍ତି । ରାଜ୍ୟର ୧୫ ରୁ ୨୦ ହଜାର ଅସ୍ଥାୟୀ କର୍ମଚାରୀଙ୍କୁ ସ୍ଥାୟୀ ନିଯୁକ୍ତି ପ୍ରଦାନ କ୍ଷେତ୍ରରେ ତାଙ୍କର ଅବଦାନ ଅତୁଳନୀୟ । ସେ ଆଜି ଚାକିରିରୁ ଅବସର ଗ୍ରହଣ କରିଛନ୍ତି ସତ, କିନ୍ତୁ ସେଭଳି ପ୍ରକାର ବ୍ୟକ୍ତିତ୍ୱ ଶେଷ ରକ୍ତବିନ୍ଦୁ ଥିବା ପର୍ଯ୍ୟନ୍ତ କର୍ମଚାରୀମାନଙ୍କୁ ସହାୟତା ପ୍ରଦାନ କରିବେ ବୋଲି ଶ୍ରୀ ମିଶ୍ର ବକ୍ତବ୍ୟ ରଖିଥିଲେ । ଅନ୍ୟମାନଙ୍କ ମଧ୍ୟରେ କର୍ମଚାରୀ ନେତା କୃଷ୍ଣଚନ୍ଦ୍ର ନାୟକ, ରବିନ୍ଦ୍ରନାଥ ଦାସ, ଗଙ୍ଗାଧର ସ୍ୱାଇଁ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିବା ବେଳେ ଓଡ଼ିଶା ପୂର୍ତ୍ତ ସଂଗଠନ ତରଫରୁ ସର୍ବଶ୍ରୀ ଭାଗ୍ୟରଥି ପଟ୍ଟନାୟକ, ନିରଞ୍ଜନ ବାହିନୀପତି, ବିଜୟ କୁମାର ଦାସ, ସରୋଜ କୁମାର ଦାସ, ଶତ୍ରୁଘ୍ନ ଲେଙ୍କା, ରଘୁନାଥ ସାହୁ, ଗାୟତ୍ରୀ ପ୍ରସନ୍ନ ତ୍ରିପାଠୀ, ଖୁଦିରାମ ବେହେରା ପ୍ରମୁଖ କର୍ମଚାରୀ ନେତାମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଶ୍ରୀ ଭଞ୍ଜଙ୍କ କର୍ମଚାରୀ ଜୀବନର ସଂଘର୍ଷମୟ ସ୍ମୃତିକୁ ମନେ ପକାଇବା ପାଇଁ ଅବସରକାଳୀନ “ଅବସର ବାର୍ତ୍ତା” ଉନ୍ମୋଚିତ ହୋଇଥିଲା । ଅନ୍ୟମାନଙ୍କ ମଧ୍ୟରେ ବିଭିନ୍ନ ସଂଗଠନର କର୍ମଚାରୀ ନେତୃବୃନ୍ଦ ସର୍ବଶ୍ରୀ ମନୋଜ କୁମାର ମହାନ୍ତି, ଆଶୀଷ ନନ୍ଦ, ଅରୁଣ କେଶରୀ ପରିଡ଼ା, ପ୍ରମୋଦ ପ୍ରଧାନ, ଅଶୋକ ଚୌଧୁରୀ, ଶ୍ୟାମ ସୁନ୍ଦର ଦାସ, ତପନ ଚୌଧୁରୀ, ସୁରେନ୍ଦ୍ର କୁମାର ଦାସ, ଯଦୁମଣି ପ୍ରଧାନ, ବିଶ୍ୱନାଥ ରାଉଳ ପ୍ରମୁଖ କର୍ମଚାରୀ ନେତୃତ୍ୱମଣ୍ଡଳୀ ଯୋଗଦେଇ ବକ୍ତବ୍ୟ ରଖିଥିଲେ । ଏଥିନିମନ୍ତେ ଗଠିତ ଅଭ୍ୟର୍ଥନା କମିଟିର ସଭାପତି ସୁଧାଂଶୁ ଶେଖର ପତି ସଭାପତିତ୍ୱ କରିଥିଲେ । ଅଜୟ କୁମାର ନାୟକ ସ୍ୱାଗତ ଭାଷଣ ଦେଇଥିଲେ । କଲ୍ୟାଣ ମହାରଣା ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *