ସମ୍ବଲପୁର ରେ ବିଗ ଫାଇଟ : ଉଭୟ ଦଳପାଇଁ କର ବା ମର ପରିସ୍ଥିତି
ନିର୍ଣ୍ଣାୟକ ହେବ କଂଗ୍ରେସ ଭୋଟ
ଭୁବନେଶ୍ୱର, : ଓଡ଼ିଶା ରେ ଏକା ସାଙ୍ଗରେ ଲୋକସଭା ଓ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେଉଥିବା ବେଳେ ଶାସକ ବିଜେଡି ପୁନର୍ବାର ନିର୍ବାଚିତ ହୋଇ ଷଷ୍ଠ ଥର ସରକାର କରିବାକୁ ଉଦ୍ୟମ କରୁଥିବା ବେଳେ ବିପକ୍ଷ ବିଜେପି କିନ୍ତୁ ବିଜେଡିର ବିଜୟ ରଥକୁ ଅଟକାଇବା ପାଇଁ ଅହରହ ଉଦ୍ୟମ ଜାରିରଖିଛି | ଏଭଳି ପରିସ୍ଥିତିରେ ପ୍ରାୟ ଅଧିକାଂଶ ବିଧାନସଭା ଓ ଲୋକସଭା ଆସନରେ କଡା ପ୍ରତିଦ୍ବନ୍ଦିତା ଦେଖିବାକୁ ମିଳିଛି | ମାତ୍ର ଏଥିମଧ୍ୟରୁ ସମ୍ବଲପୁର ଲୋକସଭା ଆସନ ଉଭୟ ବିଜେଡି ଓ ବିଜେପି ଦଳପାଇଁ କର ବା ମର ପରିସ୍ଥିତି ସୃଷ୍ଟି କରିଛି | ବିଜେପି ପକ୍ଷରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରତିଦ୍ବନ୍ଦିତା କରୁଥିବା ବେଳେ ବିଜେଡି ପକ୍ଷରୁ ଦଳର ସଂଗଠନ ସମ୍ପାଦକ ପ୍ରଣବପ୍ରକାଶ ଦାସ ନିର୍ବାଚନ ଲଢୁଛନ୍ତି | ଉଭୟ ନେତାଙ୍କ ହାରଜିତ ସେମାନଙ୍କ ଭବିଷ୍ୟତର କାର୍ଯ୍ୟପନ୍ଥା ନିର୍ଣ୍ଣୟ କରିବ | ଉଭୟଙ୍କ ପାଇଁ ବହୁ ବରିଷ୍ଠ ନେତା ନିର୍ବାଚନ ପ୍ରଚାର କରିଥିବା ବେଳେ ଦେଖିବାକୁ ବାକି ରହିଲା 25 ତାରିଖରେ ସମ୍ବଲପୁରବାସୀ କାହାକୁ ୫ ବର୍ଷପାଇଁ ସେମାନଙ୍କର ନେତା ନିର୍ବାଚିତ କରିବେ | ସମ୍ବଲପୁର ଜିଲ୍ଲାର ଚାରି ଗୋଟି ଯଥା ସମ୍ବଲପୁର, ରେଢ଼ାଖୋଲ, ରେଙ୍ଗାଲି, କୁଚିଣ୍ଡା ଓ ଅନୁଗୁଳ ଜିଲ୍ଲାର ୨ ଯଥା ଛେଣ୍ଡିପଦା, ଆଠମଲ୍ଲିକ ଏବଂ ଦେବଗଡ଼ ବିଧାନସଭା ଆସନକୁ ମିଶାଇ ମୋଟ ୭ ଗୋଟି ବିଧାନସଭା କ୍ଷେତ୍ରକୁ ନେଇ ସମ୍ବଲପୁର ଲୋକସଭା ଆସନ ଗଠିତ |
1998 ,1999,2004 ମସିହାରେ ଏହି ଆସନରେ ବିଜେଡିର ପ୍ରଭାବଶାଳୀ ନେତା ପ୍ରସନ୍ନ ଆଚାର୍ଯ୍ୟ ନିର୍ବାଚିତ ହୋଇଥିଲେ ପରେ 2009 ମସିହାରେ ଏହି ଆସନରୁ କଂଗ୍ରେସ ଦଳର ଅମରନାଥ ପ୍ରଧାନ ନିର୍ବାଚିତ ହୋଇଥିଲେ | ପୁନର୍ବାର 2014 ମସିହାରେ ବିଜେଡିରୁ ନଗେନ୍ଦ୍ର ପ୍ରଧାନ ଏଠାରୁ ନିର୍ବାଚିତ ହୋଇଥିଲେ | ମାତ୍ର 2019 ମସିହାରେ ଏଠାରେ ବିଜେପି ପ୍ରଥମଥର ପାଇଁ ଖାତା ଖୋଲିବା ସହିତ ନୀତେଶ ଗଙ୍ଗଦେବ ବିଜେଡି ଦଳର ପ୍ରାର୍ଥୀ ନଳିନୀକାନ୍ତ ପ୍ରଧାନଙ୍କୁ 9162 ଖଣ୍ଡ ଭୋଟ ବ୍ୟବଧାନରେ ପରାସ୍ତ କରିଥିଲେ | ବିଜେପି ପ୍ରାର୍ଥୀ 473770 (42.13)ଖଣ୍ଡ ଭୋଟ ପାଇଥିବା ବେଳେ ବିଜେଡି ପ୍ରାର୍ଥୀ 464608(41.32) ଖଣ୍ଡ ଭୋଟ ପାଇଥିଲେ | ଏବଂ କଂଗ୍ରେସ ପ୍ରାର୍ଥୀ ଶରତ ପଟ୍ଟନାୟକ 135969(12.09) ଖଣ୍ଡ ଭୋଟ ପାଇଥିଲେ | ଏଠାରେ ହାର ଜିତ ର ବ୍ୟବଧାନ ମାତ୍ର 0.81% ରହିଥିଲା | ୭ ଗୋଟି ବିଧାନସଭା କ୍ଷେତ୍ର ମଧ୍ୟରୁ ରେଢ଼ାଖୋଲ, କୁଚିଣ୍ଡା, ଆଠମଲ୍ଲିକ, ଛେଣ୍ଡିପଦା ବିଧାନସଭା ଆସନ ବିଜେଡି କବ୍ଜାରେ ରହିଥିବା ବେଳେ ସମ୍ବଲପୁର, ରେଙ୍ଗାଲି ଓ ଦେବଗଡ଼ ଆସନ ବିଜେପି କବ୍ଜାରେ ରହିଛି | ମାତ୍ର ଆସନ୍ତା ନିର୍ବାଚନରେ ରେଢ଼ାଖୋଲରେ ତ୍ରିମୁଖୀ ପ୍ରତିଦ୍ବନ୍ଦିତା ହେଉଥିବା ବେଳେ ଅନ୍ୟ ୬ ଗୋଟି l ବିଧାନସଭା ଆସନରେ ବିଜେଡି ଓ ବିଜେପି ମଧ୍ୟରେ ମୁହାଁମୁହିଁ ଲଢେଇ ଦେଖିବାକୁ ମିଳୁଛି | ସାରା ରାଜ୍ୟର ନଜର ଏବେ ସମ୍ବଲପୁର ରେ କେନ୍ଦ୍ରୀଭୂତ ହୋଇଛି | ଉଭୟ ଦଳ ବିଜୟଲାଭ ପାଇଁ କଳ ଓ ବଳ ଖଟାଇଛନ୍ତି | ତେବେ ଦେଖିବାକୁ ବାକି ରହିଲା ଜନତା ଜନାର୍ଦନ 25 ତାରିଖରେ କାହା ମୁଣ୍ଡରେ ସୁନା ମୁକୁଟ ପିନ୍ଧାଉଛନ୍ତି?