ଆଇଆର୍‌ସି ମହାକୁମ୍ଭ ପାଇଁ ପାର୍ବଣମୁଖର ଭୁବନେଶ୍ୱର

  • ଅତିଥି ସତ୍କାର ପାଇଁ ପ୍ରସ୍ତୁତ ରାଜଧାନୀ
  • ଜମିବ ପାରମ୍ପରିକ ନୃତ୍ୟ, ମହକିବ ଓଡ଼ିଆ ଖାଦ୍ୟ

ଭୁବନେଶ୍ୱର, ପ୍ରବାହ ନ୍ୟୁଜ୍ : ବିନା ପର୍ବରେ ବି ପାର୍ବଣ ମୁଖର ହେଲାଣି ରାଜଧାନୀ। ଝଟକିଲାଣି ରାଜପଥରୁ ଏୟାରପୋର୍ଟ। ଇଣ୍ଡିଆନ ରୋଡ୍ସ କଂଗ୍ରେସ (ଆଇଆରସି)ର ମହାମଞ୍ଚ କେବଳ ସଡ଼କ ଓ ଭିତ୍ତିଭୂମିର କଥା ବଖାଣିବ ନାହିଁ, ବରଂ ମାହୋଲକୁ ରଙ୍ଗିନ କରିବ ସାଂସ୍କୃତିକ ମଞ୍ଚ। ଓଡ଼ିଶାର ଶାସ୍ତ୍ରୀୟ ଓ ପାରମ୍ପରିକ ନୃତ୍ୟଠୁ ନେଇ ବଲିଉଡ୍ ନାଇଟ୍‌ରେ ଝୁମିବେ ଆଇଆର୍‌ସିର ଅତିଥି ଓ ପ୍ରତିନିଧି। ପୁଣି ବାଲୁକା କଳାର ଲାଇଭ୍ ସୋ ସାଙ୍ଗକୁ ରୋମାଞ୍ଚ ଭରିବ ଫ୍ୟାସନ ଶୋ’।
ସାଂସ୍କୃତିକ ମଞ୍ଚରେ ସଙ୍ଗୀତ ପରିବେଷଣ କରିବେ ରକ୍‌ଷ୍ଟାର ଋତୁରାଜ ମହାନ୍ତିଙ୍କ ଠାରୁ ନେଇ ଦିଲ୍ ହୈ ହିନ୍ଦୁସ୍ତାନୀ ଫେମ୍ ବର୍ଣ୍ଣାଳୀ ହୋତା। ଆଧୁନିକ ବ୍ୟାଣ୍ଡ ସାଙ୍ଗକୁ ପାରମ୍ପରିକ ଧୁଡ଼ୁକିର ଧୁନ୍‌ରେ ବିଭୋର ହେବେ ଅତିଥି। ନଭେମ୍ବର ୭ ଉଦ୍‌ଘାଟନୀ ସମାରୋହରେ ଓଡ଼ିଶାର ଜଣାଶୁଣା ନୃତ୍ୟାନୁଷ୍ଠାନ ‘ଗୁଞ୍ଜନ ଡ୍ୟାନ୍ସ ଏକାଡେମି’ ପକ୍ଷରୁ ଓଡ଼ିଶୀ ନୃତ୍ୟ ଏବଂ ଶିବାଙ୍ଗୀ ମ୍ୟୁଜିକାଲ୍ ଟ୍ରୁପ୍ ପକ୍ଷରୁ ସଙ୍ଗୀତ ସିମ୍ଫୋନି ପରିବେଷଣ ହେବ । ‘ନକ୍ଷତ୍ର ଗୁରୁକୂଳ’ ପକ୍ଷରୁ ଗୋଟିପୁଅ ତଥା ‘କଳାଜୀବୀ ନୃତ୍ୟାନୁଷ୍ଠାନ’ର ସମ୍ବଲପୁରୀ ଲୋକନୃତ୍ୟର ଝଲକ ଦେଖିବେ ଆଗନ୍ତୁକ।
ନଭେମ୍ବର ୮ ତାରିଖରେ ଦେଖିବାକୁ ମିଳିବ ‘ଓଡ଼ିଶା ଡ୍ୟାନ୍ସ ଏକାଡେମି’ ପକ୍ଷରୁ ଓଡ଼ିଶୀ ନୃତ୍ୟ ଓ ମୟୂରଭଞ୍ଜର ଛଉ ନୃତ୍ୟ । ବଲିଉଡ ନାଇଟରେ ବର୍ଣ୍ଣାଳୀ ହୋତା ଓ ଜୁନିୟର ଇଣ୍ଡିଆନ ଆଇଡଲ୍ ବିଜେତା ଅନନ୍ୟା ଶ୍ରୀତମ ନନ୍ଦ ଦେବେ ସଂଗୀତ ଭେଟି ଦେବା ସହ ଦର୍ଶକ ସାଣ୍ଡ୍ ଆନିମେସନର ଲାଇଭ ଶୋ’ର ମଜା ନେବେ। କେବଳ ସେତିକି ନୁହେଁ, ନଭେମ୍ବର ୯ ତାରିଖରେ ଓଡ଼ିଆ ପାଇକ ବୀରଙ୍କ ଗାଥା ବଖାଣିବା ପାଇଁ ପ୍ରସ୍ତୁତ ‘କଳିଙ୍ଗ ପାଇକ ଆଖଡ଼ା’, ଏହା ପରେ ରୁମକୁଝୁମାନା ପକ୍ଷରୁ ସମ୍ବଲପୁରୀ ନୃତ୍ୟରେ ବିଭୋର ହେବେ ଶ୍ରୋତା ଏବଂ ଶେଷ କାର୍ଯ୍ୟକ୍ରମରେ କ୍ରିଷ୍ଣା ବେଉରାଙ୍କ ସଂଗୀତର ଆସର ଜମିବ।
ଆଇଆରସି ସମ୍ମିଳନୀରେ ମହିଳାମାନଙ୍କୁ ନେଇ ଆୟୋଜିତ ହେବ ସ୍ୱତନ୍ତ୍ର କାର୍ଯ୍ୟକ୍ରମ। ନଭେମ୍ବର ୭ରେ ଗୀତଗୋବିନ୍ଦର ଭକ୍ତି ଧାରା, ଓଡ଼ିଶୀ ନୃତ୍ୟ ସାଙ୍ଗକୁ ଖେଳ ଅଧିବେଶନ ଓ ସଂଗୀତ ଅଧିବେଶନର ମଜ୍ଜା ନେବେ ପ୍ରତିନିଧିବୃନ୍ଦ। ନଭେମ୍ବର ୯ ତାରିଖ ପୂର୍ବାହ୍ଣରେ ମହିଳାମାନଙ୍କୁ ନେଇ ଫ୍ୟାସନ ଓ ରାମ୍ପ୍ ଶୋ’, ଖେଳ ଓ ସଂଗୀତ ଅଧିବେଶନ ସହ ସେହିଦିନ ମହିଳା ପ୍ରତିନିଧିମାନେ ସ୍ଥାନୀୟ ଦର୍ଶନୀୟ ଅଞ୍ଚଳ ପରିଭ୍ରମଣ ଯିବେ।
ମହକିବ ଓଡ଼ିଆ ଖାଦ୍ୟ
ଦେଶ ବିଦେଶରୁ ପ୍ରାୟ ୩୫୦୦ରୁ ଊର୍ଦ୍ଧ୍ୱ ପ୍ରତିନିଧି କାର୍ଯ୍ୟକ୍ରମରେ ଯୋଗଦେବେ। ‘ଅତିଥି ଦେବୋ ଭବଃ’ ଭାବନାକୁ ଧ୍ୟାନରେ ରଖି ସେମାନଙ୍କୁ ଉତ୍ତମ ସୁବିଧା ଓ ସେବା ଯୋଗାଇ ଦେବାକୁ ଉଦ୍ୟମ କରାଯାଉଛି। ଓଡ଼ିଶାକୁ ଆସି ଓଡ଼ିଶାର ବାସ୍ନାକୁ ଯେପରି ସ୍ମୃତିରେ ସାଉଁଟି ଫେରିବେ ସେନେଇ ସେମାନଙ୍କୁ ଓଡ଼ିଆ ଖାଦ୍ୟରେ ଆପ୍ୟାୟିତ କରିବାକୁ ଯୋଜନା ହୋଇଛି। କଟକର ଆଳୁଦମ ଦହିବରାଠୁ ନେଇ କେନ୍ଦ୍ରାପଡ଼ାର ରସାବଳୀ। ପୁଣି ଓଡ଼ିଆଙ୍କ ପଖାଳ କଂସା ହେଉ ଅବା ‘ଡାଲମା’, ଓଡ଼ିଆ ଖାଦ୍ୟର ବିବିଧତା ଅତିଥିଙ୍କ ନିକଟରେ ପହଞ୍ଚାଇବା ପାଇଁ ହୋଟେଲ ଓ ସମ୍ମିଳନୀ ସ୍ଥଳରେ ସମସ୍ତ ବନ୍ଦୋବସ୍ତ କରାଯାଇଛି। ଆମନ୍ତ୍ରିତ ପ୍ରତିନିଧିଙ୍କ ରହିବା ପାଇଁ ସହରରେ ୩୦ଟି ହୋଟେଲରେ ପ୍ରାୟ ୮୦୦ ରୁମ୍ ବୁକିଂ ହୋଇଛି। ପ୍ରତିନିଧିମାନଙ୍କୁ ବିଭିନ୍ନ ଟୁର୍‌ରେ ନେଉଥିବା ବ୍ୟକ୍ତିବିଶେଷ ପ୍ରତିନିଧିମାନଙ୍କୁ କିଭଳି ଉତ୍ତମ ବ୍ୟବହାର କରିବେ ସେନେଇ ପ୍ରଶିକ୍ଷିତ କରାଯାଇଛି।

Leave a Reply

Your email address will not be published. Required fields are marked *