ୟୁପିଆଇ ଦ୍ବାରା ହୋଇପାରିବ ଡିଜିଟାଲ ମୁଦ୍ରାର ନେଣ ଦେଣ, ଗ୍ରାହକଙ୍କ ପାଇଁ ଏସବିଆଇ ଆଣିଲା ସୁବିଧା

ନୂଆଦିଲ୍ଲୀ: ଗ୍ରାହକଙ୍କ ସୁବିଧାକୁ ଦୃଷ୍ଟିରେ ରଖି ବ୍ୟାଙ୍କ୍ ସେବାକୁ ଉନ୍ନତରୁ ଉନ୍ନତ କରାଯାଉଛି। ଇଣ୍ଟରନେଟ୍ ବ୍ୟାଙ୍କିଂ, ୟୁପିଆଇ ଭଳି ସୁବିଧା ଦ୍ବାରା ବ୍ୟାଙ୍କ୍ ସେବାରେ ବ୍ୟାପକ ପରିବର୍ତ୍ତନ ହୋଇଛି। ଆଉ ବ୍ୟାଙ୍କ୍ ସେବାକୁ ଆହରୁ ସରଳୀକରଣ କରିବାକୁ ଗତ ବର୍ଷ ଡିଜିଟାଲ କରେନ୍ସୀ ମଧ୍ୟ ବଜାରକୁ ଆସିଥିଲା। ତେବେ ବର୍ତ୍ତମାନ ଏହି ଡିଜିଟାଲ କରେନ୍ସୀକୁ ଆହୁରି ଲୋକପ୍ରିୟ କରିବା ପାଇଁ ଦେଶର ସବୁଠୁ ବଡ଼ ବ୍ୟାଙ୍କ ଏସବିଆଇ ସୋମବାର ଏକ ନୂଆ ସୁବିଧା ଆରମ୍ଭ କରିଛି।
ଏହି ନୂଆ ସୁବିଧା ଅନୁଯାୟୀ, ଏବେ କୋଟି କୋଟି ଲୋକ ସିଧାସଳଖ ୟୁପିଆଇ ମାଧ୍ୟମରେ ଡିଜିଟାଲ ମୁଦ୍ରାର ନେଣ ଦେଣ କରିପାରିବେ। ଏସବିଆଇ ଏହି ନୂଆ ସୁବିଧା ଦ୍ବାରା ଡିଜିଟାଲ ମୁଦ୍ରାର ବ୍ୟବହାରକୁ ପ୍ରୋତ୍ସାହିତ ହେବା ନେଇ ଅନୁମାନ କରାଯାଉଛି। ଗ୍ରାହକ ଏବେ ୟୋନୋ ଆପ୍ ମାଧ୍ୟମରେ ଡିଜିଟାଲ ମୁଦ୍ରା କିଣିପାରିବେ ଏବଂ ଗ୍ରାହକ ବିନା କୌଣସି ଅସୁବିଧାରେ ୟୁପିଆଇ କ୍ୟୁଆର କୋଡକୁ ସ୍କାନ କରି ସହଜରେ ପେମେଣ୍ଟ କରିପାରିବେ।ନିକଟରେ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ଡିଜିଟାଲ କରେନ୍ସୀକୁ ଲଞ୍ଚ କରିଥିଲା। ଯାହାକୁ ସେଣ୍ଟ୍ରାଲ ବ୍ୟାଙ୍କ ଡିଜିଟାଲ କରେନ୍ସୀ ବା ସିବିଡିସି କୁହାଯାଏ।ଡିଜିଟାଲ ମୁଦ୍ରା ବା ଇ-ମୁଦ୍ରା, ନୋଟ୍ ଏବଂ କଏନ୍ର ଡିଜିଟାଲ ବା ଇଲେକ୍ଟ୍ରୋନିକ୍ ରୂପ ।
ଏହି ଟଙ୍କା ଭାରତୀୟ ରିଜର୍ଭ ବ୍ୟାଙ୍କର ତରଫରୁ ଜାରି କରାଯାଇଥିବା ଡିଜିଟାଲ କରେନ୍ସୀ। ଇ-ମୁଦ୍ରା ଓ୍ବାଲେଟରେ ରେଜିଷ୍ଟର କରିବାପରେ ଆପଣ ଏହା ଦ୍ବାରା ପେମେଣ୍ଟ କରିପାରିବେ। ଏଥିପାଇଁ ଆପଣଙ୍କୁ ଇ-ରୂପୀ ଓ୍ବାଲେଟରେ ଟଙ୍କା ଅପଲୋଡ୍ କରିବାକୁ ହେବ। ଯଦି ଆପଣ ଏସବିଆଇର ଗ୍ରାହକ ତେବେ ଆପଣଙ୍କୁ ଏସବିଆଇ ଆପ୍ର ହୋମ୍ ପେଜ୍କୁ ଯାଇ ଲୋଡ୍ରେ କ୍ଲିକ୍ କରିବାକୁ ହେବ। ଏସବିଆଇରେ ଆପଣଙ୍କ ଲିଙ୍କ୍ ଆକାଉଣ୍ଟରୁ ଟଙ୍କା ଟ୍ରାନ୍ସଫର କରିବା ବିକଳ୍ପ ମିଳିଥାଏ। ଥରେ ଟଙ୍କା ଅପଲୋଡ୍ ହେବା ପରେ ଆପଣ ୟୁପିଆଇ ଦ୍ବାର ଟଙ୍କା ଟ୍ରାନ୍ସଫର କରିପାରିବେ।ଏସବିଆଇ ଏକ ବିବୃତ୍ତିରେ କହିଛି ଯେ, ଏହାର ନୂଆ ସୁବିଧା ଫଳରେ ୟୁପିଆଇକୁ ଡିଜିଟାଲ ଟଙ୍କା ସହ ଇଣ୍ଟରଅପରେବୁଲ କରିଛି।
ଗ୍ରାହକ ଏସବିଆଇ ଆପ୍ ଦ୍ବାରା ଡିଜିଟାଲ ମୁଦ୍ରା କିଣିପାରିବେ। ଏହି ଆପ୍ ସାହାଯ୍ୟରେ ଗ୍ରାହକ କେଉଁଠିବି, ଦୋକାନରେ କିମ୍ବା କୌଣସି ସ୍ଥାନରେ ୟୁପିଆଇ କ୍ୟୁ ଆର କୋଡ୍ ସ୍କାନ କରି ସିଧା ଡିଜିଟାଲ ଟଙ୍କା ଦେଇପାରିବେ।ଏସବିଆଇ ଅନୁଯାୟୀ ଏହି ପଦକ୍ଷେପ ୟୁଜର୍ସଙ୍କୁ ସହଜ ଏବଂ ସୁବିଧା ହେବ। ବ୍ୟାଙ୍କର କହିବା ଅନୁଯାୟୀ ୟୁପିଆଇ ସହ ସିବିଡିସିକୁ ଯୋଡ଼ିବା ଦ୍ବାରା ଲୋକଙ୍କ ମଧ୍ୟରେ ଡିଜିଟାଲ କରେନ୍ସୀର ବ୍ୟବହାର ବଢ଼ିବ। ଏହିଭଳି ଭାବରେ ଲୋକେ ଏବେ ଦୈନିକ ନେଣଦେଣ ପାଇଁ ଡିଜିଟାଲ ଟଙ୍କାର ବ୍ୟବହାର କରିପାରିବେ। ବ୍ୟାଙ୍କ୍ର କହିବା ଅନୁଯାୟୀ, ଏହି ପଦକ୍ଷେପ ଦ୍ବାରା ଡିଜିଟାଲ କରେନ୍ସୀ ଇକୋସିଷ୍ଟମ ପାଇଁ ଗେମ୍ ଚେଞ୍ଜର ହେବ।