ଘଟିଯାଇଛି ଅଭାବନୀୟ ଘଟଣା : ବେଗୁନିଆ ଅଞ୍ଚଳରୁ ମିଳିଲା ଯୁବକଙ୍କ ଝୁଲନ୍ତା ମୃତଦେହ

ଖୋର୍ଦ୍ଧା : ୧୧/୦୨ (ପ୍ରବାହ ନିଉଜ୍) ବେଗୁନିଆ ଥାନା ଅନ୍ତର୍ଗତ ଦେଉଳି ଗ୍ରାମ ପଞ୍ଚାୟତ ଅଧୀନରେ ଥିବା ଗୋଡା ଗ୍ରାମର କାଜୁ ଜଙ୍ଗଲରେ ଦେଖିବାକୁ ମିଳିଛି ଯୁବକଙ୍କ ଝୁଲନ୍ତା ମୃତଦେହ । ମୃତକ ଯୁବକ ଗୋଡ଼ା ଅଞ୍ଚଳର ସାମନ୍ତରାପୁର ଗ୍ରାମର ବିଜୟ ମାଝୀଙ୍କ ପୁଅ ଉପେନ୍ଦ୍ର କୁମାର ପାଇକରାୟ ଓ ମୃତକଙ୍କ ବୟସ ୨୪ ବର୍ଷ ହେବ ବୋଲି ଜଣାପଡିଛି।
ଉପେନ୍ଦ୍ରଙ୍କ ପରିବାର ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଦୁଇଦିନ ଦିନ ତଳେ ପୁଅ ସେଲୁନକୁ ଖିଅର ହେବା ପାଇଁ ଯାଉଛି କହି ଘରୁ ଯାଇଥିଲା, କିନ୍ତୁ ଉପେନ୍ଦ୍ର ଘରକୁ ନ ଫେରିବାରେ ବାଧ୍ୟ ହୋଇ ପରିବାର ଲୋକ ଗତକାଲି ବେଗୁନିଆ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଗତକାଲି ସନ୍ଧ୍ୟାରେ ଗାଁ କାଜୁ ଜଙ୍ଗଲ ଭିତରେ ଉପେନ୍ଦ୍ରଙ୍କ ମୋଟର ସାଇକେଲ ପଡିଥିବା ଖବର ପାଇ ପରିବାର ଲୋକେ କାଜୁ ଜଙ୍ଗଲକୁ ଯାଇ ଖୋଜାଖୋଜି କରିବା ସମୟରେ ଜଙ୍ଗଲ ମଧ୍ୟରେ ଥିବା ଏକ ବରଗଛ ରେ ପୁଅର ମୃତ ଦେହକୁ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ପାଇଥିଲେ ।

ଖବର ପାଇ ବେଗୁନିଆ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଝୁଲନ୍ତା ଅବସ୍ଥାରେ ଥିବା ଉପେନ୍ଦ୍ରଙ୍କ ମୃତ ଦେହକୁ ଉଦ୍ଧାର କରିବା ସହ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ଖୋର୍ଦ୍ଧା ମୁଖ୍ୟ ଚିକିତ୍ସାଳୟକୁ ପଠାଇବା ସହିତ ଘଟଣା ସମ୍ପର୍କରେ ଅଧିକ ତଦନ୍ତ ଜାରି ରଖିଛି ।