ବିଓବି ଦ୍ୱାରା ଲେଖକ ଓ ଅନୁବାଦକଙ୍କୁ “ବ୍ୟାଙ୍କ ଅଫ୍ ବରୋଦା ରାଷ୍ଟ୍ରଭାଷା ସମ୍ମାନ”

ସମ୍ବଲପୁର : ଅଗ୍ରଣୀ ରାଷ୍ଟ୍ରାୟତ୍ତ ବ୍ୟାଙ୍କ, ବ୍ୟାଙ୍କ ଅଫ୍ ବରୋଦା ଦ୍ୱାରା ସାହିତ୍ୟ ଏବଂ ଭାଷା କ୍ଷେତ୍ରରେ ଏକ ଅତୁଳନୀୟ ପଦକ୍ଷେପ ଆରମ୍ଭ କରାଯାଇଛି । ଭାରତୀୟ ଭାଷାଗୁଡିକରେ ସାହିତ୍ୟକ ଲେଖନ କାର୍ଯ୍ୟକୁ ପ୍ରୋତ୍ସାହିତ କରିବା ନିମନ୍ତେ ବ୍ୟାଙ୍କ ପକ୍ଷରୁ “ବ୍ୟାଙ୍କ ଅଫ୍ ବରୋଦା ରାଷ୍ଟ୍ରଭାଷା ସମ୍ମାନ” ନାମରେ ଏକ ପୁରସ୍କାର ଆରମ୍ଭ କରାଯାଇଛି । ବ୍ୟାଙ୍କର ପରିଚାଳନା ନିର୍ଦ୍ଦେଶକ ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ସଞ୍ଜୀବ ଚଡ୍ଡା ଜୟପୁରଠାରେ ଆୟୋଜିତ ଲିଟରେଚର ଫେଷ୍ଟିଭାଲରେ ଏହି ପୁରସ୍କାରର ଆରମ୍ଭ ସମ୍ପର୍କରେ ଘୋଷଣା କରିଥିଲେ । ଏହି
ଅବସରରେ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଅଜୟ କେ. ଖୁରାନା ମଧ୍ୟ ଉପସ୍ଥିତ ଥିଲେ । ଏହି ପୁରସ୍କାର ମୁଖ୍ୟତଃ ଆଞ୍ଚଳିକ ଭାଷାରେ ଲେଖା ଯାଇଥିବା ବଛା ବଛା ଉପନ୍ୟାସର ମୂଳ ଲେଖକ ଓ ଏହାର ଅନୁବାଦକଙ୍କୁ ପ୍ରଦାନ
କରାଯିବ । ପ୍ରତି ବର୍ଷ ସମ୍ମାନିତ ଉପନ୍ୟାସର ମୂଳ ଲେଖକଙ୍କୁ ୨୧ଲକ୍ଷ ତଥା ଅନୁବାଦକଙ୍କୁ ୧୫ଲକ୍ଷ ଓ ଅନ୍ୟ ପାଞ୍ଚଟି ଅନୁବାଦ ଉପନ୍ୟାସର ମୂଳ ଲେଖକ ଓ ଅନୁବାଦକଙ୍କୁ ଯଥାକ୍ରମେ ୩ ଲକ୍ଷ ଓ ୨ ଲକ୍ଷ ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯିବ ।