ପ୍ରଫେଟ୍ ବୟାନ ବିବାଦ ଯୋଗୁଁ ଚାପରେ ବାଂଲାଦେଶ ସରକାର

ଢାକା : ପ୍ରଫେଟ ବୟାନ ବିବାଦକୁ ନେଇ ଭାରତରେ ହିଂସାକାଣ୍ଡ ଚାଲିଥିବାବେଳେ ତାହାର କମ୍ପନ ବାଂଲାଦେଶ ପର୍ଯ୍ୟନ୍ତ ପହଞ୍ଚିଛି । ଲୋକମାନେ ଭାରତ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରୁଥିବାବେଳେ ସରକାର ଚାପରେ ପଡ଼ିଯାଇଛନ୍ତି ।
ଶାସକ ଆଓ୍ବାମୀ ଲିଗର ଜଣେ ନେତା ଖାନଦାକାର ଗୁଲାମ ମୌଲା ନକସବନ୍ଦୀ କହିଛନ୍ତି ଯେ ଭାରତ ହୋଇଥିବା ଘଟଣା ଭାରତର ଆଭ୍ୟନ୍ତରୀଣ ମାମଲା ହୋଇଥିବାସତ୍ତ୍ବେ ତାହାର ପ୍ରଭାବ ବାଂଲାଦେଶ ଉପରେ ପଡ଼ୁଛି । ବିଭିନ୍ନ ବିଭେଦକାରୀ ଶକ୍ତିମାନେ ଏହାର ଫାଇଦା ନେଇ ବାଂଲାଦେଶରେ ଆଇନ ଶୃଙ୍ଖଳା ବିଗାଡ଼ିବାକୁ ଉଦ୍ୟମ କରୁଛନ୍ତି । ଅନ୍ତର୍ଜାତୀୟ ସ୍ତରରେ ଷଡ଼ଯନ୍ତ୍ର ଓ ସ୍ଥାନୀୟ ରାଜନୀତି ଯୋଗୁଁ ବିଭିନ୍ନ ସ୍ଥିତି ସୃଷ୍ଟିହେଉଛି । କିନ୍ତୁ ଯଦି ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରାଯାଏ, ତେବେ ସ୍ଥିତି ଆହୁରି ବିଗିଡ଼ିବାର ଆଶଙ୍କା ରହିଛି ।
ଗତ ଶୁକ୍ରବାରଦିନ ପ୍ରଫେଟ ବିବାଦର ପ୍ରତିକ୍ରିୟା ବାଂଲାଦେଶରେ ବି ଦେଖିବାକୁ ମିଳିଥିଲା । ଢାକାର ବୈତୁଲ ମୁକରମ ମସଜିଦରେ ଲୋକମାନେ ଏକାଠି ହୋଇ ଭାରତ ବିରୋଧୀ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ସ୍ଲୋଗାନ ଦେବା ସହ ଭାରତର ଉତ୍ପାଦ ଉପରେ କଟକଣା ଲଗାଇବାକୁ ଦାବି କରିଥିଲେ ।
ଇସ୍ଲାମୀ ଆନ୍ଦୋଳନ ବାଂଲାଦେଶ ପକ୍ଷରୁ ଢାକା ଓ ବାଂଲାଦେଶର ଅନ୍ୟ ସହରରେ ପ୍ରତିବାଦ ଶୋଭାଯାତ୍ରା କରାଯାଇଥିଲା । ଏହା ସହିତ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଥିଲା ।