ନିଶା ସେବନ ବିରୁଦ୍ଧରେ ସଚେତନତା କାର୍ଯ୍ୟକ୍ରମ

ଭୁବନେଶ୍ୱର, ପ୍ରବାହ ନ୍ୟୁଜ୍‌ : ସାମାଜିକ ଅନୁଷ୍ଠାନ ୟୁଥ୍ ଫର ଭଲ୍ୟୁଣ୍ଟାରି ତରଫରୁ ଦୀର୍ଘଦିନ ହେଲା ନିଶାମୁକ୍ତ ସମାଜ ଗଠନ ଉଦ୍ଦେଶ୍ୟରେ କାର୍ଯ୍ୟକ୍ରମ ଜାରି ରଖିଛି । ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ, ଭିଡ଼ିଓ ଓ ଅଡ଼ିଓ ମାଧ୍ୟମରେ ସଚେତନତା କରାଇବା, ପ୍ରେସ୍ ସମ୍ମିଳନୀ ମାଧ୍ୟମରେ ସରକାରଙ୍କୁ ନିଶାମୁକ୍ତ ସମାଜ ଗଠନ ପାଇଁ ବାରମ୍ବାର ଦାବି କରିବା ପ୍ରଭୃତି କାର୍ଯ୍ୟକ୍ରମ କରିଆସୁଅଛି । ଅନୁଷ୍ଠାନ ତରଫରୁ ଏକ ଅଭିନବ ପ୍ରୟାସ ପ୍ରାରମ୍ଭ କରାଯାଇଛି । ପ୍ରତି ଶନିବାର ଓ ରବିବାର ଓଡ଼ିଶାର ବିଭିନ୍ନ ସ୍ଥାନରେ ନିଶା ସେବନ ବିରୁଦ୍ଧରେ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯିବ । ଆଜି ଏହି ପରିପ୍ରେକ୍ଷୀରେ ଭୁବନେଶ୍ୱର ନିକୋପାର୍କସ୍ଥିତ ନନ୍ଦିନୀପଲ୍ଲୀ ମୁଣ୍ଡାସାହି ବସ୍ତିରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ଅନୁଯାୟୀ ଅନୁଷ୍ଠାନର ସ୍ୱେଚ୍ଛାସେବୀମାନେ ବସ୍ତିର ବିଭିନ୍ନ ଘରକୁ ଯାଇ ନିଶା ସେବନ ଦ୍ୱାରା ଶାରୀରିକ, ମାନସିକ ଓ ଆର୍ଥିକ କ୍ଷତି ସମ୍ବନ୍ଧରେ ସଚେତନ କରାଇବା ସହ ଏହାଦ୍ୱାରା ସମାଜରେ ନାରୀ ନିର୍ଯ୍ୟାତନା, ହିଂସା, ଦୁଷ୍କର୍ମ, ସଡ଼କଜନିତ ଦୁର୍ଘଟଣା, ପାରିବାରିକ କଳହ, ଯୁବ ଛାତ୍ର ସମାଜ ପଥଭ୍ରଷ୍ଟ ହେବା ପ୍ରଭୃତି କୁପ୍ରଭାବ ଘଟିଥାଏ ବୋଲି ସଚେତନତା ମାଧ୍ୟମରେ ଲୋକମାନଙ୍କୁ ବୁଝାଇଥିଲେ । ଏହି କାର୍ଯ୍ୟକ୍ରମରେ ୟୁଥ୍ ଫର ଭଲ୍ୟୁଣ୍ଟାରୀ ୱାର୍କର ଅଧ୍ୟକ୍ଷ ମୀର ଅହମ୍ମଦ ଅଲ୍ଲୀ, ସମାଜସେବୀ ବିଶ୍ୱରଂଜନ ଦାସ ଓ କ୍ଷୀରୋଦ କୁମାର ଜେନା ଉପସ୍ଥିତ ରହି “ନିଶା ଛାଡନ୍ତୁ ଓ ଜୀବନ ବାଛନ୍ତୁ’ “ନିଶା ସେବନ କ୍ୟାନସରର କାରଣ’ ପ୍ରଭୃତି ସ୍ଲୋଗାନ ଦେଇ ଉପସ୍ଥିତ ଲୋକମାନଙ୍କୁ ସଚେତନ କରାଇଥିଲେ ।

Leave a Reply

Your email address will not be published. Required fields are marked *