ସଂକ୍ରମଣରେ ଖୋର୍ଦ୍ଧା ଜିଲ୍ଲା ପ୍ରଥମ ସ୍ଥାନରେ : କରୋନା ମୁକାବିଲା ପାଇଁ ପ୍ରଶାସନର ତତ୍ପରତା

ଖୋର୍ଦ୍ଧା : ୨୨-୦୪-୨୦୨୧: କରୋନାର ଦ୍ୱିତୀୟ ଲହରୀ ଆସିବା ପରେ ସମଗ୍ର ଜିଲ୍ଲାର ସ୍ଥିତି ଅତି ସଙ୍କଟାପନ୍ନ ହେବାରେ ଲାଗିଛି | ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଖୋର୍ଦ୍ଧା ଜିଲ୍ଲା ଏବେ ସମଗ୍ର ରାଜ୍ୟରେ କରୋନା ସଂକ୍ରମିତଙ୍କ କ୍ଷେତ୍ରରେ ପ୍ରଥମ ସ୍ଥାନରେ ରହିଛି ।

ଖୋର୍ଦ୍ଧା ପୌରାଞ୍ଚଳ ସମେତ ଉପଖଣ୍ଡରେ କରୋନା ସଂକ୍ରମଣ ହାର ବେଳକୁ ବେଳ ବଢୁଛି। ଗୁରୁବାର ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତଙ୍କ ୧୧୩୨ ଥିବାବେଳେ କେବଳ ଖୋର୍ଦ୍ଧା ଉପଖଣ୍ଡ ରେ ଆକ୍ରାନ୍ତଙ୍କ ସଂଖ୍ୟା ୬୮ରେ ପହଞ୍ଚିଛି। ଆଜି ମଧ୍ୟରେ ଜିଲ୍ଲାରେ ୫୭ ଜଣଙ୍କ କରୋନା ଜନିତ ମୃତ୍ୟୁ ଘଟଣା ସମସ୍ତଙ୍କୁ ଚିନ୍ତାରେ ପକାଇଦେଇଛି।

ତଥାପି ଚେତୁ ନାହାନ୍ତି କିଛି ଅମାନିଆ। ଏବେ ବି ବେପାରୁଆ ଭାବେ କେତେକ ବିନା ମାସ୍କରେ ବୁଲୁଛନ୍ତି ତ ଆଉ କେତେକ ଫାଇନ ଭୟରେ ନାମକୁ ମାତ୍ର ମାସ୍କ ପିନ୍ଧୁଛନ୍ତି। ପୋଲିସ ପକ୍ଷରୁ ଅମାନିଆଙ୍କୁ ସାବାଡ କରିବା ପାଇଁ ପୋଲିସର ଏକ ସ୍ଵତନ୍ତ୍ର ଟିମ୍ ବଜାର ଏବଂ ଗହଳିପୂର୍ଣ୍ଣ ସ୍ଥାନରେ କଡ଼ାକଡ଼ି ଯାଞ୍ଚ କରାଯାଉଛି। ଏପରିକି ଅମାନିଆଙ୍କ ଠାରୁ ଜୋରିମାନା ମଧ୍ୟ ଆଦାୟ ହେଉଛି।
କିନ୍ତୁ ୧୮ରୁ ୨୨ ବର୍ଷ କଲେଜ ପଢୁଆ ଅମାନିଆ ଛାତ୍ରଛାତ୍ରୀ ସ୍କୁଟି ଓ ବାଇକ୍ରେ ବିନା ମାସ୍କରେ ବୁଲୁଛନ୍ତି। ସେମାନଙ୍କୁ ବାରମ୍ବାର ସଚେତନ କରାଯାଉଥିଲେ ମଧ୍ୟ କୌଣସି ଫରକ ପଡୁନଥିବା ଲକ୍ଷ୍ୟ କରାଯାଇଛି। ତେଣୁ ପୁଲିସ ପକ୍ଷରୁ ଯାଞ୍ଚକୁ କଡାକଡି କରାଯାଇଛି।

କରୋନାର ହିତୀୟ ଲହର ଦ୍ରୁତଗତିରେ ମାଡି ଚାଲୁଥିବାବେଳେ ପ୍ରଶାସନ ରୋକ୍ ଲଗାଇବା ପାଇଁ ବିଭିନ୍ନ ପନ୍ଥା ଅବଲମ୍ବନ କରୁଛି। ସହରରେ ରାତ୍ରିକାଳୀନ କର୍ଫ୍ୟୁ ବଳବତ୍ତର ରହିଥିବା ବେଳେ ସ୍ୱତଃ ପ୍ରବୃତ୍ତ ସମସ୍ତ ବ୍ୟବସାୟୀ ରାତି ୯ଟା ପୂର୍ବରୁ ଦୋକାନ ବଜାର ବନ୍ଦ କରିଦେଉଛନ୍ତି। ହେଲେ କିଛି ଅମାନିଆ ରାତି ୧୦ଟା ଯାଏଁ ବୁଲୁଛନ୍ତି। ପ୍ରତ୍ୟେକ ଦିନ ଜିଲ୍ଲାର ବିଭିନ୍ନ ସ୍ଥାନରେ ପୁଲିସ ପକ୍ଷରୁ ଚେକିଂ କରାଯାଇ ଅମାନିଆଙ୍କଠାରୁ ଜୋରିମାନା ମଧ୍ୟ ଆଦାୟ କରାଯାଉଛି।

ଗତ ୧୪ ତାରିଖରୁ ଆଜି ସୁଦ୍ଧା ଅମାନିଆଙ୍କଠାରୁ ପ୍ରାୟ ୧ଲକ୍ଷ ୧ହଜାର ୬୫୦ଟଙ୍କା ଜୋରିମାନା ଆଦାୟ ହେଲାଣି । ବୁଧବାର ୧୮ ହଜାର ୬ଶହ ଟଙ୍କା ଆଦାୟ ହୋଇଛି; ମାତ୍ର ଏହା ସତ୍ତ୍ବେ ଅନେକ ଲୋକ ଏବେ ମଧ୍ୟ ଖାମଖିଆଲ ହୋଇ ବୁଲୁଛନ୍ତି । ସବୁଠାରୁ ଗୁରୁତ୍ଵପୂର୍ଣ୍ଣ କଥା ହେଉଛି କରୋନାର ହିତୀୟ ଲହରକୁ ଲୋକମାନେ ଗୁରୁତ୍ଵ ସହ ନେଉ ନାହାନ୍ତି। ପ୍ରଥମ ଲହରରେ ଯେପରି କଟକଣା ମାନୁଥିଲେ ଦ୍ଵିତୀୟ ଲହରରେ ସେଭଳି ମାନୁନାହାନ୍ତି।

ପ୍ରଶାସନ ପକ୍ଷରୁ କେବଳ ରାତ୍ରିକାଳୀନ କର୍ଫ୍ୟୁକୁ କଡ଼ାକଡ଼ି ପାଳନ କରାଯାଉଥିବା ବେଳେ ଦିନ ସମୟରେ ବିଭିନ୍ନ ବ୍ୟବସାୟ ପ୍ରତିଷ୍ଠାନ, ହୋଟେଲ ଏବଂ ବଜାରରେ ଗହଳି ଦେଖିବାକୁ ମିଳୁଛି। କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢ଼ିବାର ଅନ୍ୟ କିଛି କାରଣ ମଧ୍ୟ ରହିଛି। କୁମ୍ଭମେଳାରୁ ଫେରିଥିବା ବ୍ୟକ୍ତି ଏବଂ ବାହାର ରାଜ୍ୟ ଫେରନ୍ତାଙ୍କ ଉପରେ ଜିଲ୍ଲା ପ୍ରଶାସନ ସଠିକ ଭାବେ ଦୃଷ୍ଟି ଦେଉ ନାହିଁ। ସେହିଭଳି ଭାବେ ସଂକ୍ରମିତ ବ୍ୟକ୍ତି ସଙ୍ଗରୋଧରେ ନ ରହି ଖୋଲା ଖୋଲି ବାହାରେ ବୁଲିବା ଦ୍ୱାରା ସଂକ୍ରମଣ ବଢୁଥିବାର ଜଣାପଡିଛି।

ଏହା ସହିତ ଜିଲ୍ଲା ପ୍ରଶାସନ ଓ ପୁଲିସ ପକ୍ଷରୁ ମିଳିତ ଭାବେ ସହରର ବିଭିନ୍ନ ସ୍ଥାନରେ ମାସ୍କ ଚେକିଂ ଜାରି ରହିଛି। ଜନଗହଳି ସ୍ଥାନ, ଦୋକାନ ବଜାର, ବ୍ୟବସାୟିକ ପ୍ରତିଷ୍ଠାନ, ପରିବା ଗୋଦାମ ପ୍ରଭୃତି ସ୍ଥାନରେ ବୁଲି ପ୍ରଶାସନିକ ଅଧିକାରୀମାନେ ମାସ୍କ ପିନ୍ଧିବା ଲାଗି ତାଗିଦ କରିବା ସହିତ ନିୟମ ଉଲଂଘନ କାରୀଙ୍କ ଠାରୁ ଜୋରିମାନା ମଧ୍ୟ ଆଦାୟ କରୁଛନ୍ତି।

ତେବେ କାରୋନା କୁ ନେଇ ଆମେ ନିଜେ ସଚେତନ ରହିଲେ ଏବଂ ସର୍ବଦା ମାସ୍କ ପରିଧାନ କଲେ ଏହି ମହାମାରୀ ରୁ ନିଜକୁ ରକ୍ଷା କରିପାରିବା ଓ ସଂକ୍ରମଣରୁ ବର୍ତ୍ତିବାକୁ ହେଲେ ମାସ୍କ ପରିଧାନ ଏକମାତ୍ର ମାଧ୍ୟମ ବୋଲି ଜିଲ୍ଲାପାଳ ଶ୍ରୀ ସନ୍ନତ କୁମାର ମହାନ୍ତି କହିଛନ୍ତି।