ବାରବାଟୀ-କଟକ ଓ ସାଲେପୁରରୁ ପ୍ରାର୍ଥୀ ହେବେ ଅରିନ୍ଦମ !

କଟକ,(ପ୍ରବାହ ନ୍ୟୁଜ୍) : ଆସନ୍ତା ନିର୍ବାଚନ ପାଇଁ ଭାଜପା ପକ୍ଷରୁ ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ ପାଇବା ପରେ ଏବେ ରୋଚକ ମୋଡ ନେବାରେ ଲାଗିଛି କଟକ ରାଜନୀତି । ବାରବାଟୀ-କଟକ ଆସନ ପାଇଁ ବିଜେଡି ପକ୍ଷରୁ ପ୍ରକାଶ ବେହେରାଙ୍କ ନାଁ ଘୋଷଣା ହୋଇସାରିଛି । ଏବେ ସେ ପ୍ରଚାରକୁ ଜୋରଦାର କରିଛନ୍ତି । ହେଲେ ଏପର୍ଯ୍ୟନ୍ତ ଭାଜପା ଓ କଂଗ୍ରେସ ପକ୍ଷରୁ ପ୍ରାର୍ଥୀଙ୍କ ନାଁ ଘୋଷଣା ହୋଇନାହିଁ । ଅପରପକ୍ଷରେ ଅଭିନେତା ଅନୁଭବ ମହାନ୍ତି କିଛିଦିନ ତଳେ ବିଜେଡି ଛାଡି ଭାଜପାରେ ଯୋଗଦେଇଛନ୍ତି । ତେଣୁ ଭାଜପା ତାଙ୍କୁ ବାରବାଟୀ-କଟକ ନଚେତ୍ ସାଲେପୁରରୁ ପ୍ରାର୍ଥୀ କରିବ ବୋଲି ଚର୍ଚ୍ଚା ଜୋର ଧରିଥିଲା । ଭାଜପା ପକ୍ଷରୁ ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ ପାଇଛି । ଏଥିରେ ଅନୁଭବଙ୍କ ନାଁ ରହିଥିବାରୁ ସେ ନିର୍ବାଚନ ଲଢିବା ଆଶା ମଉଳିଯାଇଛି ବୋଲି ଲୋକମାନେ ଆଲୋଚନା କରୁଛନ୍ତି । ଅନୁଭବଙ୍କ ପୂର୍ବରୁ ଅଭିନେତା ଅରିନ୍ଦମ ରାଏ ବିଜେଡି ଛାଡି ଭାଜପାରେ ଯୋଗଦେଇଛନ୍ତି । ଦଳ ଏପର୍ଯ୍ୟନ୍ତ ପ୍ରାର୍ଥୀ ଭାବେ ତାଙ୍କ ନାମ ଘୋଷଣା କରିନି ସତ ହେଲେ ଷ୍ଟାର ପ୍ରଚାରକ ତାଲିକାରେ ତାଙ୍କ ନାମକୁ ତାଲିକାଭୁକ୍ତ କରିନାହିଁ । ତେଣୁ ଦଳ ଏବେ ତାଙ୍କୁ ବାରବାଟୀ-କଟକ ନଚେତ୍ ସାଲେପୁରରୁ ଟିକେଟ ଦେବା ପାଇଁ ଏକ ପ୍ରକାର ନିଶ୍ଚିତ ବୋଲି ଚର୍ଚ୍ଚା ହେଉଛି । ଏନେଇ ଅରିନ୍ଦମ କହିଛନ୍ତି, ଷ୍ଟାର ପ୍ରଚାରକ ଭାବେ ବହୁତ କାମ କରିଛି । ଷ୍ଟାର ପ୍ରଚାରକ ହେବା ପାଇ ମୁଁ ଦଳରେ ଯୋଗଦେଇଛି । ଷ୍ଟାର ପ୍ରଚାରକ ଭାବେ ଦଳ ଯେଉଁମାନଙ୍କ ନାମ ଘୋଷଣା କରିଛି, ସେମାନଙ୍କୁ ସ୍ୱାଗତ କରୁଛି । କିଛିଦିନ ପରେ ଦଳ ପ୍ରାର୍ଥୀ ଘୋଷଣା କରିବ ବୋଲି ସେ କହିଛନ୍ତି ।
ସୂଚନାଯୋଗ୍ୟ, ବାରବାଟୀ-କଟକ ଆସନ ପାଇଁ ଭାଜପା ପକ୍ଷରୁ ଆଶାୟୀଙ୍କ ଲମ୍ବା ତାଲିକା ରହିଛି । ସେଥିମଧ୍ୟରେ ଦଳର ଉପସଭାପତି ଡା. ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ପୂର୍ବତନ ମନ୍ତ୍ରୀ ସମୀର ଦେ, ନେତ୍ରୀ ସମୁର୍ତ୍ତୀ ପଟ୍ଟନାୟକ, କର୍ପୋରେଟର ଗଗନ ଓଝାଙ୍କ ସମେତ ଅନ୍ୟ ନେତା ରହିଛନ୍ତି ।