RJ Anjali Patra

ମୋ କାହ୍ନା ପାଇଁ କି ଖୋଲିଦେଇଛି ମୁଁ …..
“ଭାଷାବିନ୍ଧାଣୀ” ର ଶବ୍ଦ ପେଡିକୁ,
ସାଇତି ଥିବା ସଭିଙ୍କର ଅଭିଳାଷ ଉପହାର ପାଇଁ ।
ବୁଢିଆଣୀ ଜାଲ ପରି ଯେତେ ସବୁ ଶବ୍ଦ ମାନେ
ଛନ୍ଦାଛନ୍ଦି ହୋଇ ଲେଖନୀରେ ଉଦ୍ ଭାଷିତ ହେଲେ ମଧ୍ୟ
ତୁମେ କିନ୍ତୁ ରହିଯାଅ କାହ୍ନା ମୋର ଅପରିଭାଷିତ ।।
ଦେଖୁନ ! ଶବ୍ଦ ସବୁ କେ‌ଁ କାଁ କିଚିରି ମିଚିରି
ଓହ୍ଲାଇ ବାକୁ ଶୁନ୍ ଶାନ୍ କାଗଜରେ
ଖୁନ୍ଦି ହୋଇ ରହିବାକୁ ତୁମ ପାଇଁ ।।
କି ଲେଖିବି ? ଥରେ ହେଲେ କୁହ କାହ୍ନା !
ପ୍ରେମର ସାଗର, ଚେତନା ଚିନ୍ତନ
ପ୍ରୀତି ଉର୍ମୀମାଳା ଅବା ଆତ୍ମର ମନ୍ଥନ ,
ହେଲେ, ଯାହାବି ସଂବୋଧନ ରେ
ତୁମେ ରହିଯାଅ ବୋଧେ ଅପରିଭାଷିତ !!
ଜ୍ଞାନି ବୋଲି ତୁମ ଗୁଣ ବଖାଣିବି,
ଗୋପପୁର ଗୋଧନ ଗୋଠ ଗୋପାଳ,
କଂସ ପାଇଁ ବିଷ , ଭକ୍ତଙ୍କ ଅମୃତ ପାତ୍ର
ଯୁଗାନ୍ତକାରୀ ମାନବ ଅବା ନିର୍ଲିପ୍ତ ପ୍ରେମିକ ଟିଏ
ଚେତନା ଚିନ୍ତକ , ସତୃଷ୍ଣ ହୃଦଚନ୍ଦନ
ନିରୀମାଖି ଯଶୋଦା ବା ଅହଂକାରୀ ଦେବକୀ ର ତୁମେ?
ମଥୁରା ବନ୍ଦିଶାଳାର ନବ ଜାତକ ଅବା
ନନ୍ଦରାଣୀ ବାତ୍ସଲ୍ୟ ଝୁଲଣା,
ତଥାପି ବି ତୁମେ ରହିଯାଆ ଅପରିଭାଷିତ !!
ଋକ୍ମିଣୀଙ୍କ ପ୍ରାଣନାଥ ଅବା ଅଷ୍ଟ ପାଟବଂଶୀଙ୍କର ମଥାର ସିନ୍ଦୂର !
ନଦୀ ପରି ଛଳ ଛଳ ସ୍ରୋତ , ସାଗରର ନୀଳ ଗଭୀରତା ?
ଅମୃତତ୍ତ୍ଵ ଚିନ୍ତନ ଲେଖିବି ଅବା ବିଶେଶ୍ୱର ସମାହାର
ତଥାପି ବି ତୁମେ ରହିଯାଆ ଅପରିଭାଷିତ!!
ଥରେ ହେଲେ ହୃଦ ଖୋଲି କହିଦିଅ କାହ୍ନା !
ତୁମେ ଅବତାର ନା ଅବତାରୀ ?
ମାୟାଧର ନା ମାୟାଧାରୀ ?
ରହିପାରୁନି ନାହିଁ ମୁଁ ମୋ ସାନ୍ତ୍ଵନା ସରହଦରେ ,
ଯାହା ବି ଡାକିଲେ, ଯାହା ବି ଲେଖିଲେ
ତୁମେ ମୋ ପାଇଁ ରହିଯାଆ ଅପରିଭାଷିତ ,
ଅପରିଭାଷିତ ଆଉ ଅପରିଭାଷିତ !!

Leave a Reply

Your email address will not be published. Required fields are marked *