ଆସୁଛି ଆଉ ଏକ ଲଘୁଚାପ, ସକ୍ରିୟ ହେବ ମୌସୁମୀ

ଭୁବନେଶ୍ବର : ଦୀର୍ଘ ଦିନର ବିରତି ପରେ ପୁଣି ଥରେ ରାଜ୍ୟରେ ମୌସୁମୀ ସକ୍ରିୟ ହେବାକୁ ଯାଉଛି। ଆସନ୍ତା ୭ ତାରିଖ ଆଡ଼କୁ ପଶ୍ଚିମ-କେନ୍ଦ୍ରୀୟ ଓ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଏହି ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ। ଏହା ପ୍ରଭାବରେ ରାଜ୍ୟରେ କିଛି ଦିନ ବର୍ଷା ଲାଗି ରହିବା ସହ ମୌସୁମୀ ମଧ୍ୟ ସକ୍ରିୟ ହୋଇଯିବ। ଏଥିଯୋଗୁଁ ସେପ୍ଟେମ୍ବରରେ ରାଜ୍ୟରେ ବର୍ଷାର ପରିମାଣ ସ୍ବାଭାବିକ ରହିବ ବୋଲି ଆଜି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ଡି) ପକ୍ଷରୁ ସୂଚନା ଦିଆଯାଇଛି। ଆଇଏମ୍ଡି କହିଛି ଯେ ୧୦ ଦିନ ହେଲା ରାଜ୍ୟରେ ମୌସୁମୀର ଦୁର୍ବଳ ସ୍ଥିତି ଲାଗି ରହିଥିଲା। ଦିନରେ ପ୍ରଚଣ୍ଡ ଖରା ହେବା ସହ ଅଧିକ ଆର୍ଦ୍ରତା ଯୋଗୁଁ ଗୁଳୁଗୁଳି ଅନୁଭୂତ ହେଉଥିଲା। କିନ୍ତୁ ୭ ତାରିଖ ପରେ ପୁଣିଥରେ ମୌସୁମୀ ସକ୍ରିୟ ହେବା ସହ ବର୍ଷା ଲାଗି ରହିବ।
ଆଞ୍ଚଳିକ ପାଣିପାଗ କେନ୍ଦ୍ରର କହିବାନୁଯାୟୀ ଗୁରୁବାର ଦିନ ମଧ୍ୟ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ନୂଆପଡ଼ା, କଳାହାଣ୍ଡି, ସୁନ୍ଦରଗଡ଼, ଦେବଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବଲାଙ୍ଗୀର, ବରଗଡ଼, ସମ୍ବଲପୁର, ଝାରସୁଗୁଡ଼ା ଓ ସୋନପୁର ଆଦି ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହୋଇଛି। ମୌସୁମୀଜନିତ ନିମ୍ନଚାପରେଖା ବର୍ତ୍ତମାନ ସମୁଦ୍ର ପତ୍ତନଠାରୁ ଅମୃତସର, ରୋହତକ, ବରେଲି, ବାରଣାସୀ, ପାଟଣା, ବାଲୁରଘାଟ ହୋଇ ପୂର୍ବ ଆଡ଼କୁ ନାଗାଲାଣ୍ଡ ଦେଇ ଉତ୍ତର ବାଂଲାଦେଶ ଓ ଆସାମ ଯାଏ ଲମ୍ବିଛି। ରାଜ୍ୟରେ ମୌସୁମୀ ଦୁର୍ବଳ ଥିବାରୁ ଦିନରେ ପ୍ରବଳ ଖରା ହେବା ସହ ଗରମ ଅନୁଭୂତ ହେଉଛି। ଆସନ୍ତା ଦୁଇ ଦିନ ରାଜ୍ୟର କିଛି କିଛି ସ୍ଥାନରେ ତାପମାତ୍ରା ବୃଦ୍ଧି ହୋଇପାରେ। କିନ୍ତୁ ଏହାସହ ଅପରାହ୍ଣ ଆଡ଼କୁ ବର୍ଷା ମଧ୍ୟ ହେବ।

ଆଜି ସୁନ୍ଦରଗଡ଼, ଦେବଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଝାରସୁଗୁଡ଼ା, ସମ୍ବଲପୁର, ଅନୁଗୁଳ, ବୌଦ୍ଧ, କନ୍ଧମାଳ ଓ କଳାହାଣ୍ଡି ଆଦି ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେବ। ୩ ତାରିଖ ଦିନ ମଧ୍ୟ ମାଲକାନଗିରି, କୋରାପୁଟ, ରାୟଗଡ଼ା, ନବରଙ୍ଗପୁର, ଗଜପତି, ଗଞ୍ଜାମ, କନ୍ଧମାଳ, ବୌଦ୍ଧ, କଳାହାଣ୍ଡି, ବଲାଙ୍ଗୀର, ସୋନପୁର, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ ଓ ନୟାଗଡ଼ ଆଦି ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି। ୪ ତାରିଖରୁ ରାଜ୍ୟରେ ପାଗ ସମ୍ପୂର୍ଣ୍ଣ ମେଘୁଆ ରହିବ। ଆସନ୍ତାକାଲି ରାଜଧାନୀ ଓ ଏହାର ଆଖପାଖ ଅଞ୍ଚଳର ଦିନ ତାପମାତ୍ରା ୩୫ ଡିଗ୍ରି ଉପରେ ରହିବ। ଆକାଶ ଆଂଶିକ ମେଘୁଆ ରହିପାରେ। ଅପରାହ୍ଣ ଆଡ଼କୁ ହାଲୁକା ବର୍ଷାର ବି ସମ୍ଭାବନା ରହିଛି। ରାଜ୍ୟରେ ଏବେ ମୌସୁମୀ ଦୁର୍ବଳ ରହିଥିବା ବେଳେ ତାପମାତ୍ରା ବଢ଼ି ବଢ଼ି ଚାଲିଛି। ଅପରାହ୍ଣ ଆଡ଼କୁ ରାଜ୍ୟର କିଛି କିଛି ସ୍ଥାନରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେଉଥିବା ଦେଖିବାକୁ ମିଳୁଛି।
ପାଣିପାଗ କେନ୍ଦ୍ରର ସୂଚନା ମୁତାବକ ଜୁନ୍ ୧ରୁ ସେପ୍ଟେମ୍ବର ୧ ଯାଏ ରାଜ୍ୟରେ ସମୁଦାୟ ୯୯୧.୨ ମିମି ବର୍ଷା ହୋଇଯାଇଛି। ସ୍ବାଭାବିକ ଭାବେ ଏହି ସମୟ ମଧ୍ୟରେ ରାଜ୍ୟରେ ୯୨୨.୩ ମିମି ବର୍ଷା ହୋଇଥାଏ। ସେ ଦୃଷ୍ଟିରୁ ହିସାବ କଲେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୭% ଅଧିକ ବର୍ଷା ହୋଇଯାଇଛି। କନ୍ଧମାଳ, ବୌଦ୍ଧ, ଦେବଗଡ଼, ଢେଙ୍କାନାଳ, କୋରାପୁଟ ଓ ରାୟଗଡ଼ା ଆଦି ୬ଜିଲ୍ଲାରେ ଅତିରିକ୍ତ ବର୍ଷା ରେକର୍ଡ ହୋଇଛି। ରାଜ୍ୟର ଅବଶିଷ୍ଟ ଜିଲ୍ଲାଗୁଡ଼ିକରେ ବର୍ଷା ସ୍ବାଭାବିକ ରହିଥିବା ଜଣାପଡ଼ିଛି।