ବାର୍ଷିକ ପକ୍ଷୀଗଣନା ପ୍ରଶିକ୍ଷଣ ଶିବିର

କରଞ୍ଜିଆ,ପ୍ରବାହ ନ୍ୟୁଜ୍‌ :  କରଞ୍ଜିଆ ବନଖଣ୍ଡ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ଆଜି ଚଳିତବର୍ଷ ପାଇଁ ହେବାକୁ ଥିବା ପକ୍ଷୀଗଣନା ପାଇଁ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ବନଖଣ୍ଡ ଅଧିକାରୀ ଶ୍ରୀକାନ୍ତ ନାଏକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଶିବିରରେ ବନଖଣ୍ଡର କରଞ୍ଜିଆ, ଦୁଧିଆଣି, ଠାକୁରମୁଣ୍ଡା ଓ ସାତକୋଶିଆ ବନାଞ୍ଚଳ ଅଧିକାରୀ, ବନପାଳ, ବନରକ୍ଷୀମାନେ ଯୋଗଦେଇଥିଲେ । ଚଳିତବର୍ଷ ଜାନୁଆରୀ ୧୦ତାରିଖରେ ହେବାକୁ ଥିବା ପକ୍ଷୀଗଣନା ଆସନ୍ତା ୧୮ ତାରିଖ ସକାଳ ୬ରୁ ପୂର୍ବାହ୍ନ ୧୧ଟା ପର୍ଯ୍ୟନ୍ତ ବନଖଣ୍ଡର ୨୭ଗୋଟି ଜଳାଶୟରେ ହେବ ବୋଲି ବନଖଣ୍ଡ ଅଧିକାରୀ ପ୍ରକାଶ କରିଥିଲେ । ୨୭ଗୋଟି ଜଳାଶୟ ମଧ୍ୟରେ କରଞ୍ଜିଆ ବନାଞ୍ଚଳର ୧୦, ଦୁଧିଆଣି ବନାଞ୍ଚଳର ୧୧, ଠାକୁରମୁଣ୍ଡା ବନାଞ୍ଚଳର ୪ ଓ ସାତକୋଶିଆ ବନାଞ୍ଚଳର ୨ଟି ଜଳାଶୟରେ ଦେଶୀ ଓ ବିଦେଶୀ ପକ୍ଷୀଙ୍କ ଗଣନା ହେବ । ବନବିଭାଗର ପକ୍ଷୀଗଣନା ପଦ୍ଧତି ଅନୁଯାୟୀ ପକ୍ଷୀଗଣନା ହେବାକୁ ଥିବା ବେଳେ ଗତ ୨୦୨୨ବର୍ଷରେ ମୋଟ ୬୧ପ୍ରକାର ବିଦେଶୀ ପକ୍ଷୀ ଆସିଥିବା ବେଳେ ୨୦୨୩ରେ ୬୫ ପ୍ରକାର ଓ ୨୦୨୪ରେ ୪୭ ପ୍ରକାର ବିଦେଶୀ ପକ୍ଷୀଙ୍କ ଆଗମନ ହୋଇଥିବା ନେଇ ସହକାରୀ ବନ ସଂରକ୍ଷକ ମଦନ ମୋହନ ମହାନ୍ତ ସୂଚନା ଦେଇଥିଲେ । ବିଶେଷଭାବେ ଦୁଧିଆଣି ବନାଞ୍ଚଳର କୁଞ୍ଜିଆ ଓ ସାତକୋଶିଆ ବନାଞ୍ଚଳର ତରାଡ଼ିଆ କ୍ଷୁଦ୍ର ଜଳସେଚନ ପ୍ରକଳ୍ପରେ ବିଦେଶୀ ପକ୍ଷୀଙ୍କ ସମାଗମ ବହୁଳ ପରିମାଣର ହୋଇଥାଏ ବୋଲି ସେ ପ୍ରକାଶ କରିଥିଲେ । ଶିବିରରେ ବନଖଣ୍ଡ ଅଧିକାରୀ, ସହକାରୀ ବନ ସଂରକ୍ଷକ ପ୍ରଶିକ୍ଷଣ ଦେଇଥିବା ବେଳେ ଉକ୍ତ ଶିବିରରେ ନୋଏଡ଼ାସ୍ଥିତ ଡବ୍ଲ୍ୟୁଟିଆଇ କାର୍ଯ୍ୟାଳୟରୁ ହସ୍ତୀ ପରିଚାଳନା ବିଶେଷଜ୍ଞ ରାକେଶ ମଣ୍ଡଳ ଯୋଗଦେଇ ହାତୀମାନଙ୍କ ଯାତାୟାତ, ଗତିବିଧି, ସୁରକ୍ଷା, ମଣିଷ-ହାତୀ ଲଢେଇ ଉପରେ ସମ୍ୟକ ସୂଚନା ପ୍ରଦାନ କରିଥିଲେ ।

Leave a Reply

Your email address will not be published. Required fields are marked *