‘ହିନ୍ଦୁଧର୍ମ ସୁରକ୍ଷା’ ପାଇଁ ଆନ୍ଧ୍ର ସରକାର ନିର୍ମାଣ କରିବେ ୩ ହଜାର ମନ୍ଦିର, ତିରୁପତି ମନ୍ଦିର ଟ୍ରଷ୍ଟ ଯୋଗାଇବ ପାଣ୍ଠି
ବିଶାଖାପାଟଣା : ହିନ୍ଦୁ ଧର୍ମ ସୁରକ୍ଷା ପାଇଁ ଆନ୍ଧ୍ରପ୍ରଦେଶର ପ୍ରତ୍ୟେକ ଗାଁରେ ଗୋଟିଏ ଲେଖାଏଁ ମନ୍ଦିର ନିର୍ମାଣ କରାଯିବ । ଏଥିପାଇଁ ରାଜ୍ୟ ସରକାର ଅର୍ଥ ଯୋଗାଇବେ ବୋଲି ଘୋଷଣା କରିଥିଲେ ବି ପ୍ରକୃତରେ ଅଧିକାଂଶ ଅର୍ଥ ତିରୁପତି ମନ୍ଦିରର ବାଣୀ ଟ୍ରଷ୍ଟ ହିଁ ଯୋଗାଇବ ।
ଆନ୍ଧ୍ରପ୍ରଦେଶର ଉପମୁଖ୍ୟମନ୍ତ୍ରୀ କୋଟ୍ଟୁ ସତ୍ୟନାରାୟଣ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ୱାଇଏସ ଜଗନ ମୋହନ ରେଡ୍ଡୀଙ୍କ ନିର୍ଦ୍ଦେଶକ୍ରମେ ହିନ୍ଦୁ ଧର୍ମର ସୁରକ୍ଷା ଓ ପ୍ରଚାର ପ୍ରସାର ପାଇଁ ଏହି ପଦକ୍ଷେପ ଆରମ୍ଭ କରାଯାଇଛି । ଧର୍ମଦା ବିଭାଗର ଦାୟିତ୍ୱରେ ଥିବା ସତ୍ୟନାରାୟଣ ମଙ୍ଗଳବାର ଏକ ବିଜ୍ଞପ୍ତିରେ କହିଛନ୍ତି ଯେ ହିନ୍ଦୁ ଧର୍ମର ସୁରକ୍ଷା ଓ ପ୍ରସାର ପାଇଁ ପଛୁଆ ଅଞ୍ଚଳରେ ହିନ୍ଦୁ ମନ୍ଦିର ନିର୍ମାଣ ଆରମ୍ଭ କରାଯାଇଛି ।
ପ୍ରତି ମନ୍ଦିର ପାଇଁ ୧୦ ଲକ୍ଷ ଟଙ୍କା ବ୍ୟୟବରାଦ
ତିରୁମାଲା ତିରୁପତି ଦେବସ୍ଥାନମର ଶ୍ରୀ ବାଣୀ ଟ୍ରଷ୍ଟ ମନ୍ଦିର ନିର୍ମାଣ ପାଇଁ ପ୍ରତ୍ୟେକ ମନ୍ଦିରକୁ ୧୦ ଲକ୍ଷ ଟଙ୍କା ଆବଣ୍ଟନ କରିଛି । ରାଜ୍ୟରେ ୧୩୩୦ଟି ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି । ଏହି ତାଲିକାରେ ଆଉ ୧୪୬୫ଟି ମନ୍ଦିର ମଧ୍ୟ ସାମିଲ ହୋଇଛି । ସେହିପରି କିଛି ବିଧାୟକଙ୍କ ଅନୁରୋଧକ୍ରମେ ଆଉ ୨୦୦ଟି ମନ୍ଦିର ନିର୍ମାଣ କରାଯିବ । ଏହିପରି ଭାବେ ମୋଟ ୩ ହଜାରଟି ମନ୍ଦିର ନିର୍ମାଣ କରାଯିବ ।
କେବଳ ଏତିକି ନୁହେଁ, ରାଜ୍ୟ ସରକାରଙ୍କ ଧୂପ-ଦୀପ ସ୍କିମ୍ ଅନୁସାରେ ପଂଜୀକରଣ କରିଥିବା ପ୍ରାୟ ୫ ହଜାର ମନ୍ଦିରକୁ ମାସିକ ୫ ହଜାର ଟଙ୍କା ମନ୍ଦିର ପୂଜା ଖର୍ଚ୍ଚ ବାବଦରେ ଦିଆଯାଉଛି ବୋଲି ସତ୍ୟନାରାୟଣ କହିଛନ୍ତି ।