ଦିଲ୍ଲୀରେ ଚୟନକର୍ତ୍ତା ଅଜିତ ଅଗରକର

ଖୁବ୍‌ଶୀଘ୍ର ଭାରତୀୟ ଦଳ ଘୋଷଣା

ନୂଆଦିଲ୍ଲୀ(ପ୍ରବାହ ନ୍ୟୁଜ୍‌) : ଟି-୨୦ ବିଶ୍ୱକପ ପାଇଁ ଆଉ ଗୋଟେ ମାସ । ଆସନ୍ତା ଜୁନ୍ ୨ରୁ ୨୯ ଯାଏଁ ୱେଷ୍ଟଇଣ୍ଡିଜ ଓ ଆମେରିକାରେ ଖେଳାଯିବ ଟି-୨୦ ବିଶ୍ୱକପ । ତେବେ ଏହାପୂର୍ବରୁ ଭାରତୀୟ ଟିମ୍ ଚୟନ ନେଇ ପ୍ରକ୍ରିୟା ଆରମ୍ଭ କରିଛି ବିସିସିଆଇ । ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକର ଏହା ମଧ୍ୟରେ ଦିଲ୍ଲୀରେ ପହଞ୍ଚିଛନ୍ତି । ଦିଲ୍ଲୀ ଓ ମୁମ୍ବାଇ ମ୍ୟାଚରେ ଅଜିତ ଅଗରକରଙ୍କୁ ଷ୍ଟାଡିୟମରେ ଦେଖିବାକୁ ମିଳିଥିଲା । ମ୍ୟାଚ୍ ପରେ ଅଧିନାୟକ ରୋହିତଙ୍କ ସହ ଅଗରକର ସମ୍ଭାବ୍ୟ ଟିମ୍ ନେଇ ଅନୌପଚାରିକ ଆଲୋଚନା କରିପାରନ୍ତି । କାରଣ ମେ’ ୧ ସୁଦ୍ଧା ବିସିସିଆଇକୁ ୧୫ ଜଣିଆ ଟିମ୍ ଘୋଷଣା କରିବାକୁ ପଡିବ ।
ଯେହେତୁ ଆଇପିଏଲ ଚାଲିଛି, ତେଣୁ ପ୍ରତି ଖେଳାଳୀଙ୍କ ପ୍ରଦର୍ଶନ ଉପରେ ନଜର ରଖିଛନ୍ତି ଚୟନକର୍ତ୍ତା । ତେବେ ୧୫ ଜଣିଆ ଟିମ୍ ଘୋଷଣା ପୂର୍ବରୁ ରୋହିତଙ୍କ ସହ ଆଲୋଚନା କରି ସମସ୍ତ ଖେଳାଳୀଙ୍କ ପ୍ରଦର୍ଶନ ବାବଦରେ ଜାଣିବାକୁ ଚାହିଁପାରନ୍ତି ଚୟନକର୍ତ୍ତା । ଖାସକରି ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଦଳରେ ସ୍ଥାନ ମିଳିବ କି ନାହିଁ ସେନେଇ ଆଲୋଚନା ହୋଇପାରେ । କାରଣ ହାର୍ଦ୍ଦିକ ଏବେ ଭଲ ଫର୍ମରେ ନଥିବା ବେଳେ ରିଙ୍କୁ ସିଂ ଓ ଶିବମ ଦୁବେ ଦମଦାର ଫର୍ମରେ ରହିଛନ୍ତି । ତେଣୁ କାହାକୁ ୧୫ ଜଣିଆ ଟିମରେ ସ୍ଥାନ ମିଳିବ ତାହା ସବୁଠୁ ବଡ ପ୍ରଶ୍ନ ।
ସେହିଭଳି ୱିକେଟ କିପର ଭାବେ ରେସରେ ଋଷଭ ପନ୍ତ, କେ.ଏଲ ରାହୁଲ ଓ ସଞ୍ଜୁ ସାମସନ ରହିଛନ୍ତି । ତେଣୁ ଏମାନଙ୍କ ମଧ୍ୟରୁ କାହାକୁ ଟିମରେ ସ୍ଥାନ ମିଳିବ ତାହା ଉପରେ ସମସ୍ତଙ୍କର ନଜର ରହିଛି । କାରଣ ୩ ଖେଳାଳୀ ଚଳିତ ଆଇପିଏଲରେ ଦମଦାର ପ୍ରଦର୍ଶନ କରିଛନ୍ତି । କିନ୍ତୁ ବୋଲର ଚୟନକୁ ନେଇ ଚିନ୍ତାରେ ପଡିପାରନ୍ତି ଚୟନକର୍ତ୍ତା । ମହମ୍ମଦ ସାମି ଆହତ ହୋଇ ବାଦ୍ ପଡିଥିବା ବେଳେ ବୁମରା ଆଇପିଏଲରେ ଭଲ ପ୍ରଦର୍ଶନ କରିଛନ୍ତି । କିନ୍ତୁ ଟିମ୍ ଇଣ୍ଡିଆର ନିୟମିତ ବୋଲର ମହମ୍ମଦ ସିରାଜ ଏବେ ପର୍ଯ୍ୟନ୍ତ ଆଇପିଏଲରେ ପ୍ରଭାବୀ ପ୍ରଦର୍ଶନ କରିବାରେ ବିଫଳ ହୋଇଛନ୍ତି । ସେହିଭଳି ଅନ୍ୟ କୌଣସି ଦ୍ରୁତ ବୋଲର ମଧ୍ୟ ସେଭଳି ଆଖିଦୃଶିଆ ପ୍ରଦର୍ଶନ କରିପାରିନାହାନ୍ତି ।

Leave a Reply

Your email address will not be published. Required fields are marked *