କିଟ୍‍ ଓ ୟୁଏନ୍‍ ଭଲ୍ୟୁଣ୍ଟିଅର୍‍ସ ମଧ୍ୟରେ ବୁଝାମଣା

ଭୁବନେଶ୍ୱର,୮ ।୪: କିଟ୍‍ ବିଶ୍ୱବିଦ୍ୟାଳୟ ଓ ୟୁଏନ୍‍ ଭଲ୍ୟୁଣ୍ଟିଅର୍‍ସ (ୟୁଏନ୍‍ଭି) ମଧ୍ୟରେ ସୋମବାର ଏକ ବୁଝାମଣା ସ୍ୱାକ୍ଷରିତ ହୋଇଯାଇଛି। କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ, ଭାରତରେ ଅବସ୍ଥାପିତ ଜାତିସଂଘ ଆବାସିକ ସଂଯୋଜକ ସୋମ୍ବି ସାର୍ପଙ୍କ ଉପସ୍ଥିତିରେ କିଟ୍‍ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଶରଣଜିତ୍‍ ସିଂହ ଓ ୟୁଏନ୍‍ଭିର ଭାରତ ସଂଯୋଜକ ସୁଶିଲ ଚୌଧୁରୀଙ୍କ ମଧ୍ୟରେ ଏହି ବୁଝାମଣାପତ୍ର ଆଦାନପ୍ରଦାନ ହୋଇଥିଲା।
ଏହି ବୁଝାମଣା ଅନୁଯାୟୀ କିଟ୍‍ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଜାତିସଂଘର ବିଭିନ୍ନ ସଂସ୍ଥା ଦ୍ୱାରା କରାଯାଉଥିବା ବିକାଶମୂଳକ କାର୍ଯ୍ୟରେ ନିୟୋଜିତ ହେବେ। ଏଥିପାଇଁ ସେମାନଙ୍କୁ ମଧ୍ୟ ଷ୍ଟାଇପେଣ୍ଡ ପ୍ରଦାନ କରାଯିବ। ଏହି ସୁଯୋଗ ଛାତ୍ରଛାତ୍ରୀମାନଙ୍କୁ ଅନ୍ତର୍ଜାତୀୟ ବିକାଶ କ୍ଷେତ୍ରରେ ମୂଲ୍ୟବାନ ବୃତ୍ତିଗତ ଅଭିଜ୍ଞତା ଆହରଣରେ ସହାୟକ ହେବା ସହ ସେମାନଙ୍କ ଭବିଷ୍ୟତ କ୍ୟାରିଅର ଗଢ଼ି ତୋଳବାରେ ସାହାଯ୍ୟ କରିବ। କୌଣସି ଘରୋଇ ବିଶ୍ୱବିଦ୍ୟାଳୟ ସହ ୟୁଏନ୍‍ଭି ଭଳି ସମ୍ମାନଜନକ ସଂସ୍ଥା ବୁଝାମଣା କରିବା କ୍ଷେତ୍ରରେ ଏହା ହେଉଛି ସମଗ୍ର ଦକ୍ଷିଣ ଏସିଆରେ ପ୍ରଥମ। କିଟ୍‍ ବିଶ୍ୱବିଦ୍ୟାଳୟ ସହ ଏହି ବୁଝାମଣପତ୍ର ସ୍ୱାକ୍ଷର କରିଥିବାରୁ ପ୍ରତିଷ୍ଠାତା ଶ୍ରୀ ସାମନ୍ତ ୟୁଏନ୍‍ଭି ଏବଂ ଭାରତରେ ଏହାର ଆବାସିକ ସଂଯୋଜକ ସୋମ୍ବି ସାର୍ପଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏହି ଅବସରରେ ଶ୍ରୀ ସାମନ୍ତ କହିଛନ୍ତି, ଏହି ବୁଝାମଣା ଯେ କେବଳ ଦୁଇ ଅନୁଷ୍ଠାନ ମଧ୍ୟରେ ସହଭାଗିତା ନୁହେଁ, ଏହା ଛାତ୍ରଛାତ୍ରୀମାନଙ୍କୁ ସେମାନଙ୍କ ସ୍ୱପ୍ନ ପୂରଣ କରିବାରେ ସୁଯୋଗ ପ୍ରଦାନରେ ସହାୟକ ହେବା ସହ ବିଶ୍ୱ ବିକାଶରେ ସେମାନଙ୍କ ଯୋଗଦାନ ନିମନ୍ତେ ସେମାନଙ୍କର ପ୍ରତିଭା ଓ ଦକ୍ଷତା ବିକଶିତ ହୋଇପାରିବ ବୋଲି ସେ କହିଛନ୍ତି। ଶ୍ରୀ ସାର୍ପ କହିଛନ୍ତି, ଏହି ପ୍ରୟାସ ଛାତ୍ରଛାତ୍ରୀମାନଙ୍କୁ ୟୁଏନରେ କାର୍ଯ୍ୟ କରିବାର ପ୍ରତ୍ୟକ୍ଷ ଅଭିଜ୍ଞତା ପ୍ରଦାନ କରିବା ସହ ୟୁଏନ୍‍ର ବିଭିନ୍ନ ସଂସ୍ଥା ଓ ସ୍ଥାନୀୟ ସମ୍ପ୍ରଦାୟ ସହ ମିଶି ସ୍ଥାୟୀ ବିକାଶ ପ୍ରୟାସରେ ସେମାନଙ୍କ ଯୋଗଦାନ ନିମନ୍ତେ ସକ୍ଷମ କରାଇବ। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ନୂଆଦିଲ୍ଲୀସ୍ଥିତ ଜାତିସଂଘ ଆଞ୍ଚଳିକ ସଂଯୋଜକ କାର୍ଯ୍ୟାଳୟର ଚିଫ୍‍ ଅଫ୍‍ ଷ୍ଟାଫ୍‍ ରାଧିକା କାଉଲ ବାତ୍ରା, ୟୁଏନ୍‍ଡିପିର ଓଡ଼ିଶା ମୁଖ୍ୟ ଆଭା ମିଶ୍ର, ଜାତିସଂଘ ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମର ଓଡ଼ିଶା ମୁଖ୍ୟ ହିମାଂଶୁ ବଳ, ୟୁନିସେଫ୍‍ର ଓଡ଼ିଶା ମୁଖ୍ୟ ଉଇଲିୟମ୍‍ ହାନଲନ୍‍ କିସ୍‍ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଦୀପକ କୁମାର ବେହେରା, କିଟ୍‍ ବିଶ୍ୱବିଦ୍ୟାଳୟର କୁଳସଚିବ ପ୍ରଫେସର ଜ୍ଞାନ ରଞ୍ଜନ ମହାନ୍ତି ଓ କିସ ବିଶ୍ଵବିଦ୍ୟାଳୟର କୁଳସଚିବ ଡ ପ୍ରଶାନ୍ତ କୁମାର ରାଉତରାୟ ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *

You may have missed