ଆଦାନିଙ୍କ ସଂପତ୍ତି ରକେଟ୍‌ ବେଗରେ ବୃଦ୍ଧି

ନୂଆଦିଲ୍ଲୀ: ଆଦାନି ଗ୍ରୁପ ମୁଖ୍ୟ ଗୌତମ ଆଦାନିଙ୍କ ସଂପତ୍ତିରେ ଚମତ୍କାର ବୃଦ୍ଧି ଦେଖାଦେଇଛି। ଗତ କିଛି ବର୍ଷ ମଧ୍ୟରେ ସେ ଜଣେ ସାଧାରଣ ବିଲିୟନେୟାର ( ୧୦୦ କୋଟି)ରୁ ବିଶ୍ବର ତୃତୀୟ ବୃହତ୍ ଧନୀବ୍ୟକ୍ତିରେ ପରିଣତ ହୋଇଯାଇଛନ୍ତି। ଏଭଳି ସଫଳତା କୌଣସି ଭାରତୀୟ କିମ୍ବା ଏସୀୟ ବ୍ୟକ୍ତି ପୂର୍ବରୁ ହାସଲ କରିନାହାନ୍ତି। ବ୍ଲୁମବର୍ଗ ବିଲିୟନେୟାର ସୂଚୀରେ ଗୌତମ ଆଦାନିଙ୍କ ସଂପତ୍ତି ଗତ ଶୁକ୍ରବାର ୧୪୧ ବିଲିଅନ ଡଲାର ରହିଥିଲା। କୋଭିଡ-୧୯ର ପ୍ରଥମ ଲହର ସମୟରେ ୨୦୨୦ ମାର୍ଚ୍ଚରେ ଆଦାନିଙ୍କ ସଂପତ୍ତି ୧୦ ବିଲିଅନ ଡଲାରରୁ କମ୍ ରହିଥିଲା। ବିଲିୟନେୟାର ତାଲିକାରେ ଆଦାନି ଦୀର୍ଘବର୍ଷ ଧରି ମୁକେଶ ଅମ୍ବାନିଙ୍କ ଠାରୁ ପଛରେ ରହିଥିଲେ। ଏକ ଦଶନ୍ଧି ପୂର୍ବେ ମୁକେଶ ଅମ୍ବାନିଙ୍କ ସଂପତ୍ତି ୧୮.୭ ବିଲିଅନ ଡଲାର ଥିଲା। ସେହି ସମୟରେ ଗୌତମ ଆଦାନିଙ୍କ ସଂପତ୍ତି ୩.୧ ବିଲିଅନ ଡଲାର ରହିଥିଲା ବୋଲି ଆଇଆଇଏଫଏଲ୍ ୱେଲ୍‌ଥ ହୁରୁନ୍ ଇଣ୍ଡିଆ ରିଚ୍‌ ଲିଷ୍ଟରୁ ଜଣାଯାଇଛି। କିନ୍ତୁ ଆଦାନିଙ୍କ ସଂପତ୍ତି ବର୍ତ୍ତମାନ ଅମ୍ବାନିଙ୍କଠାରୁ ୫୦ ବିଲିଅନ ଡଲାର ଅଧିକ। ଏପରିକି ବିଶ୍ବର ଧନୀ ତାଲିକାର ଦ୍ବିତୀୟ ସ୍ଥାନରେ ଥିବା ଇକମର୍ସ କମ୍ପାନି ଆମାଜନ ମୁଖ୍ୟ ଜେଫ୍‌ ବେଜୋସଙ୍କୁ ମଧ୍ୟ ଆଦାନି ପଛରେ ପକାଇବା ସମ୍ଭାବନା ରହିଛି।

୨୦୨୨‌ରେ ବର୍ତ୍ତମାନ ସୁଦ୍ଧା ଆଦାନିଙ୍କ ସଂପତ୍ତିରେ ୬୫ ବିଲିଅନ ବୃଦ୍ଧି ଘଟିଛି। ବିଶ୍ବରେ ଅନ୍ୟ କୌଣସି ବିଲିୟନେୟାରଙ୍କ ସଂପତ୍ତି ଏହି ସମୟ ମଧ୍ୟରେ ଏତେମାତ୍ରାରେ ବଢ଼ିନାହିଁ। ଜେଫ୍ ବେଜୋସ୍‌ଙ୍କ ସଂପତ୍ତି ଉକ୍ତ ସମୟ ମଧ୍ୟରେ ୪୫.୫ ବିଲିଅନ ଡଲାର ହ୍ରାସ ପାଇ ୧୫୧ ବିଲିଅନ ଡଲାରରେ ରହିଛି। ତେବେ ବିଶ୍ବର ଶୀର୍ଷ ଧନୀ ବ୍ୟକ୍ତି ତଥା ଟେସଲା ଓ ସ୍ପେସଏକ୍ସ ସିଇଓ ଏଲନ ମସ୍କଙ୍କ ସଂପତ୍ତି ୨୪୧ ବିଲିଅନ ଡଲାରରେ ରହିଛି। ଆଦାନିଙ୍କ ସଂପତ୍ତିରେ ଅବିଶ୍ବସନୀୟ ବୃଦ୍ଧିର କାରଣ ହେଲା ଷ୍ଟକ ମର୍କେଯରେ ତାଲିକାଭୁକ୍ତ ତାଙ୍କ କମ୍ପାନି ଗୁଡ଼ିକର ସେୟାର ମୂଲ୍ୟରେ ଦେଖାଦେଇଥିବା ବୃଦ୍ଧି। ଗତ ୫ ବର୍ଷ ମଧ୍ୟରେ ଷ୍ଟକ ମାର୍କେଟରେ ତାଲିକାଭୁକ୍ତ ୫ଟି କମ୍ପାନିର ସେୟାର ମୂଲ୍ୟରେ ୧୨୦୦ ପ୍ରତିଶତରୁ ୭୯୯୨ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ପାଇଛି। ଆଦାନିଙ୍କ ତାଲିକାଭୁକ୍ତ କମ୍ପାନିଗୁଡ଼ିକର ବଜାରମୂଲ୍ୟ ଗତ କିଛିମାସ ମଧ୍ୟରେ ଦୁଇଗୁଣା ବୃଦ୍ଧି ଘଟି ୨୦ ଲକ୍ଷ କୋଟି ଟଙ୍କାରୁ ଅଧିକରେ ପହଞ୍ଚିଛି। ତାଲିକାଭୁକ୍ତ କମ୍ପାନିର ୭ଟି କମ୍ପାନିରେ ଆଦାନି ପରିବାରର ଅଂଶଧନ ୬୦ ପ୍ରତିଶତରୁ ଅଧିକ ରହିଛି। ଦୁଇଟି କାରଣ ଯୋଗୁ ନିବେଶକମାନେ ଆଦାନି ସେୟାର କିଣିବାକୁ ଆଗ୍ରହ ପ୍ରକାଶ କରୁଛନ୍ତି। ଗୋଟିଏ ହେଲା ଭବିଷ୍ୟତରେ ଏହି ଷ୍ଟକ କିଣି ନପାରିବା ଆଶଙ୍କା ଏବଂ ଅନ୍ୟଟି ହେଲା କମ୍ପାନି ଏତେ ବଡ଼ ହୋଇଯାଇଛି ଯେ ବିଫଳ ହେବାର ଆଶଙ୍କା ନାହିଁ।

Leave a Reply

Your email address will not be published. Required fields are marked *