ଗାଁସାଥୀଙ୍କ ତିନିଦିନିଆ ରାଜ୍ୟ ସାଙ୍ଗଠନିକ କର୍ମଶାଳା ଉଦ୍‌ଯାପିତ

ଭୁବନେଶ୍ୱର,ପ୍ରବାହ ନ୍ୟୁଜ୍‌ : ଗାଁସାଥୀ (ମେଟ୍‌) ସଂଘ ମିଳିତ କ୍ରିୟାନୁଷ୍ଠାନ କମିଟି ଓଡ଼ିଶା ପ୍ରଦେଶ ସଂଗଠନ ତରଫରୁ ଚଳିତ ଅଗଷ୍ଟ ୪ ତାରିଖ ଅପରାହ୍ନରୁ ସଂଘର ରାଜ୍ୟ ଅଫିସ୍‌ରୁ ଆରମ୍ଭ ହୋଇଥିବା ରାଜ୍ୟସ୍ତରୀୟ ସାଙ୍ଗଠନିକ କର୍ମଶାଳା ଆଜି ଅପରାହ୍ନ ୪ ଘଟିକାରେ ଉତ୍କଳ ସାମ୍ବାଦିକ ଭବନରେ ବିଧିବଦ୍ଧ ଭାବରେ ସମାପନ ହୋଇଅଛି । ଉକ୍ତ କର୍ମଶାଳାରେ ସାରା ଓଡ଼ିଶାରୁ ଆସିଥିବା ଶତାଧିକ ରାଜ୍ୟ, ଜିଲ୍ଲା ଓ ବ୍ଲକ ସଂଗଠକମାନେ ମିଶି ଗାଁସାଥୀ ମେଟ୍ ମାନଙ୍କର ବିଭିନ୍ନ ପ୍ରକାର ଜିଲ୍ଲା ଓ ବ୍ଲକ ସ୍ତରୀୟ ସମସ୍ୟାର ସମାଧାନ ପାଇଁ ବିଭିନ୍ନ ପ୍ରକାର ସାଙ୍ଗଠନିକ ଖସଡା ପ୍ରସ୍ତୁତ କରିଛନ୍ତି ଓ ଏଥିସହିତ ସଂଗଠନକୁ ତୃଣମୂଳ ସ୍ତରରୁ ରାଜ୍ୟସ୍ତର ଯାଏ ସଶକ୍ତ କରିବା ଲାଗି ସମସ୍ତ ପ୍ରକାର ସାଙ୍ଗଠନିକ ପଦକ୍ଷେପ ସଂଘ ଗ୍ରହଣ କରିଛି ବୋଲି ଏକ ପ୍ରେସ୍ ବିଜ୍ଞପ୍ତି ଜରିଆରେ ଗଣମାଧ୍ୟମକୁ ଜଣାଇଛି ଉକ୍ତ ରାଜ୍ୟ ସଂଘର ସାଧାରଣ ସମ୍ପାଦକ ଶ୍ରୀ ବିବେକାନନ୍ଦ ଠାକୁର । ଉକ୍ତ ସଂଘର ପ୍ରମୁଖ ୨୨ଜଣ ସଭ୍ୟସଭ୍ୟାଙ୍କ ଉପସ୍ଥିତିରେ ସତ୍ୟନଗରସ୍ଥିତ ରାଜ୍ୟ ଅଫିସ୍‌ରୁ ୪ ତାରିଖ ଅପରାହ୍ନ ଅଧିବେଶନ ଶେଷ କରି ସଂଘର ରାଜ୍ୟ ସଭାପତି ଶ୍ରୀ ଲକ୍ଷ୍ମୀଧର ବିଶ୍ୱାଳଙ୍କ ନେତୃତ୍ୱରେ ଏକ ୫ଜଣିଆ ଟିମ୍ ରାଜ୍ୟର ମାନନୀୟ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀଙ୍କୁ ତାଙ୍କ ସରକାରୀ ବାସଭବନରେ ସେଦିନ ସନ୍ଧ୍ୟା ୯ ଘଟିକାରେ ଭେଟି ୪ ଦଫା ଦାବି ଜଣାଇବା ସହିତ ବିଶେଷ ଆଲୋଚନା କରିଥିଲେ । ଏଥିସହିତ ତା’ପରଦିନ ଅର୍ଥାତ୍ ଅଗଷ୍ଟ ୫ ତାରିଖ ସକାଳ ୧୦ ଘଟିକାରେ ଶ୍ରୀ ବିଶ୍ୱାଳଙ୍କ ନେତୃତ୍ୱରେ ସାରା ଓଡ଼ିଶାରୁ ଆସିଥିବା ପ୍ରାୟ ପାଞ୍ଚ ଶହରୁ ଊର୍ଦ୍ଧ୍ୱ ଗାଁସାଥୀ (ମେଟ୍‌) ସଂଗଠକ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ହେଉଥିବା ଅଭିଯୋଗ ପ୍ରକୋଷ୍ଠକୁ ଯାଇଥିଲେ । ସେଠାରେ ବିଧିବଦ୍ଧ ଭାବରେ ସେହି ଚାରିଦଫା ଦାବି ଯଥା- (୧) ସମସ୍ତ ନ୍ୟାୟ ଆଶାୟୀ ଗାଁସାଥୀ (ମେଟ୍‌)ଙ୍କୁ ଉଚିତ୍ କାର୍ଯ୍ୟ ସହିତ ମାସକୁ ୧୦ ହଜାର ଟଙ୍କା ପ୍ରୋତ୍ସାହନ ରାଶି ପ୍ରଦାନ, (୨) ପଞ୍ଚାୟତିରାଜ ବିଭାଗର ଚିଠି ନଂ- ୧୬୯୯୬କୁ ପରିବର୍ତ୍ତନ, (୩) ବର୍ତ୍ତମାନ ସ୍ଥିତିରେ ରାଜ୍ୟରେ ଫାଙ୍କା ହୋଇଥିବା ପ୍ରାୟ ୭ହଜାରରୁ ଅଧିକ ଜିଆରଏସ୍ ପଦବୀରେ ଯୋଗ୍ୟ ଗାଁସାଥୀ (ମେଟ୍‌)ଙ୍କୁ ନିଯୁକ୍ତି, (୪) ପଞ୍ଚାୟତିରାଜ ବିଭାଗରେ ଫାଙ୍କା ହୋଇଥିବା ବା ହେବାକୁ ଥିବା ଅନ୍ୟ ସମସ୍ତ ପଦବୀ ଯଥା- ଏ.ପି.ଓ., ମନରେଗା ଆସିଷ୍ଟାଣ୍ଟ, ଅଡିଟର, ଏମ୍‌.ସି., ଏ.ସି.ପି. (ମନରେଗା), ସି.ପି., ପି.ଇ.ଓ ଆଦି ପଦବୀରେ ସଂରକ୍ଷଣ ଓ ଅଗ୍ରାଧିକାର ଭିତ୍ତିରେ ବୟସ କୋହଳ କରି ଯୋଗ୍ୟ ଗାଁସାଥୀ (ମେଟ୍‌) ମାନଙ୍କୁ ନିଯୁକ୍ତି ଆଦି ଦାବି ନେଇ ମାନ୍ୟବର ଆଇନମନ୍ତ୍ରୀ ଶ୍ରୀଯୁକ୍ତ ପୃଥ୍ୱୀରାଜ ହରିଚନ୍ଦନଙ୍କୁ ଭେଟି ଆଲୋଚନା କରିଥିଲେ ।

ଉତ୍ତରରେ ଆଇନ୍ ମନ୍ତ୍ରୀ ସଂଘର ଦାବି ପୂରଣ ପ୍ରତି ସକରାତ୍ମକ ପ୍ରଶାସନିକ ମନୋଭାବ ସହିତ ସମାଧାନର ରାସ୍ତା ପ୍ରସ୍ତୁତ କରିଛନ୍ତି ବୋଲି ସଂଘ ତରଫରୁ ପ୍ରକାଶ । ସମାଧାନ ଅନୁଯାୟୀ ଖୁବ୍‌ଶୀଘ୍ର ପଞ୍ଚାୟତିରାଜ, ଅର୍ଥ ଓ ଆଇନ୍ ବିଭାଗର ମନ୍ତ୍ରୀ ଓ ସଚିବ ତଥା ଅଧିକାରୀମାନଙ୍କ ସହିତ ସଂଘ ପ୍ରତିନିଧିମାନଙ୍କୁ ନେଇ ଲୋକସଭା ଭବନରେ ଖୁବ୍‌ଶୀଘ୍ର ଏକ ଉଚ୍ଚସ୍ତରୀୟ ବୈଠକ କରାଯାଇ ଦାବିଗୁଡ଼ିକୁ ପୂରଣ କରାଯିବାର ବ୍ୟବସ୍ଥା ହେବାପାଇଁ ଆଇନ୍‌ମନ୍ତ୍ରୀ ବ୍ୟବସ୍ଥା କଲେ ବୋଲି ସଭାପତି ଶ୍ରୀ ବିଶ୍ୱାଳ ଗଣମାଧ୍ୟମକୁ ଜଣାଇଛନ୍ତି । ତିନିଦିନିଆ କାର୍ଯ୍ୟକ୍ରମରେ ଶ୍ରୀ ବିଶ୍ୱାଳ, ଶ୍ରୀ ଠାକୁରଙ୍କ ସମେତ ଅନ୍ୟମାନଙ୍କ ମଧ୍ୟରେ ପ୍ରତାପ ଦଳେଇ, ବଳରାମ ସାହୁ, ନୟନା ନାୟକ, ନିକୁଞ୍ଜ ମହାରଣା, ପ୍ରଫୁଲ୍ଲ ସ୍ୱାଇଁ, ପିତାମ୍ବର ରଣା, ଅନାମ ଚରଣ ରାଉତ, ମସନମିତା ସାମଲ, ଅନୀଲ୍ ଜେନା, ପ୍ରତାପ ପରିଡ଼ା, ପ୍ରତାପ ପଡ଼ିହାରୀ, ମୁକେଶ ଠାକୁର, ମଙ୍ଗୁଳୁ ରଣା, ଗଦାଧର ଶିକା, କ୍ଷୀରସିନ୍ଧୁନାଗ, ତ୍ରିଲୋଚନ ସାହୁ, ଉତ୍ତମ ବୁଡ଼େକ, ଚିତ୍ତରଂଜନ ଶଙ୍ଖୁଆ, ଜନ୍ମେ ଓରାମ୍‌, ସହଦେବ କୁଶୁଳିଆ, ଦିଲ୍ଲିପ ପ୍ରଧାନ ଓ ଅନ୍ୟ ୫୦୦ ରୁ ଊର୍ଦ୍ଧ୍ୱ ରାଜ୍ୟ, ଜିଲ୍ଲା ଓ ବ୍ଲକସ୍ତରୀୟ ଗାଁସାଥୀ (ମେଟ୍‌) ସଂଗଠକମାନେ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *