ବିଜୁପଟ୍ଟନାୟକ କ୍ରୀଡ଼ା ପୁରସ୍କାର, ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ କିସ୍ ଛାତ୍ରଛାତ୍ରୀ

ଭୁବନେଶ୍ୱର, ୩  ।୯: ବିଭିନ୍ନ କ୍ରୀଡ଼ାରେ ସଫଳତା ଲାଭ କରିଥିବା କିସ୍‌ର ୫୫ ଛାତ୍ରଛାତ୍ରୀ ଚଳିତବର୍ଷ ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ଲାଭ କରିଛନ୍ତି। ଏହି ଅବସରରେ ଆଜି କିସ୍ ଛାତ୍ରଛାତ୍ରୀମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇଥିଲେ। କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ କୃତି କ୍ରୀଡ଼ାବିତ୍‌ଙ୍କୁ ସମ୍ବର୍ଦ୍ଧିତ କରିବା ଅବସରରେ କହିଲେ, ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଓଡ଼ିଶାରେ କ୍ରୀଡ଼ା ଓ କ୍ରୀଡ଼ାବିତ୍‌ଙ୍କୁ ସର୍ବଦା ପ୍ରୋତ୍ସାହନ ଯୋଗାଇ ଆସୁଛନ୍ତି।

ଏଥିପାଇଁ ଆଜି ଓଡ଼ିଶାରୁ ଜାତୀୟ ଓ ଅନ୍ତର୍ଜାତୀୟସ୍ତରର ବହୁ କ୍ରୀଡ଼ାବିତ୍ ସୃଷ୍ଟି ହୋଇପାରିଛନ୍ତି। କିଟ୍ ଓ କିସ୍‌ର ବହୁ ଛାତ୍ରଛାତ୍ରୀ ଜାତୀୟ ଓ ଅନ୍ତର୍ଜାତୀୟସ୍ତରରେ ଓଡ଼ିଶାକୁ ଗୌରବ ଆଣିଦେଇଛନ୍ତି। କିସ୍‌ର କ୍ରୀଡ଼ାବିତ୍‌ମାନଙ୍କୁ ମୁଖ୍ୟମନ୍ତ୍ରୀ ସର୍ବଦା ଉତ୍ସାହିତ କରି ଆସୁଥିବାରୁ ଆମେ କିଟ୍ ଓ କିସ୍ ପରିବାର ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ସହ କୃତଜ୍ଞତା ଜଣାଉଛୁ। କ୍ରୀଡ଼ାବିତ୍‌ଙ୍କୁ ପ୍ରୋତ୍ସାହିତ କରିବା ପାଇଁ ସର୍ବାଧିକ ଅର୍ଥ ରାଶି ପ୍ରଦାନ କରିବାରେ ଓଡ଼ିଶା ଦେଶର ଏକମାତ୍ର ରାଜ୍ୟ ବୋଲି ଶ୍ରୀ ସାମନ୍ତ କହିଥିଲେ।

ନିଷ୍ଠା ଓ ଏକାଗ୍ରତାର ସହ କ୍ରୀଡ଼ା ଜାରି ରଖି ଆଗକୁ ଜାତୀୟ ଓ ଅନ୍ତର୍ଜାତୀୟସ୍ତରରେ ସଫଳତା ଆଣିବା ଲାଗି ସେ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ। ସୂଚନାଯୋଗ୍ୟ, ଚଳିତବର୍ଷ ଓଡ଼ିଶାରୁ ମୋଟ ୩୮୮ ଜଣଙ୍କୁ ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ପ୍ରଦାନ କରାଯାଇଥିବା ବେଳେ ଏଥିରେ କେବଳ କିସ୍‌ର ୫୫ ଛାତ୍ରଛାତ୍ରୀ ରହିଛନ୍ତି। ସେଥି ମଧ୍ୟରୁ କେବଳ ରଗ୍‌ବୀରେ ସର୍ବାଧିକ ୪୧ଜଣ କ୍ରୀଡ଼ାବିତ୍ ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ପାଇଛନ୍ତି। ଏହା ସହ କିଟ୍ ଓ କିସ୍‌ର ଅନେକ ଛାତ୍ରଛାତ୍ରୀ ଚଳିତବର୍ଷ ଜାତୀୟ ଓ ଏସୀୟ କ୍ରୀଡ଼ା ପ୍ରତିଯୋଗିତା ପାଇଁ ମନୋନୀତ ହୋଇଛନ୍ତି।

Leave a Reply

Your email address will not be published. Required fields are marked *