ଟିପିସିଓଡିଏଲ୍ ପକ୍ଷରୁ ଟାଟା ସଷ୍ଟେନେବିଲିଟି ମାସ ୨୦୨୩ ପାଳିତ


ଭୁବନେଶ୍ୱର: ସଷ୍ଟେନେବଲ୍ ବ୍ୟବସାୟ ପ୍ରଥାର ପ୍ରସାର କରିବା ନିମନ୍ତେ ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟିପି ସେଂଟ୍ରାଲ୍ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିସିଓଡିଏଲ୍‌) ପକ୍ଷରୁୂ ସଷ୍ଟେନେବିଲିଟି ମାସ ୨୦୨୩ ପାଳନ କରାଯାଇଛି । ପ୍ରତିବର୍ଷ ଟାଟା ସଷ୍ଟେନେବିଲିଟି ଗ୍ରୁପ୍ ପକ୍ଷରୁ ଆୟୋଜନ କରାଯାଉଥିବା ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ ହେଉଛି ପରିବେଶ ଉପରେ ସକାରାତ୍ମକ ପ୍ରଭାବ ସୃଷ୍ଟି କରିବା ଲାଗି ପରସ୍ପର ଏକଜୁଟ ହୋଇ ପଦକ୍ଷେପ ଗ୍ରହଣ କରିବା ନିମନ୍ତେ କର୍ମଚାରୀମାନଙ୍କୁ ଉତ୍ସାହିତ କରିବା ।


ଏହି କାର୍ଯ୍ୟକ୍ରମର ଚଳିତ ବର୍ଷର ବିଷୟବସ୍ତୁ ହେଉଛି ‘ପ୍ଲାଷ୍ଟିକ୍ ପ୍ରଦୂଷଣ ପାଇଁ ସ୍ମାର୍ଟ ସମାଧାନ’ । ପ୍ଲାଷ୍ଟିକ୍ ପ୍ରଦୂଷଣ ଓ ତାହାର ଘାତକ ପ୍ରଭାବ ଏବଂ ସୂଚନା ଆଧାରରେ ପଦକ୍ଷେପ ଗ୍ରହଣ କରି ପ୍ଲାଷ୍ଟିକ୍ ପ୍ରଦୂଷଣର ସ୍ମାର୍ଟ ସମାଧାନ ବିଷୟରେ ସଚେତନତା ସୃଷ୍ଟି କରିବାକୁ ‘ବିଟ୍ ପ୍ଲାଷ୍ଟିକ୍ ପଲ୍ୟୁସନ’ ଅଭିଯାନ ଆୟୋଜନ କରାଯାଇଛି । ପରିବେଶ ସଂରକ୍ଷଣର ଗୁରୁତ୍ୱ ବିଷୟରେ ଜଣାଇବା ଲାଗି ଟିପିସିଓଡିଏଲ୍ ପକ୍ଷରୁ କର୍ମଚାରୀ, ସେମାନଙ୍କ ପରିବାର, ଗ୍ରାହକ ଓ ସ୍କୁଲ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ଓ ପ୍ରତିଯୋଗିତା ଆୟୋଜନ କରାଯାଇଛି । ଏହି କାର୍ଯ୍ୟକ୍ରମଗୁଡ଼ିକରେ ୧୦୦୦ରୁ ଅଧିକ କର୍ମଚାରୀ ଓ ସେମାନଙ୍କ ପରିବାର ଉତ୍ସାହର ସହ ଯୋଗ ଦେଇଥିଲେ ।


ମାସବ୍ୟାପୀ ପାଳନ କରାଯାଇଥିବା ଏହି କାର୍ଯ୍ୟକ୍ରମରେ ଟିପିସିଓଡିଏଲ୍‌ର ବିଭିନ୍ନ କାର୍ଯ୍ୟାଳୟ ଯଥା କର୍ପୋରେଟ୍ କାର୍ଯ୍ୟାଳୟ, ମାର୍ଶାଘାଇ, ବିଇଡି, ନିମାପଡ଼ା, ପାରାଦୀପ ଓ ଜଗତସିଂହପୁରର ଡିଭିଜନ କାର୍ଯ୍ୟାଳୟ ଏବଂ କଟକ ଓ ଢେଙ୍କାନାଳର ସର୍କଲ୍ କାର୍ଯ୍ୟାଳୟରେ ପ୍ଲାଷ୍ଟିକ୍ ବର୍ଜ୍ୟ ସଂଗ୍ରହ ଅଭିଯାନ ଆୟୋଜନ କରାଯାଇଥିଲା । ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସହଯୋଗରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆୟୋଜନ କରାଯିବା ସହ ଚଳିତ ବର୍ଷ ୫୦୦ରୁ ଅଧିକ ଚାରା ରୋପଣ କରାଯାଇଛି ।
ବିଶ୍ୱ ପରିବେଶ ଦିବସ ଅବସରରେ ଟିପିସିଓଡିଏଲ୍ ପକ୍ଷରୁ ଏହାର ପ୍ରୋଜେକ୍ଟ ଟିମ୍ ପାଇଁ ୧୫ ଇଲେକ୍ଟ୍ରିକ୍ ବାଇକ୍‌ର ଶୁଭାରମ୍ଭ କରାଯାଇଥିଲା । ଏହି ଇଭି ଯାନଗୁଡ଼ିକ ପ୍ରଭାବରେ ବର୍ଷକୁ ସିଓ୨ ନିର୍ଗମନ ୭୨.୯ ଟନ୍ ହ୍ରାସ ପାଇବ ଏବଂ କଂପାନି ଏହାକୁ ଆହୁରି ବ୍ୟାପକ କରିବାକୁ ଯୋଜନା ରଖିଛି ।
ଅନୁଗୁଳ ଓ ନୟାଗଡ଼ ସ୍କୁଲରେ କ୍ଲବ୍ ଏନର୍ଜି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ଯେଉଁଥିରେ ୧୫୦ରୁ ଅଧିକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ । ଏହି ଅବସରରେ ଲୋକମାନଙ୍କ ଭିତରେ ଶକ୍ତି ଓ ସମ୍ବଳ ସଂରକ୍ଷଣ, ବିଦ୍ୟୁତ ଓ ସଡ଼କ ସୁରକ୍ଷା ଓ ପ୍ଲାଷ୍ଟିକ୍ ପ୍ରଦୂଷଣ ହ୍ରାସ କରିବା ଲାଗି ସ୍ମାର୍ଟ ଊପାୟ ବ୍ୟବହାର ଆଦି ଉପରେ ସଚେତନତା ସୃଷ୍ଟି କରାଯାଇଥିଲା ।


ଭୁବନେଶ୍ୱରରେ ଏହି କାର୍ଯ୍ୟକ୍ରମର ସମାପନ ଉତ୍ସବ ଆୟୋଜିତ କରାଯାଇଥିଲା । ଏଥିରେ କଂପାନିର ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ ଓ ସଷ୍ଟେନେବିଲିଟି ମାସରେ କର୍ମଚାରୀମାନଙ୍କ ଅବଦାନକୁ ସେଥିରେ ସ୍ୱୀକୃତି ପ୍ରଦାନ କରାଯାଇଥିଲା । ପ୍ରତିଯୋଗିତାରେ ଆସିଥିବା କିଛି ଶ୍ରେଷ୍ଠ ଆବେଦନକୁ ଏହି ସମାରୋହରେ ପ୍ରଦର୍ଶିତ କରାଯାଇଥିଲା ।
ଏହି ଅବସରରେ ଟିପିସିଓଡିଏଲ୍‌ର ସିଇଓ ଶ୍ରୀ ଅରବିନ୍ଦ ସିଂହ କହିଛନ୍ତି ଯେ, “ପ୍ଲାଷ୍ଟିକ୍ ପ୍ରଦୂଷଣର ମୁକାବିଲା ପାଇଁ ସଷ୍ଟେନେବଲ୍ ସମାଧାନ ଗ୍ରହଣ କରିବାକୁ ଟିପିସିଓଡିଏଲ୍‌ରେ ଆମେ ପ୍ରବତିଦ୍ଧ ରହିଛୁ । ଆମେ ଆଶା କରୁଛୁ ଯେ ଟାଟା ସଷ୍ଟେନେବିଲିଟି ମାସରେ ଅଂଶଗ୍ରହଣ କରି ଆମେ ସଷ୍ଟେନେବିଲିଟିର ଏକ ସଂସ୍କୃତି ସୃଷ୍ଟି କରିବାରେ ସକ୍ଷମ ହୋଇଛୁ ଏବଂ ଆମ ଗ୍ରହର ସଂରକ୍ଷଣ ଲାଗି ସ୍ମାର୍ଟ ସମାଧାନ ଗ୍ରହଣ କରିବାରେ ଆମ ଉଦ୍ୟମ ସହାୟକ ହେବ ।’’

Leave a Reply

Your email address will not be published. Required fields are marked *