କୃଷି ଓ କୃଷକ ସଶକ୍ତିକରଣ ବିଭାଗର ଗୁରୁତ୍ୱପୂର୍ଣ୍ଣ ସଫଳତା ରାଜ୍ୟ କୃଷି ଓ କୃଷକଙ୍କ ବିକାଶ କ୍ଷେତ୍ରରେ ଅନେକ ମାଇଲ ଖୁଣ୍ଟ ଅତିକ୍ରମ କରିଛି: କୃଷି ମନ୍ତ୍ରୀ ଶ୍ରୀ ସ୍ୱାଇଁ

0
R-3.jpg


• ବିଗତ ୨୩ ବର୍ଷରେ ଖାଦ୍ୟଶସ୍ୟ ଦୁଇଗୁଣରୁ ଅଧିକ ବୃଦ୍ଧି ପାଇ ରେକର୍ଡ ୧୩୬.୦୭ ଲକ୍ଷ ମେଟି୍ରକ୍‌ ଟନ୍‌ରେ ପହଞ୍ଚିଛି
• ପନିପରିବା ଏହି ସମୟ ମଧ୍ୟରେ ୩ ଗୁଣ ବୃଦ୍ଧି ପାଇ ୯୮.୫୨ ଲକ୍ଷ ମେଟି୍ରକ୍‌ ଟନ ହୋଇଛି
• ମିଲେଟ୍‌ ମିଶନ ସମସ୍ତ ୩୦ଟି ଜିଲ୍ଲାର ୧୭୭ଟି ବ୍ଲକ୍‌କୁ ସଂପ୍ରସାରିତ ହୋଇଛି
• କାଳିଆ ଯୋଜନାରେ ୪୩.୦୪ ଲକ୍ଷ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଏବଂ ୧୮.୭୨ ଲକ୍ଷ ଭୂମିହୀନ କୃଷି ପରିବାରକୁ ୧୧,୬୦୦ କୋଟିରୁ ଊଦ୍ଧ୍ୱର୍ ଟଙ୍କା ସହାୟତା ପ୍ରଦାନ କରାଯାଇଛି
• ୧୬୨୪ ଜଣ ଛାତ୍ରଛାତ୍ରୀଙ୍କୁ ୩.୯୦ କୋଟି ଟଙ୍କା କାଳିଆ ବୃତ୍ତି ପ୍ରଦାନ
• ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର ସର୍ବାଙ୍ଗୀନ ବିକାଶ ଏବଂ ଏହାକୁ ଏକ ଉତ୍କର୍ଷ କେନ୍ଦ୍ର ରୂପେ ଗଢ଼ି ତୋଳିବା ପାଇଁ ୭୨୭ କୋଟି ଟଙ୍କା ବ୍ୟୟ କରାଯାଉଛି
• ୨୦୨୨-୨୩ ବର୍ଷରେ ୯୦୦ କୋଟି ଟଙ୍କାର କୃଷି ଯନ୍ତ୍ରପାତି ବିକି୍ର
• କୃଷି ଯନ୍ତ୍ରପାତି କ୍ରୟରେ ସାଧାରଣ ଚାଷୀଙ୍କ ପାଇଁ ୪୦ରୁ ୬୦ ପ୍ରତିଶତ ଓ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ପାଇଁ ୭୫ ପ୍ରତିଶତ ରିହାତି ପ୍ରଦାନ
• କୃଷକ ଓଡ଼ିଶା ଡାଟାବେସ୍‌ରେ ୭୬ ଲକ୍ଷ ୩୦ ହଜାର ଚାଷୀ ସାମିଲ

ଭୁବନେଶ୍ୱର, ୦୨/୦୬/୨୦୨୩ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ବିଗତ ୪ ବର୍ଷର ବିଭିନ୍ନ ଯୋଜନାର ଧାର୍ଯ୍ୟ ଲକ୍ଷ୍ୟ ଓ ସଫଳତା ବାବଦରେ ସମୀକ୍ଷା କରିଛନ୍ତି । କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଏ ନେଇ ବିସ୍ତୃତ ସୂଚନା ଦେବା ସହିତ ବିଭିନ୍ନ ଲକ୍ଷ୍ୟ ହାସଲରେ ବିଗତ ୪ ବର୍ଷ ମଧ୍ୟରେ ବିଭାଗ ପକ୍ଷରୁ ଅନ୍ୟାନ୍ୟ ରୂପାନ୍ତରଣଶୀଳ ପଦକ୍ଷେପଗୁଡ଼ିକ ବାବଦରେ ଉଲ୍ଲେଖ କରିଥିଲେ ।
ଆଜି ଗୀତଗୋବିନ୍ଦ ସଦନରେ ସାମ୍ବାଦିକମାନଙ୍କୁ ସୂଚନା ଦେଇ ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି ଯେ ଓଡ଼ିଶାର ଜନସଂଖ୍ୟାର ଏକ ବୃହତ୍‌ ଅଂଶ ନିଜର ଜୀବିକାନୀର୍ବାହ ପାଇଁ କୃଷି ଉପରେ ନିର୍ଭରଶୀଳ । ସେଥିପାଇଁ ରାଜ୍ୟ ସରକାର କୃଷକମାନଙ୍କର ଆୟ ବୃଦ୍ଧି ଓ ସେମାନଙ୍କୁ ସଶକ୍ତ କରିବା ଉଦ୍ଦେଶ୍ୟରେ କୃଷିର ବିକାଶ ଉପରେ ସର୍ବାଧିକ ଗୁରୁତ୍ୱ ଦେଇଆସୁଛନ୍ତି ।

ଏତଦ୍‌ବ୍ୟତୀତ ସରକାର ଏକ ସୁଦୂରପ୍ରସାରୀ ଓ ବଳିଷ୍ଠ କୃଷିନୀତି ସହିତ ବିଭିନ୍ନ କୃଷି ଉନ୍ନୟନମୂଳକ ପଦକ୍ଷେପ ଉପରେ ସ୍ୱତନ୍ତ୍ର ଧ୍ୟାନ ଦେଇଆସୁଛନ୍ତି । ବିଗତ ବର୍ଷ ମାନଙ୍କରେ କୃଷି କ୍ୟାବିନେଟ, ସ୍ୱତନ୍ତ୍ର କୃଷି ବଜେଟ୍‌ ଓ କୃଷି କ୍ଷେତ୍ରରେ ଅଧିକ ପୁଞ୍ଜି ନିବେଶ ଏହି ବିକାଶ ପ୍ରକ୍ରିୟାକୁ ଆହୁରି ତ୍ୱରାନ୍ୱିତ କରିଛି । ଫଳରେ ରାଜ୍ୟ କୃଷି ବିକାଶ କ୍ଷେତ୍ରରେ ଅନେକ ମାଇଲ ଖୁଣ୍ଟ ଅତିକ୍ରମ କରିଛି ।


କୃଷି ଓ କୃଷକ ସଶକ୍ତିକରଣ ବିଭାଗର ବିଭିନ୍ନ ସଫଳତା ବାବଦରେ ଉଲ୍ଲେଖ କରି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଲେ ଯେ ବର୍ତ୍ତମାନ ଆମ ରାଜ୍ୟ ଖାଦ୍ୟଶସ୍ୟ ଉତ୍ପାଦନ କ୍ଷେତ୍ରରେ କେବଳ ସ୍ୱାବଲମ୍ବୀ ନୁହେଁ ବରଂ ଏକ ବଳକା ରାଜ୍ୟରେ ପରିଣତ ହୋଇପାରିଛି । ଭାରତୀୟ ଖାଦ୍ୟ ନିଗମ ଦ୍ୱାରା ଧାନ ସଂଗ୍ରହ କ୍ଷେତ୍ରରେ ଓଡ଼ିଶା ଦେଶର ଚତୁର୍ଥ ବୃହତ ରାଜ୍ୟ ରୂପେ ଉଭା ହୋଇପାରିଛି । ରାଜ୍ୟରେ ୨୦୦୦-୦୧ ବର୍ଷରେ ୫୫.୩୫ ଲକ୍ଷ ଟନ ଖାଦ୍ୟଶସ୍ୟ ଉତ୍ପାଦନ ହୋଇଥିଲା । ବିଗତ ୨୩ ବର୍ଷ ମଧ୍ୟରେ ଏହା ଦୁଇ ଗୁଣରୁ ଅଧିକ ବୃଦ୍ଧି ପାଇ ୨୦୨୨-୨୩ ବର୍ଷରେ ସର୍ବାଧିକ ୧୩୬.୦୭ ଲକ୍ଷ ଟନରେ ପହଞ୍ଚିଛି । ପନିପରିବା ଉତ୍ପାଦନ କ୍ଷେତ୍ରରେ ଆମ ରାଜ୍ୟ ଅନୁରୂପ ଅଗ୍ରଗତି କରିଛି । ୨୦୦୦-୦୧ ମସିହାରେ ୩୩.୩୭ ଲକ୍ଷ ମେଟ୍ରିକ ଟନ ପନିପରିବା ଉତ୍ପାଦନ ହୋଇଥିବା ସ୍ଥଳେ ୨୦୨୨-୨୩ ମସିହାରେ ଏହା ପ୍ରାୟ ୩ ଗୁଣ ବୃଦ୍ଧିପାଇ ୯୮.୫୨ ଲକ୍ଷ ମେଟ୍ରିକ ଟନରେ ପହଞ୍ଚିପାରିଛି । ରାଜ୍ୟ ନିୟମିତ ବ୍ୟବଧାନରେ ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେଉଥିବା ସତ୍ତେ୍ୱ ଖାଦ୍ୟ ଉତ୍ପାଦନରେ ଉଲ୍ଲେଖନୀୟ ଅଗ୍ରଗତି ହାସଲ କରିପାରିଛି, ଯାହା ଆମକୁ ଏକ ବ୍ୟବସ୍ଥିତ କୃଷି କ୍ଷେତ୍ରର ପୁନଃସ୍ଥିରତାର ପରିଚୟ ଦେଇଛି ।


ମନ୍ତ୍ରୀ ଶ୍ରୀ ସ୍ୱାଇଁ ପୁଣି କହିଲେ ଯେ ବିଲୁପ୍ତ ପ୍ରାୟ ଲଘୁଶସ୍ୟ ଗୁଡ଼ିକର ପୁନରୁଦ୍ଧାର ସହିତ ପୁଷ୍ଟି ସାଧନ ପାଇଁ ରାଜ୍ୟ ସରକାର ଓଡ଼ିଶା ମିଲେଟ ମିଶନ୍‌ କାର୍ଯ୍ୟକ୍ରମ ୨୦୧୭-୧୮ ମସିହାରୁ ଶୁଭାରମ୍ଭ କରିଛନ୍ତି । ଲଘୁଶସ୍ୟକୁ କ୍ଷେତରୁ ଖାଦ୍ୟପାତ୍ରର ପୁନଃପ୍ରବର୍ତ୍ତନ ନୀତି, କୃଷି ପାଇଁ ବୃଷ୍ଟିପାତ ଉପରେ ନିର୍ଭରଶୀଳ ଅଞ୍ଚଳର କ୍ଷୁଦ୍ର ଓ ନାମମାତ୍ର ଚାଷୀ, ବିଶେଷ କରି ଜନଜାତି ଚାଷୀଙ୍କୁ ଜୀବିକାନିର୍ବାହରେ ସହାୟତା ପ୍ରଦାନ କରିବା ସହିତ ସେମାନଙ୍କୁ ପୌଷ୍ଟିକ ନିରାପତ୍ତା ଯୋଗାଇ ଦେବାରେ ସହାୟକ ହୋଇପାରିଛି । ଏଣୁ ୨୦୨୩ ମସିହାରୁ ଏହି ଯୋଜନା ଯଥୋଚିତ ଭାବେ ୩୦ ଗୋଟି ଜିଲ୍ଲାର ୧୭୭ ବ୍ଲକକୁ ସମ୍ପ୍ରସାରିତ ହୋଇଛି । ଓଡ଼ିଶା ସର୍ବନିମ୍ନ ସହାୟକ ମୂଲ୍ୟରେ ମାଣ୍ଡିଆ ସଂଗ୍ରହ କରୁଥିବା ଦେଶର ଏକମାତ୍ର ରାଜ୍ୟ । ୬.୦୩ ଲକ୍ଷ କ୍ୱିଣ୍ଟାଲ ଲଘୁଶସ୍ୟ ସଂଗ୍ରହ, ଲଘୁଶସ୍ୟ ଚାଷୀଙ୍କ ଆୟରେ ସ୍ଥିରତା ଆଣିବାରେ ସହାୟକ ହୋଇପାରିଛି । ଭାରତ ସରକାରଙ୍କ ନିତି ଆୟୋଗ ଓଡ଼ିଶା ରାଜ୍ୟର କ୍ଷୁଦ୍ରଶସ୍ୟ ପ୍ରୋତ୍ସାହନକୁ ଏକ ଅଗ୍ରଣୀ ବ୍ୟବସ୍ଥା ଭାବେ ଅଭିହିତ କରିଛନ୍ତି ଓ ଏଥିରୁ କେତେକ ଶିକ୍ଷଣୀୟ ବିଷୟ ଅନ୍ୟ ରାଜ୍ୟମାନଙ୍କୁ ଅନୁକରଣ କରିବା ପାଇଁ ପରାମର୍ଶ ଦେଇଛନ୍ତି । ଜାତିସଂଘର ଆନ୍ତର୍ଜାତିକ କୃଷି ବିକାଶ ପାଣ୍ଠି ଓ ଖାଦ୍ୟ ଓ କୃଷି ସଂଗଠନ, ଓଡ଼ିଶା କ୍ଷୁଦ୍ରଶସ୍ୟ ମିଶନ୍‌ ବ୍ୟବସ୍ଥାକୁ କୃଷି ପରିବେଶ ଜନିତ ବିଭିନ୍ନ କାର୍ଯ୍ୟକ୍ରମ ଗ୍ରହଣ କରିବା ପାଇଁ ଉପଯୁକ୍ତ ବୋଲି ବିବେଚନା କରିଛନ୍ତି । ଆନ୍ତର୍ଜାତିକ କ୍ଷୁଦ୍ରଶସ୍ୟ ବର୍ଷକୁ ଦୃଷ୍ଟିରେ ରଖି କ୍ଷୁଦ୍ରଶସ୍ୟ ଗୁଡ଼ିକର ପ୍ରାଧାନ୍ୟକୁ ବିଶ୍ୱ ସ୍ତରରେ ପ୍ରତିପାଦିତ କରିବା ଉଦ୍ଦେଶ୍ୟରେ ପ୍ରଥମ ରାଜ୍ୟ ଭାବେ ଓଡ଼ିଶା ସରକାର ନଭେମ୍ବର ୧୦ ତାରିଖକୁ ‘ମାଣ୍ଡିଆ ଦିବସ’ ରୂପେ ପାଳନ କରୁଛନ୍ତି ।


ରାଜ୍ୟର କ୍ଷୁଦ୍ର, ନାମମାତ୍ର କୃଷକଙ୍କୁ ଚାଷ ଏବଂ ଭୂମିହୀନ କୃଷି ପରିବାର ମାନଙ୍କର ଜୀବିକାନିର୍ବାହ ପାଇଁ ଆର୍ଥିକ ସହାୟତା ଯୋଗାଇଦେବା ନିମନ୍ତେ ୨୦୧୮ ମସିହାରୁ କାଳିଆ ଯୋଜନା କାର୍ଯ୍ୟକାରୀ ହୋଇଆସୁଅଛି । ସମଗ୍ର ଦେଶରେ ଏହି ଯୋଜନା କୌଣସି ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା ପ୍ରଥମ ସାର୍ବଜନୀନ ମୌଳିକ ଆୟ ବୃଦ୍ଧିକାରୀ ଯୋଜନା ଅଟେ । ଏପର୍ଯ୍ୟନ୍ତ ‘କାଳିଆ’ ଯୋଜନାରେ ୪୩.୦୪ ଲକ୍ଷ କ୍ଷୁଦ୍ର ଓ ନାମମାତ୍ର ଚାଷୀ, ୧୮.୭୨ ଲକ୍ଷ ଭୂମିହୀନ କୃଷି ପରିବାରକୁ ସହାୟତା ପ୍ରଦାନ ସହିତ ୧୬୨୪ ଜଣ ଛାତ୍ରଙ୍କୁ କାଳିଆ ଛାତ୍ରବୃତ୍ତି ପାଇଁ ଆର୍ଥିକ ସହାୟତା ପ୍ରଦାନ କରାଯାଇଅଛି । ରାଜ୍ୟ ସରକାରଙ୍କ କୃଷକ କଲ୍ୟାଣକାରୀ ଯୋଜନା ‘କାଳିଆ’ ଉପରେ ଚାଷୀମାନଙ୍କ ବିଶ୍ୱାସ ଦୃଢୀଭୂତ କରିବା ତଥା ସେମାନଙ୍କ ବିକାଶ ନିମନ୍ତେ ଏକ ବଳିଷ୍ଠ ପୃଷ୍ଟଭୂମି ଯୋଗାଇ ଦେବାରେ ସହାୟକ ହୋଇଛି ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ ପ୍ରକାଶ କରିଛନ୍ତି ।
କୃଷି କ୍ଷେତ୍ରରେ ଶ୍ରମ ଲାଘବ, ଚାଷ ଖର୍ଚ୍ଚ କମ୍‌ କରିବା ଏବଂ ଉପଯୁକ୍ତ ସମୟରେ ଚାଷ କାର୍ଯ୍ୟ ସମାପ୍ତ କରିବା ପାଇଁ କୃଷି ଯନ୍ତ୍ରପାତିର ବ୍ୟବହାରକୁ ପ୍ରୋତ୍ସାହିତ କରାଯାଉଛି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟର ପ୍ରତ୍ୟେକ ଜିଲ୍ଲାରେ କୃଷି ଯନ୍ତ୍ରପାତି ମେଳାମାନ ଆୟୋଜନ କରାଯାଉଛି । ଫଳରେ ୨୦୨୨-୨୩ ଆର୍ଥିକ ବର୍ଷରେ ୯୦୦ କୋଟି ଟଙ୍କା ମୂଲ୍ୟର ବିଭିନ୍ନ କୃଷି ଯନ୍ତ୍ରପାତି ଏବଂ ଆନୁଷଙ୍ଗିକ ଉପକରଣ ବିକି୍ର ହୋଇଛି । ସାଧାରଣ ଚାଷୀଙ୍କ ପାଇଁ ଶତକଡ଼ା ୪୦ରୁ ୬୦ ଏବଂ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ପାଇଁ ଶତକଡ଼ା ୭୫ ଭାଗ ପର୍ଯ୍ୟନ୍ତ ରିହାତି ବୃଦ୍ଧି ବିଭିନ୍ନ କୃଷି ଯନ୍ତ୍ରପାତି ଗୁଡ଼ିକୁ ଅଧିକ ଲୋକପ୍ରିୟ କରାଇବାରେ ସହାୟକ ହୋଇଛି । କୃଷି ଯାନ୍ତ୍ରିକୀକରଣର ପ୍ରସାର ପାଇଁ ହେଉଥିବା ବ୍ୟାପକ ପ୍ରଚେଷ୍ଟା ଫଳରେ ରାଜ୍ୟରେ କୃଷି କ୍ଷେତ୍ରରେ ଶକ୍ତି ଉପଲବ୍ଧତା ୨୦୦୦-୦୧ ବର୍ଷରେ ହେକଫର ପ୍ରତି ୦.୬୧ କିଲୋୱାଟରୁ କ୍ରମାଗତ ଭାବେ ବୃଦ୍ଧିପାଇ ୨୦୨୧-୨୨ ବର୍ଷରେ ୨.୨୩ କିଲୋୱାଟରେ ପହଞ୍ଚିଛି । ଆଗାମୀ ଦୁଇ ବର୍ଷରେ ଏହାକୁ ହେକଫର ପ୍ରତି ୨.୫ କିଲୋୱାଟକୁ ବୃଦ୍ଧି କରାଯିବ । ବର୍ତ୍ତମାନ ପ୍ରତ୍ୟେକ ସବ୍‌-ଡିଭିଜନ ସ୍ତରରେ କୃଷି ଯନ୍ତ୍ରପାତି ମେଳାମାନ ଆୟୋଜନ କରାଯିବାର ଯୋଜନା ରହିଛି ।


ରାଜ୍ୟରେ କୃଷି କ୍ଷେତ୍ରରେ ଅଧିକରୁ ଅଧିକ ପ୍ରଯୁକ୍ତି ବିଦ୍ୟା ବ୍ୟବହାର ନିମନ୍ତେ ସମ୍ମିଳିତ ଉଦ୍ୟମ କରାଯାଉଛି । ‘କୃଷକ ଓଡ଼ିଶା’ ହେଉଛି ରାଜ୍ୟର ସମସ୍ତ କୃଷି ଓ ଆନୁଷଙ୍ଗିକ କ୍ଷେତ୍ରର କୃଷକ, କୃଷି ପରିବାର ଓ କୃଷି ଶ୍ରମିକମାନଙ୍କର ଏକ ବୃହତ୍‌ ଡାଟାବେସ୍‌ ଯାହା ରାଜ୍ୟର କୋଣ ଅନୁକୋଣରେ ଥିବା ପ୍ରତ୍ୟେକ ଚାଷୀଙ୍କ ପାଖରେ ପହଞ୍ଚିବା ଉଦ୍ଦେଶ୍ୟରେ ପ୍ରସ୍ତୁତ କରାଯାଇଛି । ସମସ୍ତ କୃଷି ସାମଗ୍ରୀ ପ୍ରଦାନ ଓ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମର ତଦାରଖ ପ୍ରକ୍ରିୟାକୁ ଅନଲାଇନ୍‌ କରାଯାଇଛି ଓ ବିଭିନ୍ନ ପ୍ରୋତ୍ସାହନ ରାଶି ଡିବିଟି ମାଧ୍ୟମରେ ଚାଷୀମାନଙ୍କୁ ଯୋଗାଇ ଦିଆଯାଉଛି । ବର୍ତ୍ତମାନ ସୁଦ୍ଧା ‘କୃଷକ ଓଡ଼ିଶା’ ଡାଟାବେସ୍‌ ରେ ୭୬ ଲକ୍ଷ ୩୦ ହଜାର ଚାଷୀଙ୍କ ସମ୍ପର୍କରେ ୯୦ କିସମର ବିଭିନ୍ନ ସୂଚନା ଉପଲବ୍ଧ ।
କୃଷି ଋଣ ପାଇଁ ସରଳୀକୃତ ବ୍ୟବସ୍ଥା ‘ସଫଲ’ ଜରିଆରେ ୪୦ରୁ ଊଦ୍ଧ୍ୱର୍ ବିଭିନ୍ନ ସରକାରୀ ଓ ବେସରକାରୀ ବ୍ୟାଙ୍କଗୁଡିକର ୩୦୦ ପ୍ରକାରର ଋଣ ସେବାକୁ ନେଇ ଏକକ ଅନ୍‌-ଲାଇନ ପୋର୍ଟାଲ ସଫଲ ରାଜ୍ୟରେ କାର୍ଯ୍ୟକାରୀ କରାଯାଇଛି । କୃଷି ଓ ଆନୁଷଙ୍ଗିକ କ୍ଷେତ୍ରରେ ଋଣ ଆବେଦନ ନିମନ୍ତେ କୃଷି ଉଦ୍ୟୋଗୀମାନଙ୍କ ପାଇଁ ଏହା ଏକ ବରଦାନ ସଦୃଶ, ଯାହା ସମସ୍ତ ସୂଚନା ଯୋଗାଇବା ସଙ୍ଗେ ସଙ୍ଗେ ଆଦାନ ପ୍ରଦାନ ପାଇଁ ସୁବିଧା ଯୋଗାଇଥାଏ । ସମଗ୍ର ଦେଶରେ ଏପରି ଏକ ବ୍ୟବସ୍ଥା ଆରମ୍ଭ କରିବାରେ ଓଡ଼ିଶା ପ୍ରଥମ ରାଜ୍ୟ । ‘ଗୋ ସୁଗମ’ ପୋର୍ଟାଲ ରାଜ୍ୟରେ କୃଷି ଓ ଆନୁଷଙ୍ଗିକ କ୍ଷେତ୍ରର ବିକାଶ ପାଇଁ ସମସ୍ତ ସୁବିଧା ଯୋଗାଇ ଦେବା ଓ କାର୍ଯ୍ୟକ୍ରମ ପାଇଁ ଏକକ ବାତାୟନ (ସିଙ୍ଗଲ୍‌ ୱିନ୍‌ଡୋ) ପୋର୍ଟାଲ ଭାବେ ବିକଶିତ କରାଯାଇଛି । ସମ୍ପ୍ରସାରଣ ସେବାକୁ ସୁଦୃଢ କରିବା ତଥା କୃଷକମାନଙ୍କୁ ସଠିକ ସମୟରେ ଆବଶ୍ୟକ ସୂଚନା ଯୋଗାଇଦେବା ନିମନ୍ତେ ରାଜ୍ୟରେ ‘ଆମ କୃଷି’ ନାମରେ କୃଷକମାନଙ୍କୁ ମୋବାଇଲ ଫୋନ ଆଧାରିତ ଏକ ଦ୍ୱିପାକ୍ଷିକ ବାର୍ତ୍ତା ବିନିମୟ ସମ୍ପ୍ରସାରଣ ବ୍ୟବସ୍ଥା କାର୍ଯ୍ୟକାରୀ କରାଯାଉଛି । କୃଷକମାନଙ୍କୁ ସେମାନଙ୍କର ପ୍ରଶ୍ନର ଉତ୍ତର ତୁରନ୍ତ ଯୋଗାଇଦେବା ନିମନ୍ତେ ଏକ ଲାଇଭ କଲ୍‌ କେନ୍ଦ୍ର (ଶୁÂ ବିହୀନ ନଂ- ୧୫୫୩୩୩) ପ୍ରତିଷ୍ଠା କରାଯାଇଛି । ଏପର୍ଯ୍ୟନ୍ତ ୫୪.୪୭ ଲକ୍ଷ ଚାଷୀ ଏହି କାର୍ଯ୍ୟକ୍ରମରେ ପଞ୍ଜିକୃତ ହୋଇଛନ୍ତି । ଅଦ୍ୟାବଧି ୬୩.୩୧ କୋଟିରୁ ଅଧିକ କୃଷି ସମ୍ପର୍କିତ ପରାମର୍ଶ ଚାଷୀମାନଙ୍କୁ ପ୍ରେରଣ କରାଯାଇଛି ।
ବିଭିନ୍ନ ଯୋଜନାରେ ଗ୍ରହଣ କରାଯାଉଥିବା ଉନ୍ନୟନମୂଳକ କାର୍ଯ୍ୟକ୍ରମର ପ୍ରକୃତ ସମୟ ଆଧାରିତ ଅଗ୍ରଗତି ସମ୍ବନ୍ଧରେ ନିରୀକ୍ଷଣ କରିବା ତଥା ନିୟୋଜିତ କ୍ଷେତ୍ର କର୍ମଚାରୀଙ୍କଠାରୁ ମତାମତ ଗ୍ରହଣ କରିବା ଉଦ୍ଦେଶ୍ୟରେ ରାଜ୍ୟ ସ୍ତରରେ କୃଷି ସମୀକ୍ଷା କେନ୍ଦ୍ର ପ୍ରତିଷ୍ଠା କରାଯାଇଛି । ଏହା ଦ୍ୱାରା କାର୍ଯ୍ୟ ପ୍ରକ୍ରିୟା ଆହୁରି ଫଳପ୍ରଦ ହେବ ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ ଆଶା ପ୍ରକାଶ କରିଥିଲେ ।


କୃଷି କ୍ଷେତ୍ରର ବିକାଶ ପ୍ରକ୍ରିୟାରେ ଉନ୍ନତି ଆଣିବା ତଥା କୃଷକମାନଙ୍କୁ ସଶକ୍ତ କରାଇବା ପାଇଁ ଆମ ସରକାରଙ୍କ ଦ୍ୱାରା ହେଉଥିବା ବିବିଧ ପ୍ରଚେଷ୍ଟା ଜାତୀୟ ସ୍ତରରେ ବିଭିନ୍ନ ମଞ୍ଚରେ ଉଚ୍ଚ ପ୍ରଶଂସିତ ହୋଇଛି ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ ପ୍ରକାଶ କରିଥିଲେ । ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଲେ ଯେ ଖାଦ୍ୟଶସ୍ୟ ଉତ୍ପାଦନ କ୍ଷେତ୍ରରେ ଆମ ରାଜ୍ୟ ୫ ଥର ‘କୃଷି କର୍ମଣ’ ପୁରସ୍କାର ଅର୍ଜନ କରିଛି । ଆମ ରାଜ୍ୟ ଭାରତୀୟ କୃଷି ଗବେଷଣା ପରିଷଦ-ଭାରତୀୟ କ୍ଷୁଦ୍ରଶସ୍ୟ ଗବେଷଣା ପ୍ରତିଷ୍ଠାନ ଏବଂ ଆନ୍ତର୍ଜାତୀୟ ଖାଦ୍ୟ ଓ କୃଷି ସଂସ୍ଥା ଆନୁକୂଲ୍ୟରେ ୨୦୨୦-୨୧ ଓ ୨୦୨୧-୨୨ ବର୍ଷ ପୋଷକ ଅନାଜ ପୁରସ୍କାର ଅନ୍ତର୍ଗତ ସର୍ବୋତ୍କୃଷ୍ଟ କ୍ଷୁଦ୍ରଶସ୍ୟ ପ୍ରୋତ୍ସାହନକାରୀ ରାଜ୍ୟ ଭାବେ ପୁରସ୍କାର ହାସଲ କରିଛି । ଭାରତୀୟ କାଜୁବାଦାମ ଓ କୋକୋଆ ଉନ୍ନୟନ ନିର୍ଦ୍ଦେଶାଳୟ ଠାରୁ ଓଡ଼ିଶା ରାଜ୍ୟ କାଜୁ ଉନ୍ନୟନ ନିଗମ ୨୦୧୯, ୨୦୨୧ ଓ ୨୦୨୩ ବର୍ଷ ପାଇଁ ସର୍ବୋତ୍କୃଷ୍ଟ ଚାରା ଉତ୍ପାଦନ ପୁରସ୍କାର ପାଇଛି । ଅଭିନବ ଓ ଲୋକପ୍ରିୟ ନୀତି ପ୍ରଣୟନ ମାଧ୍ୟମରେ କୃଷିର ବିକାଶ ପ୍ରକ୍ରିୟାକୁ ଏକ ନୂତନ ଦିଗ ଦେଇ ନିୟୁତ ନିୟୁତ ଲୋକଙ୍କ ଜୀବନକୁ ପ୍ରଭାବିତ କରିଥିବାରୁ ଆମ ରାଜ୍ୟ ୨୦୨୨ ବର୍ଷ ପାଇଁ ‘କୃଷି ନେତୃତ୍ୱ’ ପୁରସ୍କାର ହାସଲ କରିଛି ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ ପ୍ରକାଶ କରିଥିଲେ ।


ଏହି ସାମ୍ବାଦିକ ସମ୍ମିଳନୀ ଅବସରରେ ବିଭାଗୀୟ ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ ଏବଂ ଅନ୍ୟ ବରିଷ୍ଠ ପଦାଧିକାରୀବୃନ୍ଦ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *