ଜେଏସ୍ଡବ୍ଲୁଙ୍କ ବିରୋଧରେ ଟ୍ରକ ମାଲିକଙ୍କ ମେଳି
• ଏକାଠି ହେଲେ ୬ଟି ସଂଘର କର୍ମକର୍ତ୍ତା
• ଆନେ୍ଦାଳନ ପାଇଁ ଦେଲେ ଚେତାବନୀ
ଯୋଡା, ୧୧ା୫: ଯୋଡା ଏବଂ କୋଇଡା ଖଣି କ୍ଷେତ୍ରରେ ଟ୍ରକ ଯୋଗେ ଲୁହାପଥର ପରିବହନ ଏକ ମୁଖ୍ୟ ବ୍ୟବସାୟ ହୋଇଥିବା ବେଳେ ଯୋଡା ଖଣି କ୍ଷେତ୍ରରେ ଅଧିକାଂଶ ଖଣି ବନ୍ଦ ରହିଛି । ଯେତେବେଳେକି କେବଳ ଜେଏସ୍ଡବ୍ଲୁର ଜଜାଙ୍ଗ, ନୁଆଗାଁ, ନାରାୟଣପୋଷୀ ୩ଟି ଖଣି ସକ୍ରିୟ ରହିଛି । ତେବେ ଖଣି ସଂସ୍ଥା ଜେଏସ୍ଡବ୍ଲୁର ମନମୁଖି କାର୍ଯ୍ୟ ଏବେ ଟ୍ରକ ମାଲିକଙ୍କୁ ଦାଣ୍ଡର ଭିକାରୀ କରିବାକୁ ବସିଲାଣି । ଦିନକୁ ଦିନ ଟ୍ରକ ଯନ୍ତ୍ରାଂଶ ଏବଂ ଇନ୍ଧନର ଦର ବୃଦ୍ଧି ପାଉଥିବା ବେଳେ ଏହି କମ୍ପାନୀ ପରିବହନ ଦରକୁ ମନ ଇଚ୍ଛା କମାଇ ପରିବହନ ନିମନ୍ତେ ଟ୍ରକ ମାଲିକମାନଙ୍କୁ ବାଧ୍ୟ କରିଆସୁଛି । ଫଳରେ ଟ୍ରକ ମାଲିକମାନେ କ୍ଷତୀର ସମ୍ମୁଖିନ ହେଉଛନ୍ତି ।
ଏହି କମ୍ପାନୀ ସଡକ ପଥରେ ପରିବହନକୁ ପ୍ରାଧାନ୍ୟ ନଦେଇ ରେଳ ଏବଂ ସ୍ଲରି ପାଇପ ଯୋଗେ ଲୁହାପଥର ପରିବହନକୁ ପ୍ରାଧାନ୍ୟ ଦେଉଥିବାରୁ ଟ୍ରକ ମାଲିକମାନେ କାମ ଧନ୍ଦା ହରାଇ ବସିଛନ୍ତି । ଏହି ଖଣି ସଂସ୍ଥାର ଦୈନିକ ୫୦ ହଜାର ମେଟ୍ରିକ ଟନ୍ ଲୁହାପଥର ଏହି ତିନୋଟି ଖଣିରୁ ରେଞ୍ଜଡା, ରକ୍ସି, ବିମଲାଗଡ, ବାଂଶପାଣି, ଜୁରୁଡି, ନୟାଗଡ ପ୍ରଭୁତି ଷ୍ଟେସନରୁ ରେଳ ଯୋଗେ ବାହାରକୁ ପରିବହନ ହୋଇଥାଏ । ଅନୁରୂପ ଭାବେ ସ୍ଲରି ପାଇପ ଯୋଗେ ମଧ୍ୟ ୪୦ ହଜାର ଟନ ଲୁହାପଥର ଗୁଣ୍ଡ ଦୈନିକ ବାହାରକୁ ରପ୍ତାନୀ କରାଯାଉଛି । କମ୍ପାନୀର ମନମୁଖି ନିଦେ୍ର୍ଦଶ ଖଣିଜ ପରିବହନରେ ସ୍ଥିରତା ଆଣିବାରେ ବାଧକ ସୃଷ୍ଟି ହୋଇଥିବା ବେଳେ ପୂର୍ବରୁ ଯୋଡାରୁ ପାରାଦୀପକୁ ଲୁହାପଥର ପରିବହନ ନିମନ୍ତେ ଟନ ପ୍ରତି ଦର ୨୨ ଶହ ଟଙ୍କା ଥିବା ବେଳେ ରାତାରାତି କୌଣସି ସୂଚନା ନଦେଇ ଅଚାନକ ଭାବେ ଏହାକୁ କମ୍ପାନୀ ୧୯ଶହ ଟଙ୍କାକୁ କମାଇଦେଇଛି ।
ସେହିପରି ଝାରସୁଗୁଡା, ଅନୁଗୁଳ ଏବଂ ଗୋପାଳପୁରକୁ ପରିବହନ ଟନ୍ ପ୍ରତି ଦର ୨୪ଶହ ଟଙ୍କା ଥିବା ବେଳେ ୨ହଜାର ଟଙ୍କାକୁ କମାଇଦେଇଥିବା ଜଣାପଡିଛି । ଜେଏସ୍ଡବ୍ଲୁର ସର୍ବବୃହତ୍ତ ଜଜାଙ୍ଗ ଖଣିର ଅବଧି ଜୁନ ୨୦୨୩ ସୁଦ୍ଧା ସରିଯାଉଥିବା ବେଳେ କମ୍ପାନୀ ଯୁଦ୍ଧକାଳୀନ ଭିତ୍ତିରେ ପ୍ରାୟ ଏକ ଲକ୍ଷ ଟନ୍ ଲୁହାପଥର ପରିବହନ କରିବାର ପ୍ରକ୍ରିୟା ଜାରି ରଖିଛି । ସଡକ ପଥରେ ଲୁହାପଥର ପରିବହନକୁ ବନ୍ଦ କରି ଏବେ ପାଇପ ଏବଂ ରେଳ ଯୋଗେ ଲୁହାପଥର ପରିବହନ କରିବା ପାଇଁ ଯୋଜନା କରିଥିବା ବେଳେ ଏହାକୁ ଟ୍ରକ ମାଲିକମାନେ ଘୋର ବିରୋଧ କରିଛନ୍ତି । କମ୍ପାନୀର ଏହି ମନମୁଖି କାର୍ଯ୍ୟକଳାପ ଟ୍ରକ ମାଲିକମାନଙ୍କୁ ଅତିଷ୍ଟ କରିଦେଇଛି । ଏ ନେଇ ଗୁରୁବାର ସନ୍ଧ୍ୟାରେ ହୋଟେଲ ଲାଓ ପ୍ୟାଲେସ ସଭା ଗୃହରେ ଏକ ବଡଧରଣର ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକଟିରେ ଆଞ୍ଚଳିକ ଟ୍ରକ ମାଲିକ ସଂଘ ବ୍ୟତୀତ କେନ୍ଦୁଝର ଜିଲା ଏବଂ ସୁନ୍ଦରଗଡର କୋଇଡା ଅଞ୍ଚଳର ୬ଟି ସଂଘର କର୍ମକର୍ତ୍ତାମାନେ ଯୋଗଦେଇଥିଲେ ।
କେନ୍ଦୁଝର ଜିଲା ଟ୍ରକ ମାଲିକ ସଂଘ ପକ୍ଷରୁ ସଭାପତି ରମାକାନ୍ତ ନାୟକ, ଉପସଭାପତି ବିଲ୍ଲି ପଣ୍ଡା, ସମ୍ପାଦକ ଦିଲୁ କାରା, ଯୁଗ୍ମ ସମ୍ପାଦକ ଦେବୁ ପଟ୍ଟନାୟକ, ଯୋଡା ଟ୍ରକ ମାଲିକ ସଂଘ ପକ୍ଷରୁ ଉପସଭାପତି ବିଜୁ ଆପଟ୍ଟ, ସମ୍ପାଦକ ସୁଶାନ୍ତ କୁମାର ବାରିକ୍, ଯୁଗ୍ମ ସମ୍ପାଦକ ଅଶୋକ କାରୁଆ, ଭଦ୍ରାସାହୀ ଟ୍ରକ ମାଲିକ ସଂଘ ପକ୍ଷରୁ ସମ୍ପାଦକ ଇନ୍ଦ୍ରଜିତ୍ ବାରିକ୍, ବଡବିଲ ସଂଘ ପକ୍ଷରୁ ସଭାପତି ବିକାଶ ସରୋଗୀ, ଗୁଆଲି ସଂଘର କର୍ମକର୍ତ୍ତା, କୋଇଡା ଟ୍ରକ ମାଲିକ ସଂଘର ସମ୍ପାଦକ ସରୋଜ ମହାକୁଡ ଏବଂ ଶତାଧିକ ଟ୍ରକ ମାଲିକ ଉପସ୍ଥିତ ରହି କମ୍ପାନୀ ବିରୋଧରେ ବିଷୋଦଗାର କରିଛନ୍ତି । ଆଗାମୀ ଦିନରେ କମ୍ପାନୀ ଏହି ମନମୁଖି କାର୍ଯ୍ୟ ଚଳାଇରେ ଚଳିତ ମାସ ୨୫ ତାରିଖ ଠାରୁ ଟ୍ରକ ମାଲିକ ସଂଘ ପକ୍ଷରୁ ରେଳ ଯୋଗେ ଲୁହାପଥର ପରିବହନକୁ ସମ୍ପୂର୍ଣ୍ଣ ବନ୍ଦ କରିଦିଆଯିବ ବୋଲି ସେମାନେ ଚେତାବନୀ ଦେଇଛନ୍ତି ।