ଭାରତୀୟ ନାରୀ
ହରେକୃଷ୍ଣ ପତି
“ମାତା ଧରିତ୍ରୀ ଜନନୀ ଦୟାର୍ଦ୍ରହୃଦୟ ସତୀ । ଦେବୀବୁଭୂଧରଣୀ ଶ୍ରେଷ୍ଠା ନିର୍ଦ୍ଦୋଷ ଦୁଃଖପହା । ।”
ଅର୍ଥାତ୍-ମାତା ବସୁମତୀଙ୍କ ବକ୍ଷ ଉପରେ ଆମ୍ଭେ ଜୀବଜଗତ କରୁଥିବା ସମସ୍ତ ପ୍ରକାର ଲୀଳାଖେଳା ଏବଂ ଆଘାତକୁ ଯେପରି ସେ ନିର୍ବିକାର ଭାବେ ସହିଯାନ୍ତି, ସେଥିପାଇଁ ସେ ମାତୃତୁଲ୍ୟା ଏବଂ ଶ୍ରେଷ୍ଠା । ସର୍ବଂସହା ହେବା ନାରୀର ଏକ ମାତୃସୁଲଭ ଲକ୍ଷଣ, କିନ୍ତୁ ବର୍ତ୍ତମାନର କିଛି ନାରୀ ସାମାନ୍ୟ ସହନଶୀଳତା ବିହୀନ ହୋଇ ସମାଜରେ ନାନା ଦୁର୍ଗତି ଭିଆଇ ଚାଲିଛି । ଆଉ କେତେ ଯୁଗ ପରେ ଭାରତୀୟ ନାରୀ ତା’ର ପୂର୍ବ ଗୌରବ ଫେରାଇ ଆଣିବ ତାହା ଦେଖିବାକୁ ବାକି ଅଛି ।
ମଣିଷ ପରି ବିବେକବାନ ଜୀବ ବସବାସ କରୁଥିବା ଏକମାତ୍ର ଗ୍ରହ ପୃଥିବୀରେ ଭାରତୀୟ ନାରୀଙ୍କ କଥା ଉଠିଲେ ସବୁରି ମୁଣ୍ଡ ନଇଁ ଆସେ ତା’ ପାଦ ତଳକୁ । କାରଣ ସେ ହିଁ କେବଳ, ସାଧୁ ସନ୍ଥଙ୍କ ସଂସ୍କୃତିରେ ମହିମାନ୍ୱିତ ଏହି ଭୂଖଣ୍ଡର ପବିତ୍ର ମାନଦଣ୍ଡ ଏବଂ ଏ ଜଗତ ପାଇଁ ଆଦର୍ଶ । ଲଜ୍ଜା ଯାହାର ଭୂଷଣ, ଆଉ ପବିତ୍ର ଯାହାର ଆଚରଣ, ନାରୀର ସେହି ରୂପକୁ କେବଳ ଏହି ପୁଣ୍ୟଭୂମିରେ ହିଁ ଦେଖିବାକୁ ମିଳିଥାଏ ।
କିନ୍ତୁ, ଦେବପ୍ରତିମ ଭାରତବାସୀ ଆଜି ପାଶବିକତାର କବଳିତ ହୋଇ ମାନବିକତାର ସର୍ବନିମ୍ନ ସ୍ତରକୁ ମଧ୍ୟ ଅତିକ୍ରମ କରି ସାରିଲେଣି । ଏହାର କାରଣ, ଐଶ୍ୱର୍ଯ୍ୟ ଦମ୍ଭରେ ମତ୍ତ ମଣିଷର ଆଖିକୁ ବଗ କଳା ଏବଂ କାଉ ଧଳା ଦେଖା ହେବା ପରି । ପ୍ରକୃତରେ ଆଖିକୁ ବଗ କଳା କିମ୍ବା କାଉ ଧଳା ଦେଖା ଯାଏନା, କିନ୍ତୁ ମାନସିକତାରେ ପରିବର୍ତ୍ତନ ହେଲେ ଏମିତି ଘଟେ । ଆମେ ପ୍ରକୃତ ରାସ୍ତା ଛାଡି ଏମିତି ବିପଥଗାମୀ ହୋଇ ଯାଇଛନ୍ତି ଯେ, ଫେରିବା କଥା ଚିନ୍ତା କଲେ ଉପହାସ ପରି ଲାଗେ । କିନ୍ତୁ, ଏହା ସମ୍ଭବ । କାହାର ଖରାପକୁ ଜାଣିଶୁଣି ଅନୁକରଣ କରିବା ବନ୍ଦ କରିଦେଲେ ଏବଂ ଠିକ୍ ବୋଲି ଜାଣିଥିବା ନୀତିରେ ଦୃଢ ହୋଇ ପାରିଲେ ଏହି ଘୃଣ୍ୟ ପରିବେଶରୁ ମୁକ୍ତି ମିଳିପାରିବ । ସ୍ୱାଧୀନତା ନାମରେ ଆଜିର କେତେକ ‘ନାରୀ’ ଯେଉଁ ଭାବେ ସ୍ୱେଚ୍ଛାଚାରିତାକୁ ଆପଣେଇ ନେଇଛି, ତାହା ନିତାନ୍ତ ଅପମାନ ଜନକ ।
ନାରୀର ସଂଜ୍ଞା କହିଲେ ବୁଝାଯାଏ-‘ନା’ର ଅର୍ଥ ଡଙ୍ଗା ଓ ‘ରୀ’ର ଅର୍ଥ ରିଷ୍ଟ । ନାରୀ ଏକ ନାବ ସଦୃଶ ହୋଇ ଦୁଇ କୁଳର ଟେକ ରଖିବା ସହ ସବୁରି ରିଷ୍ଟ ଖଣ୍ଡନ କରିଥାଏ । ସେହିପରି ଜଣେ ଜଣେ ନାରୀ ଥିଲେ ଇନ୍ଦିରାଗାନ୍ଧୀ, ରମାଦେବୀ, କସ୍ତୁରବା, ଲକ୍ଷ୍ମୀବାଇ, କୁନ୍ତୀ, ଦେବକୀ, ଯଶୋଦା, ଗାନ୍ଧାରୀ, କୈକେୟୀ, କୌଶଲ୍ୟା ଓ ମାଳତୀ । ପୁରାଣ ଯୁଗରୁ ହିଁ ମହାନ ନାରୀମାନେ ଭାରତୀୟ ପରମ୍ପରା ଓ ସଭ୍ୟତାର ମହନୀୟତା ଶିଖାଇ ଯାଇଛନ୍ତି ପରବର୍ତ୍ତୀ ପିଢୀମାନଙ୍କୁ । ନିର୍ଭିକା, ସତ୍ୟବାଦିନୀ, ମୀରାବାଇ, ସ୍ନେହମୟୀ, ଧର୍ମନ୍ୱେଷୀ, ପତି ପରାୟଣା ଥିଲା ସେମାନ୍ଙ୍କର ସ୍ୱଭାବ । ଗାନ୍ଧାରୀ କେବେ ବି ସ୍ୱାର୍ଥପର ହୋଇ ଦୁର୍ଯ୍ୟୋଧନକୁ ମହାଭାରତ ଯୁଦ୍ଧରେ ବିଜୟୀ ହେବାର ଆଶୀର୍ବାଦ ଦେଇ ନଥିଲେ ଏବଂ ଦେବକୀଙ୍କ ସନ୍ତାନ ଶ୍ରୀକୃଷ୍ଟଙ୍କୁ ପାଳନ କରିବାରେ ଯଶୋଦା ମାତୃତ୍ୱର ଏଭଳି ପରାକାଷ୍ଠା ଦେଖାଇଥିଲେ ଯେ, ଯାହାର ଉଦାହରଣ ଅଦ୍ୟାବଧି ଦେଖିବାକୁ ମିଳିନାହିଁ । ଆଜି ନାରୀ କେବଳ ନିଜ ସନ୍ତାନ ଓ ସ୍ୱାମୀର ମଙ୍ଗଳ ଚାହୁଁଥିବା ବେଳେ ଜଣେ ଦରିଦ୍ରର ପିଲା ମୁଖରେ ଗଣ୍ଡେ ଆହାର ଦେବାକୁ ନାରାଜ ।
ଆଜି ନାରୀର ସମସ୍ତ ଦୁର୍ଗତି ପାଇଁ ତା’ର ପରିବାରର ମୁଖ୍ୟମାନେ ହିଁ ଦାୟୀ । କାରଣ, ଟିକି ଝିଅଟିକୁ ପିଲା ବେଳୁ ସୁସଂସ୍କାର ଶିକ୍ଷା ଦେବାର ଦାୟିତ୍ୱ କେବଳ ବାପା, ମାଆ, ଗୁରୁଜନ ଏବଂ ଗୁରୁଙ୍କ ଉପରେ ନ୍ୟସ୍ତ ଥାଏ । କଥାରେ ଅଛି-‘ଯାହା ନାହିଁ ବାଳ କାଳେ, ତାହା ନାହିଁ କାଳେ କାଳେ ।’ ପିଲାଟି ବେଳୁ ଯାହାର ମୂଳଦୁଆ ମଜବୁତ ହୋଇଥାଏ, ସେ ବଡ଼ ହେଲେ କେବେ ବି ‘କୁ’ କୁ ଗ୍ରହଣ କରି ପାରେନା । ଜନସମାଜ ଆଗରେ ନିଜର ପିତାମାତାଙ୍କ ସାଥିରେ ଯାଉଥିବା ଝିଅଟିକୁ ଯଦି କୁତ୍ସିତ, କଦାକାର ତଥା ଅର୍ଦ୍ଧନଗ୍ନ ପୋଷାକ ପିନ୍ଧିବାର ଅନୁମତି ପ୍ରଦାନ କରାଯାଏ, ତେବେ ସମାଜକୁ କଳୁଷିତ କରିବାରେ ତା’ର ଦୋଷ ରହିଲା କେଉଁଠି? ସ୍ନେହବୋଳା କଥା କହିବାକୁ ବାପା ମାଆ, ଝିଅଟିକୁ ମୋବାଇଲଟିଏ ଦେଇଦିଅନ୍ତି ସତ, କିନ୍ତୁ, ତାହା ଦ୍ୱାରା ଝିଅଟି ମୋବାଇଲରେ କେବଳ ତାଙ୍କ ସହ କଥା ହେଉଛି କିମ୍ବା ଅନ୍ୟ କ’ଣ କରୁଛି, ସେକଥା ଭାବିବାକୁ ବେଳ ନଥାଏ ଅଭିଭାବକମାନଙ୍କର । ଅର୍ଥ ରୋଜଗାର କରି ସମାଜରେ ପ୍ରତିଷ୍ଠିତ ହେବାକୁ ଧାଉଁଥିବା ମଣିଷ ନିଜ ହାତରେ ହିଁ ନିଜ ପିଲାମାନଙ୍କର ଭବିଷ୍ୟତକୁ ଅନ୍ଧକାରାଚ୍ଛନ୍ନ କରୁଅଛନ୍ତି । ନାରୀକୁ ମା’ କୁହାଯିବା ସହ ଅବଳାର ଆଖ୍ୟା ମଧ୍ୟ ଦିଆ ଯାଇଛି । ତା’ର ବଳ ହେଉଛି ପୁରୁଷ । ପୁଅ, ଭାଇ, ବାପା, ବନ୍ଧୁ ଆଦି ରୂପରେ ନାରୀକୁ ଜଟିଳ ପରିସ୍ଥିତିରୁ ଉଦ୍ଧାର କରିଥାଏ ସେ । କିନ୍ତୁ, ଆଜି ସେଥିରେ ଘୋର ବ୍ୟତିକ୍ରମ । ରକ୍ଷକ ସାଜିଛି ଭକ୍ଷକ । ପଶୁ ପାଲଟିବା ଆଗରୁ ସେ ଭୁଲିଯାଏ ଯେ, ତା’ର ନିଜ ଘରେ ଥିବା ମା’, ଭଉଣୀ କିମ୍ବା କନ୍ୟା ରୂପରେ, ଜଣେ ଜଣେ ନାରୀ ରହିଛନ୍ତି ବୋଲି । ଆଧୁନିକତା ଓ ନଗ୍ନତାକୁ ନିଜର ମାନ ବୃଦ୍ଧି କରାଇବାର ମାଧ୍ୟମ ଭାବେ ଗ୍ରହଣ କରିଥିବା ଆଜିର ଶିକ୍ଷିତା ନାରୀ, କେତେ ମାତ୍ରାରେ ନିଜ ପରିବାରର, ଦେଶ ଓ ଜାତିର ମାନ ରଖି ପାରିଛି, ତାହା ବିଚାରଯୋଗ୍ୟ । ପୂର୍ବରୁ ନାରୀମାନେ ସୀମିତ ହୋଇ ପର୍ଦ୍ଦା ଆଢୁଆଳରେ ରହୁଥିଲେ । ନାରୀ ସଶକ୍ତିକରଣର ମାନେ ଏହା ନୁହେଁ ଯେ, ବାହାରକୁ ବାହାରିଲେ ସେ ଲୋକ ଲଜ୍ଜା ଭୁଲି ଉତ୍ସୃଙ୍ଖଳ ଆଚରଣ କରିବ । ସୁ-ସଂସ୍କାର ଅଭାବରୁ ଆଜିର ‘ଦୁହିତା’, ଦୁଇ କୁଳର ହିତା ହୋଇ ପାରୁନାହିଁ । ବିବାହ ପରେ ସେ ପରିବାରକୁ ଗୋଟିଏ ରଜ୍ଜୁରେ ବାନ୍ଧି ରଖିବା ତ ଦୂରର କଥା, ଗୃହ ପ୍ରବେଶ ପରେ ପରେ ତା’ ନିଜ ଘରେ ସେ ଠିଆ କରାଇ ଦିଏ ପାଚେରୀ ପରେ ପାଚେରୀ । ନା ସ୍ୱାମୀଟିଏ ସ୍ତ୍ରୀକୁ ଅବାଟରୁ ବାଟକୁ ଆଣି ପାରୁଛି, ଅବା ସ୍ତ୍ରୀଟି ସ୍ୱାମୀକୁ ଭଲ କଥା ଶିଖାଇ ପାରୁଛି!
ଅନ୍ୟ ଏକ ପଟେ ପେଟର ଭୋକ ପାଇଁ କେହି ନାରୀ ତା’ର ସର୍ବସ୍ୱ ବଦଳରେ ଗଣ୍ଡେ ଖାଦ୍ୟ ଚାହୁଁଥିବା ବେଳେ, ପୁରୁଷ ତା’ ଆଡ଼କୁ ସହୃଦୟତାର ହାତ ନ ବଢାଇ ତା’କୁ ଉପଭୋଗର ସାମଗ୍ରୀ ଭାବେ ବ୍ୟବହାର କରି ଫାଇଦା ଉଠାଇଥାଏ । ଦାରିଦ୍ର୍ୟର ଶିକାର ହୋଇଥିବା ସେହି ନାରୀମାନଙ୍କ ଠାରୁ କୌଣସି ସ୍ୱାର୍ଥର ଆଶା ନ ରଖି, ତା’ର ଏହି ଦୁର୍ଦ୍ଦିନରେ ସହାନୁଭୂତି ପ୍ରଦର୍ଶନ କରି ତା’ ପେଟର ଭୋକକୁ ପ୍ରଶମିତ କରିଦେଲେ କ’ଣ ପାପ ହୋଇଯିବ? ଯେଉଁ ସଂସ୍କୃତିରେ ବଂଚିଥିବା ୮୦ ବର୍ଷର ବୁଢୀଟିଏବି ତା’ର କେହି ଜଣେ ପୁରୁଷ ସଂପର୍କୀୟଙ୍କୁ ଦେଖିଲେ ମୁଣ୍ଡର ଓଢଣାକୁ ଟାଣି ଦିଏ, ତାହାରି ଉତ୍ତର ଦାୟାଦ ଭାବେ ଆଜିର ନାରୀ ଶିଖୁଛି କ’ଣ?
ଆଜିର ସିନେମାରେ ଶିକ୍ଷଣୀୟ ବସ୍ତୁ କମ୍ ଓ ନଗ୍ନତା ଅଧିକ । ଏହାର କାରଣ ଦର୍ଶକଙ୍କ ଚାହିଦା । ଆମେ ନିଜର ଆତ୍ମୀୟମାନଙ୍କୁ ଯେଉଁ ଅବସ୍ଥାରେ ଦେଖିବାକୁ ଲଜ୍ଜା ବୋଧ କରୁଁ, ଅନ୍ୟ ପକ୍ଷରେ ତାହା ଆମ ପାଇଁ ଆମୋଦଦାୟକ ହୋଇପାରୁଛି କିପରି? ଏହା କ’ଣ ଠିକ୍? ଏଥି ପାଇଁ ଘର ମୁରବୀମାନଙ୍କୁ ତୃଣମୂଳସ୍ତରରୁ ସତର୍କ ରହିବାକୁ ପଡିବ । ଟିକିଏ ଉଚ୍ଚ ଶିକ୍ଷିତା ହେବା ପରେ ଆଜିର ନାରୀ ତା’ ଉପରେ କୌଣସି ପ୍ରତିବନ୍ଧକ ରହିବାକୁ ପସନ୍ଦ କରେନାହିଁ । ପାଶ୍ଚାତ୍ୟ ସଭ୍ୟତାର ଅନୁକରଣ କରି ସେମାନେ ମଡେଲିଂ, ଆକ୍ଟିଂ ଓ ବ୍ୟୁଟି କ୍ୱିନ୍ ହେବାକୁ ଅଧିକ ଇଚ୍ଛୁକ ହେଉଛନ୍ତି । ଏଣୁ, ପିଲାବେଳୁ ହିଁ ପିଲାର ଚରିତ୍ର ଗଠନ କ୍ଷେତ୍ରରେ କୌଣସି ସାଲିସ ନକରି ତା’କୁ ସୁ-ସଂସ୍କାର ଶିକ୍ଷା ଦେବାକୁ ହେବ । ତେବେ ଯାଇ ସୁନାର ଭାରତ ପୁଣି ହସି ଉଠିବ, ସମସ୍ତେ ବିନା ଭୟରେ ଏବଂ ସ୍ୱଚ୍ଛନ୍ଦରେ ବିଚରଣ କରିପାରିବେ ।
ସହଜରେ ସମସ୍ତଙ୍କୁ ବିଶ୍ୱାସ କରି ମଧ୍ୟ ନାରୀଟିଏ ଶୋଷଣର ଶିକାର ହୁଏ । ତେଣୁ ତା’କୁ ନିଜର ସୁରକ୍ଷା ପାଇଁ ସତର୍କ ରହିବାକୁ ହେବ । ବିଳମ୍ବିତ ରାତ୍ରୀରେ କିମ୍ବା ଅସଂଯତ ପରିଧାନରେ ବିଚରଣ, ବିପଦସଂକୁଳ ପରିବେଶ ମଧ୍ୟକୁ ପ୍ରବେଶ, ଆତ୍ମୀୟମାନଙ୍କ ଅଗୋଚରରେ କିଛି ଭୁଲ୍ କରିବା ଆଦି ଆଚରଣକୁ ବଦଳାଇ ପାରିଲେ ନାରୀ ସମ୍ପୂର୍ଣ୍ଣ ସୁରକ୍ଷିତ ହୋଇପାରିବ । ପୁରୁଷର ଚରିତ୍ର ସ୍ଖଳନ ହେଲେ ପରିବାରର ଗୋଟଏ ପୀଢି ନଷ୍ଟ ହେଉଥିବା ବେଳେ ନାରୀର ଚରିତ୍ର ସ୍ଖଳନରେ ୭ଟି ପୀଢି ନଷ୍ଟ ହୁଏ ବୋଲି କଥା ରହିଛି ।
ଏହି ସମ୍ବେଦନଶୀଳ ସମସ୍ୟାର ସମାଧାନ ଦିଗରେ, ପରିବାର ମଧ୍ୟରେ ମୁରବୀ ଶ୍ରେଣୀ ଏବଂ ପରିବାର ବାହାରେ ଶିକ୍ଷକ ଓ ସରକାର ଚେଷ୍ଟିତ ହେଲେ, ଭାରତୀୟ ସଂସ୍କୃତି, ପାଶ୍ଚାତ୍ୟ ଅସଭ୍ୟତା ଉପରେ ଯେ ନିଶ୍ଚୟ ବିଜୟ ଲାଭ କରିବ, ଏଥିରେ ସନ୍ଦେହର ଅବକାଶ ନାହିଁ । ପିଲାମାନଙ୍କ ପାଇଁ ପୌରାଣିକ, ସାଂସ୍କୃତିକ ଓ ଚାରିତ୍ରିକ ପାଠ୍ୟକ୍ରମ ପ୍ରଚଳନ କରି ଛୋଟ ବେଳୁ ସେମାନଙ୍କୁ ସୁ-ମଣିଷ ହେବାର ଶିକ୍ଷା ଦିଆଯିବା ଉଚିତ । ଯଦି ଏହା କରା ନଯାଏ, ତେବେ ସମାଜର ଉତ୍ଥାନ ଏକ ଦୁରୁହ ବ୍ୟାପାର ହୋଇପଡିବ । ଆଉ ଏ ସବୁର କାରଣ ସାଜିଥିବା ମଣିଷ, ସେ ପୁରୁଷ ହେଉ ଅବା ନାରୀ, ସମସ୍ତଙ୍କୁ ସେମାନଙ୍କ କୁକର୍ମର ଫଳ ଭଗବାନଙ୍କ ଠାରୁ ଅବଶ୍ୟ ଗ୍ରହଣ କରିବାକୁ ହେବ ।
ପଧାନପଡ଼ା, ବନ୍ତ, ଜି.-ଭଦ୍ରକ । ମୋ.୭୫୦୪୪୨୪୬୦୧.
