ଜେଏସପି ପକ୍ଷରୁ ୧୦୦ ଶଯ୍ୟା ବିଶିଷ୍ଟ ମଲ୍ଟିସ୍ପେଶାଲିଟି ହସ୍ପିଟାଲର ଭୂମି ପୂଜନ
ଅନୁଗୋଳ; ତା ୨୬.୦୧.୨୦୨୩ ; ଅନୁଗୋଳ ଜିଲ୍ଲାରେ ସ୍ୱାସ୍ଥ୍ୟ ସେବାର ନିରନ୍ତର ଉନ୍ନତି ନିମନ୍ତେ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ଉଦ୍ୟୋଗର ସାମାଜିକ ଦାୟିତ୍ଵବୋଧ ଶାଖା ରୂପେ କାର୍ଯ୍ୟ କରୁଥିବା ଜେଏସପି ଫାଉଣ୍ଡେସନ ପକ୍ଷରୁ ୧୦୦ ଶଯ୍ୟା ବିଶିଷ୍ଟ ଏକ ମଲ୍ଟି ସ୍ପେଶାଲିଟି ହସ୍ପିଟାଲର ଭୂମି ପୂଜନ ସମାରୋହ ଜିନ୍ଦଲନଗର ଠାରେ ଅନୁଷ୍ଠିତ ହୋଇଯାଇଛି।
ଜିନ୍ଦଲନଗର ଦେବଭୂମି ଠାରେ ହେବାକୁ ଥିବା ଏହି ଅତ୍ୟାଧୁନିକ ଜିନ୍ଦଲ ଆରୋଗ୍ୟମ ହସ୍ପିଟାଲର ଭୂମିପୂଜା ଓ ଆଧାରଶିଳା ରଖିଥିଲେ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାରର ଅଧ୍ୟକ୍ଷ ଶ୍ରୀ ନବୀନ ଜିନ୍ଦଲ ଏବଂ ଜେଏସପି ଫାଉଣ୍ଡେସନର ଅଧ୍ୟକ୍ଷା ଶ୍ରୀମତୀ ଶାଲୁ ଜିନ୍ଦଲ ।
ଏହି ଅବସରରେ ଛେଣ୍ଡିପଦା ବିଧାୟକ ଶ୍ରୀ ସୁଶାନ୍ତ କୁମାର ବେହେରା ଏବଂ ଅନୁଗୁଳ ପୌରପାଳିକା ନଗରପାଳ ଶ୍ରୀ ଅକ୍ଷୟ କୁମାର ସାମନ୍ତ ସଭା ମଞ୍ଚରେ ଉପସ୍ଥିତ ଥିଲେ l

ଏହି ଅବସରରେ ଶ୍ରୀ ନବୀନ ଜିନ୍ଦଲ ପ୍ରକାଶ କରିଥିଲେ ଯେ, ” ମାନବ ସେବାହିଁ ମାଧବ ସେବା ।ମାନବ ବିକାଶ ସୂଚିକାର ଉନ୍ନତି ନିମନ୍ତେ ଜେଏସପି ଫାଉଣ୍ଡେସନ ପକ୍ଷରୁ ଶିକ୍ଷା ଓ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ନିରନ୍ତର ବିକାଶ ପାଇଁ ପ୍ରଚେଷ୍ଟା ଚାଲିବ l ଉନ୍ନତ ଭିତ୍ତିଭୂମି ଥିବା ଏକ ଅତ୍ୟାଧୁନିକ ହସ୍ପିଟାଲ ଅନୁଗୋଳ ଅଞ୍ଚଳରେ ସ୍ବାସ୍ଥ୍ୟସେବାକୁ ସୁଦୁରପ୍ରସାରି କରିପାରିବ। ବହୁ ବିଶେଷଜ୍ଞ ଡାକ୍ତର ଥାଇ ଅନୁଗୋଳ ଜିନ୍ଦଲ ଆରୋଗ୍ୟମ ହସ୍ପିଟାଲ ନିର୍ମାଣର ଲକ୍ଷ୍ୟ ଖୁବ୍ ଶୀଘ୍ର ବାସ୍ତବତାରେ ପରିଣତ ହେବ। ଶ୍ରୀ ଜିନ୍ଦଲ ଏକଥା ମଧ୍ୟ କହିଲେ କି ରୋଗରୁ ମୁକ୍ତି ଅପେକ୍ଷା ରୋଗ କିଭଳି ନହେବ ସେଥିପାଇଁ ଖଦ୍ୟପାନୀୟ ରେ ସନ୍ତୁଳନ,ବିଶ୍ରାମ,ବ୍ୟାୟାମ ଉପରେ ଗୁରୁତ୍ବ ଦେବା ସହ ଏକ ଆଦର୍ଶ ଜୀବନଶୈଳୀ ଅନୁସରଣ କରିବାକୁ ହେବ। ଖାଦ୍ୟ ମଧ୍ୟରେ ମିଳେଟ (ମାଣ୍ଡିଆ, ବାଜରା ଇତ୍ୟାଦି) ଆଦର୍ଶ ଭାବେ ଗ୍ରହଣ କରାଯାଇପାରେ। ଶ୍ରୀ ଜିନ୍ଦଲ ଏକଥା ମଧ୍ୟ କହିଲେ କି ମଣିଷକୁ ସୁସ୍ଥ ଜୀବନ ପାଇଁ ସନ୍ତୁଳିତ ଖାଦ୍ୟାଭାସ ଓ ଆଦର୍ଶ ଜୀବନଶୈଳୀକୁ ହିଁ ଆପଣାଇବାକୁ ହେବ।
ଜେଏସପି ଫାଉଣ୍ଡେସନର ଅଧ୍ୟକ୍ଷା ଶ୍ରୀମତୀ ଶାଲୁ ଜିନ୍ଦଲ କହିଥିଲେ ଯେ, କି ଜିନ୍ଦଲ ଆରୋଗ୍ୟମ ହସ୍ପିଟାଲ ରେ ସମସ୍ତ ପ୍ରକାର ଅତ୍ୟାଧୁନିକ ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯିବ। ଏଥିରେ ଭେଷଜ,ସର୍ଜରୀ,ଶିଶୁ ବିଭାଗ,ସ୍ତ୍ରୀ ଓ ପ୍ରସୂତି ବିଭାଗ,ଅସ୍ଥିଶଲ୍ୟ, ନେଫ୍ରୋଲୋଜି, ଗ୍ୟାଷ୍ଟ୍ରୋ ଏଣ୍ଟ୍ରଲୋଜି,ଦାନ୍ତ ଓ ଅନ୍ୟାନ୍ୟ ବିଭାଗ ରହିବ । ସୁଲଭ ମୂଲ୍ୟରେ ଏହି ସ୍ବାସ୍ଥ୍ୟସେବା ଯୋଗାଇ ଦିଆଯିବ ଯାହା ଫଳରେ ଅନୁଗୋଳବାସୀ ଅଧିକ ଖର୍ଚ୍ଚାନ୍ତ ହୋଇ ଆଉ ବାହାରକୁ ଯିବେ ନାହିଁ। ଆଗାମୀ ଦିନରେ କମ୍ପାନୀର ପାରିପାର୍ଶ୍ବିକ ଗ୍ରାମବାସୀ ମାନଙ୍କୁ ସ୍ୱାସ୍ଥ୍ୟବୀମା ଯୋଗାଇ ଦେବାର ଲକ୍ଷ୍ୟ ରହିଛି ବୋଲି ମଧ୍ୟ ଶ୍ରୀମତୀ ଜିନ୍ଦଲ ପ୍ରକାଶ କରିଥିଲେ।
ଏହି ହସ୍ପିଟାଲରେ ଆଲୋପ୍ୟାଥିକ ଚିକିତ୍ସା ବ୍ୟତୀତ ଆୟୁର୍ବେଦିକ,ହୋମିଓପାଥି,ପ୍ରାକୃତିକ ଚିକିତ୍ସା ସହ ଯୋଗାଭ୍ୟାସ କୁ ମଧ୍ୟ ଗୁରୁତ୍ବ ଦିଆଯିବ। ଆସନ୍ତା ୧୮ ମାସ ମଧ୍ୟରେ ଏହି ହସ୍ପିଟାଲ କାର୍ଯ୍ୟକ୍ଷମ ହୋଇ ୧୭ ଗୋଟି ଚିକିତ୍ସା ବିଭାଗ ରେ ସେବା ଯୋଗାଇଦେବ l
ସେହିଭଳି ହସ୍ପିଟାଲ ରେ ଅତ୍ୟାଧୁନିକ ନିଦାନ ବିଭାଗ ରହି ଏକ୍ସରେ, ଅଲଟ୍ରାସାଉଣ୍ଡ, ଇସିଜି,ସିଟି ସ୍କାନ, ବାୟୋକେମିଷ୍ଟ୍ରି ଆଦି ପରୀକ୍ଷଣ ର ସୁବିଧା ରହିବ। ଦୁର୍ଘଟଣାରେ ପୀଡ଼ିତ ଏବଂ ପୋଡ଼ା ଜଳା ରୋଗୀଙ୍କ ପାଇଁ ଟ୍ରମା କେଆରର ମଧ୍ୟ ସୁବିଧା ରହିବ । ଏହି ସମାରୋହରେ ଛେଣ୍ଡିପଦା ବିଧାୟକ ଶ୍ରୀ ସୁଶାନ୍ତ କୁମାର ବେହେରା ଏବଂ ଅନୁଗୋଳ ନଗରପାଳ ଶ୍ରୀ ଅକ୍ଷୟ କୁମାର ସାମନ୍ତ ଉପସ୍ଥିତ ରହି ଅନୁଗୋଳ ଜିଲ୍ଲାବାସୀଙ୍କ ସ୍ବାସ୍ଥ୍ୟସେବାର ଉନ୍ନତି ପାଇଁ ନେଇଥିବା ଏହି ବିଶେଷ ପଦକ୍ଷେପ ନିମନ୍ତେ ଶ୍ରୀ ନବୀନ ଜିନ୍ଦଲଙ୍କୁ ପ୍ରଶଂସା କରିଥିଲେ l
ଜେଏସପି ସିଇଓ ଶ୍ରୀ ଦିନେଶ କୁମାର ସରୋଗୀ ସମସ୍ତ ଅତିଥି ମାନଙ୍କୁ ସେମାନଙ୍କ ଉପସ୍ଥିତି ପାଇଁ ଧନ୍ୟବାଦ ଅର୍ପଣ କରିଥିଲେ।
ଏହି ସଭାରେ ନିର୍ବାହୀ ନିର୍ଦ୍ଦେଶକ ଶ୍ରୀ ହୃଦୟେଶ୍ୱର୍ ଝା, ଶ୍ରୀ ଦାମୋଦର ମିତ୍ତଲ,ସମ୍ବଲପୁର ସାଂସଦଙ୍କ ପ୍ରତିନିଧି ଶ୍ରୀ ଅଗସ୍ତି ବେହେରା, ଶ୍ରୀ ପ୍ରତାପ ପ୍ରଧାନ, ଅନୁଗୋଳ ଓକିଲ ସଂଘର ପୂର୍ବତନ ସଭାପତି ଶ୍ରୀ ଦିଲୀପ ଦାସ ଆଦି ଭୂମି ପୁଜନ ସମାରୋହରେ ଯୋଗ ଦେଇଥିଲେ । ଆଖପାଖ ଗ୍ରାମାଞ୍ଚଳର ଶତାଧିକ ଗ୍ରାମ ବାସୀ ମଧ୍ୟ ଏହି ସମାରୋହରେ ଯୋଗ ଦେଇଥିଲେ। ଗୃପ ସିଏସଆର ମୁଖ୍ୟ ଶ୍ରୀ ପ୍ରଶାନ୍ତ କୁମାର ହୋତା ଭୂମି ପୂଜନ କାର୍ଯ୍ୟକ୍ରମର ସଞ୍ଚାଳନା କରିଥିଲେ l
