ମାସିକ ଧର୍ମକାଳୀନ ସ୍ୱାସ୍ଥ୍ୟ ଓ ପରିଚ୍ଛନ୍ନତା ଦିଗରେ ରାଜ୍ୟର ପ୍ରସ୍ତାବିତ ଆଇନ୍ ପ୍ରଣୟନ ପୂର୍ବରୁ କର୍ମଶାଳା

ଭୁବେନେଶ୍ୱର, ତା.୨୩.୧୨.୨୦୨୦ରିଖ : ଭାରତୀୟ ଜନସ୍ୱାସ୍ଥ୍ୟ ପ୍ରତିଷ୍ଠାନ ଏବଂ ୟୁନିସେଫ୍‌ ର ମିଳିତ ସହଯୋଗ କ୍ରମେ ଭୁବେନେଶ୍ୱର ସ୍ଥିତ ହୋଟେଲ ସୂର୍ଯ୍ୟାଶଂଠାରେ ମାସିକ ଧର୍ମ ସମୟର ସ୍ୱାସ୍ଥ୍ୟ ସଚେତନତା ଏବଂ ପରିଷ୍କାର ପରିଚ୍ଛନ୍ନତା ଦିଗରେ ଏକ ସଚେତନତାଧର୍ମୀ କର୍ମଶାଳା ଆୟୋଜିତ ହୋଇଯାଇଛି । ଉକ୍ତ କର୍ମଶାଳାର ଆଲୋଚନା କାଳ ପ୍ରାରମ୍ଭିକ ଅଧିବେଶନ, ବୈଷୟିକ ଅଧିବେଶନ ଓ ଉପସଂହାର ଅଧିବେଶନ ପରି ତିନିଗୋଟି ପର୍ଯ୍ୟାୟରେ ବିଭକ୍ତ ଥିଲା । ମାସିକ ଧର୍ମକାଳୀନ ସ୍ୱାସ୍ଥ୍ୟ ସଚେତନତା ଓ ପରିଚ୍ଛନ୍ନତା ସମ୍ବନ୍ଧୀୟ ଆଇନ ପ୍ରଣୟନ ଦିଗରେ ଓଡିଶା ସରକାର ପ୍ରୟାସରତ ଥିବାବେଳେ ଏପରି ଏକ ସମ୍ବେଦନଶୀଳ ପ୍ରସଙ୍ଗ ଆଧାରିତ ଆଇନର ସର୍ବଗ୍ରହଣୀୟତାକୁ ଗୁରୁତ୍ୱ ଦେଇ ରାଜ୍ୟ ସରକାରଙ୍କ ସହଯୋଗରେ ବିଭିନ୍ନ କର୍ମଶାଳାର ଆୟୋଜନ କରାଯାଇଆସୁଛି । ଏହି କ୍ରମରେ ଗତ ଡିସେମ୍ବର ୬ ତାରିଖରେ ଏକ ରାଜ୍ୟସ୍ତରୀୟ ପରାମର୍ଶଭିତ୍ତିକ କର୍ମଶାଳାର ଆୟୋଜନ କରାଯାଇଥିଲା । ଏଥିରେ ସରକାରୀ ଅଧିକାରୀଙ୍କ ସମେତ ନାଗରିକ ସମାଜ ପ୍ରତିନିଧି, ଗବେଷଣା ପ୍ରତିଷ୍ଠାନ ଏବଂ ଆପଦଗ୍ରସ୍ତ ଶ୍ରେଣୀ ଯୋଗଦେଇଥିଲେ । ଓଡିଶା ସରକାରଙ୍କ ଏପରି ପ୍ରସ୍ତାବିତ ଆଇନ ପ୍ରଣୟନ ଦିଗରେ ସେମାନଙ୍କ ଦ୍ୱାରା ଗୁରୁତ୍ୱପୂର୍ଣ୍ଣ ସୁପାରିଶ କରାଯାଇଥିଲା ।

ଏପରି ଆଇନ ପ୍ରଣୟନ ହେଲେ ଏହା ମାସିକ ଧର୍ମ ସମୟର ସ୍ୱାସ୍ଥ୍ୟ ସଚେତନତା ଓ ପରିଚ୍ଛନ୍ନତା ଦିଗରେ ଏକ ମାଇଲ୍‌ଖୁଣ୍ଟ ସଦୃଶ ବିବେଚିତ ହେବ । ଓଡିଶା ସରକାର ପ୍ରତ୍ୟେକ ବର୍ଗର ହିତ ସାଧ[ରେ ବିଭିନ୍ନ କାର୍ଯ୍ୟକ୍ରମ ଗ୍ରହଣ କରୁଥିବା ବେଳେ ଏପରି ଏକ ପ୍ରସଙ୍ଗରେ ବିଧି ବ୍ୟବସ୍ଥା ସହ ଆଇନ ପ୍ରଣୟନ କରିବାକୁ ଯାଉଥିବାରୁ ଏହା ମହିଳା ସଶକ୍ତକରଣ ଦିଗରେ ଏକ ଉଲ୍ଲେଖନିୟ ପଦକ୍ଷେପ ହେବ । ସମଗ୍ର ଦେଶରେ ଓଡିଶାରେ ପ୍ରଥମ ଥର ପାଇଁ ଏପରି ଏକ ଆଇନ ପ୍ରଣୟନ ହେବାକୁ ଯାଉଥିବାରୁ ଏହା ସବୁ ମହଲରେ ପ୍ରଶଂସିତ ହୋଇଛି ।

ପ୍ରସ୍ତାବିତ ଆଇନ ପ୍ରଣୟନ ପୂର୍ବରୁ ଆୟୋଜିତ ଏହି ପରାମର୍ଶଭିତ୍ତିକ କର୍ମଶାଳାରେ ଭୁବେନେଶ୍ୱର ମହାନଗର ନିଗମର ମେୟର ଶ୍ରୀମତୀ ସୁଲୋଚନା ଦାସ ମୁଖ୍ୟ ଅତିଥି ରୂପେ ଯୋଗଦେଇ ନିଜର ସୁଚିନ୍ତିତ ମତାମତ ଉପସ୍ଥାପନା କରିଥିଲେ । ପ୍ରାରମ୍ଭରେ ଭାରତୀୟ ଜନସ୍ୱାସ୍ଥ୍ୟ ପ୍ରତିଷ୍ଠାନର ଆଡିସିନଲ୍‌ ପ୍ରଫେସର ଡକଫର ଭୂପୁତ୍ର ପଣ୍ଡା ସ୍ୱାଗତ ଭାଷଣ ସହ ଉକ୍ତ କର୍ମଶାଳାର ଉଦ୍ଦେଶ୍ୟ ସଂପର୍କରେ ବିଶଦ ବିବରଣୀ ପ୍ରଦାନ କରିଥିଲେ । କିସ୍‌ ପ୍ରତିଷ୍ଠାନର ପ୍ରକଳ୍ପ ନିର୍ଦ୍ଦେଶିକା ସଘଂମିତ୍ରା ରାୟ, କାଦମ୍ବିନି ମିଡିଆର ନିର୍ଦ୍ଦେଶିକା ଡକଫର ଇତିରାଣୀ ସାମନ୍ତ ସମ୍ମାନିତ ଅତିଥି ରୂପେ ବିଷୟବସ୍ତୁଭିତ୍ତିକ ସାରଗର୍ଭକ ବକ୍ତବ୍ୟ ଉପସ୍ଥାପନା କରିଥିଲେ ।

ଓଡିଶା ପର୍ଯ୍ୟଟନ ଉନ୍ନୟନ ନିଗମର ଅଧ୍ୟକ୍ଷ ଡକଫର ଲେନିନ୍ ମହାନ୍ତି ଉକ୍ତ କର୍ମଶାଳାରେ ସମ୍ମାନିତ ଅତିଥି ରୂପେ ଯୋଗଦେଇ ନିଜର ବକ୍ତବ୍ୟ ରଖିବା ସହ ଏପରି କର୍ମଶାଳା ଆୟୋଜନ ଦ୍ୱାରା ପ୍ରସ୍ତାବିତ ଆଇନଟି ନିଶ୍ଚିତ ଭାବେ ଋଦ୍ଧିମନ୍ତ ହେବ ବୋଲି ଦୃଢ ଆଶାପୋଷଣ କରିଥିଲେ । ଆର୍‌ଏମ୍‌ଆର୍‌ସି ର ନିର୍ଦ୍ଦେଶିକା ଡକଫର ସଂଘମିତ୍ରା ପତି, ଓଡିଶା ସରକାରଙ୍କ ଓସେପାର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ଅନୁପମ ସାହା ସମ୍ମାନିତ ଅତିଥି ରୂପେ ଉକ୍ତ କର୍ମଶାଳାରେ ନିଜ ନିଜର ବକ୍ତବ୍ୟ ରଖିଥିଲେ । ଉପସଂହାର ଅଧିବେଶନ କାଳରେ ଭାରତୀୟ ଜନସ୍ୱାସ୍ଥ୍ୟର ଆସିଷ୍ଟାଣ୍ଟ୍‌ ପ୍ରଫେସର ଡକଟର ଉପାସନା ଘୋଷ ଏ ସଂପର୍କରେ ସବିଶେଷ ବିବରଣୀ ଉପସ୍ଥାପନା କରିଥିଲେ । ଆଲୋଚନା ଶେଷରେ ୟୁନିସେଫ୍‌ର WASH ସ୍ପେଶାଲିଷ୍ଟ ମିସ୍‌ ଶିପ୍ରା ସାକ୍ସେନା ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *