ଆକ୍ସିସ୍ ବ୍ୟାଙ୍କ୍ର ଟିକସ ପରବର୍ତୀ ଲାଭ ୭୦% ବୃଦ୍ଧି ପାଇ ୫,୩୩୦ କୋଟି ଟଙ୍କା
ଭୁବନେଶ୍ୱର: ଭାରତର ତୃତୀୟ ସର୍ବବୃହତ ଘରୋଇ ବ୍ୟାଙ୍କ୍ ଆକ୍ସିସ୍ ବ୍ୟାଙ୍କ୍ ପକ୍ଷରୁ ୨୦୨୨-୨୩ ଆର୍ଥିକ ବର୍ଷର ଦ୍ୱିତୀୟ ତ୍ରୈମାସିକ ଆର୍ଥିକ ଫଳାଫଳ ଘୋଷଣା କରାଯାଇଛି । କଂପାନିର ନିଟ୍ ଲାଭ ୭୦% ବୃଦ୍ଧି ପାଇ ୫,୩୩୦ କୋଟି ଟଙ୍କା ହୋଇଛି ଯାହା ୨୦୨୧-୨୨ ଆର୍ଥିକ ବର୍ଷର ଦ୍ୱିତୀୟ ତ୍ରୈମାସିକରେ ୩,୧୩୩ କୋଟି ଟଙ୍କା ଥିଲା । ବ୍ୟାଙ୍କ୍ ନିଟ୍ ସୁଧ ଆୟ ୩୧% ବୃଦ୍ଧି ପାଇ ୧୦,୩୬୦ କୋଟି ଟଙ୍କା ହୋଇଛି । ଗତ ଆର୍ଥିକ ବର୍ଷର ଦ୍ୱିତୀୟ ତ୍ରୈମାସିକରେ ତାହା ୯,୩୮୪ କୋଟି ଟଙ୍କା ଥିଲା ।
ବ୍ୟାଙ୍କର ନିଟ୍ ସୁଧ ମାର୍ଜିନ ୩.୯୬ ପ୍ରତିଶତ ବୃଦ୍ଧି ପାଇଛି । କାସା ଅନୁପାତ ୪୬% ରହିଛି । ବ୍ୟାଙ୍କର ପରିଚାଳନା ରାଜସ୍ୱ ୨୨% ବୃଦ୍ଧି ପାଇ ୧୪,୩୦୧ କୋଟି ଟଙ୍କା ହୋଇଛି ଯାହା ୨୦୨୧-୨୨ ଆର୍ଥିକ ବର୍ଷର ଦ୍ୱିତୀୟ ତ୍ରୈମାସିକରେ ୧୧,୬୯୯ କୋଟି ଟଙ୍କା ଥିଲା । ୨୦୨୨ ସେପ୍ଟେମ୍ବର ୩୦ ସୁଦ୍ଧା ବ୍ୟାଙ୍କ୍ର ମୋଟ୍ ଏନ୍ପିଏ ଓ ନିଟ୍ ଏନ୍ପିଏ ହାର ଯଥାକ୍ରମେ ୨.୫୦ ପ୍ରତିଶତ ଓ ୦.୫୧% ରହିଛି । ବ୍ୟାଙ୍କ୍ର ଫି’ରୁ ଆୟ ୨୦% ବୃଦ୍ଧି ପାଇ ୩,୮୬୨ କୋଟି ଟଙ୍କା ହୋଇଛି । ରିଟେଲ୍ ଫି’ରେ ୨୮% ବୃଦ୍ଧି ହୋଇଛି ଓ ବ୍ୟାଙ୍କ୍ର ମୋଟ ଫି’ରେ ତାହାର ଭାଗ ୬୮% ରହିଛି । ବ୍ୟାଙ୍କ୍ର ମୋଟ ପୁଂଜି ସ୍ୱଚ୍ଛଳତା ହାର ୧୭.୭୨ ପ୍ରତିଶତ ରହିଛି ।
ଏହି ଅବସରରେ ଆକ୍ସିସ୍ ବ୍ୟାଙ୍କର ଏମ୍ଡି ଓ ସିଇଓ ଅମିତାଭ ଚୌଧୁରୀ କହିଛନ୍ତି ଯେ, “ଗତ ୧୨ ମାସ ଭିତରେ ଆମେ ସମସ୍ତ ଚିହ୍ନିତ ଅଗ୍ରାଧିକାର କ୍ଷେତ୍ରରେ ଉଲ୍ଲେଖନୀୟ ଉନ୍ନତି ହାସଲ କରିଛୁ । ଗ୍ରାହକ ଓ ଡିଜିଟାଇଜେସନ୍ ଉପରେ ଗୁରୁତ୍ୱ ଆମର ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିଛି । ସମସ୍ତ ବ୍ୟବସାୟ କ୍ଷେତ୍ରରେ ଦୃଢ଼ ପ୍ରଦର୍ଶନ ଯୋଗୁଁ ଆମର ମୂଳ ପରିଚାଳନା ଲାଭ ଏବଂ ମାର୍ଜିନ୍ ବୃଦ୍ଧି ପାଇଛି । ଗ୍ରାହକମାନଙ୍କୁ କେନ୍ଦ୍ରୂରେ ରଖି ଆମେ ଏକ ଉଚ୍ଚ ମାନର ଫ୍ରାଂଚାଇଜି ଗଠନ କରିଥିବା ବେଳେ ଆମର ନେଟ୍ୱର୍କ ଓ ସେବାକୁ ଅର୍ଧ ସହରାଚଂଳ ଓ ଗ୍ରାମାଚଂଳ ପର୍ଯ୍ୟନ୍ତ ସମ୍ପ୍ରସାରିତ କରି ଗ୍ରାମୀଣ ଭାରତରେ ଥିବା ସୁଯୋଗକୁ ହାସଲ କରୁଛୁ । ଆକ୍ସିସ୍ ବ୍ୟାଙ୍କ୍ର ଭବିଷ୍ୟତକୁ ନେଇ ଆମେ ଉତ୍ସାହିତ ।’’