ଆଜିଠାରୁ କଳିଙ୍ଗରେ ଫୁଟ୍‌ବଲ୍‌ କମ୍ପନ

ଭୁବନେଶ୍ବର : ବିଶ୍ବର ସବୁଠାରୁ ଲୋକପ୍ରିୟ ଖେଳର ବିଶ୍ବସ୍ତରୀୟ ପ୍ରତିଯୋଗିତା ମଙ୍ଗଳବାର ଭୁବନେଶ୍ବରରେ ପାଦ ଥାପିବ। ସୌନ୍ଦର୍ଯ୍ୟଭରା ଖେଳ ଫୁଟ୍‌ବଲ୍‌ର ୧୭ ବର୍ଷରୁ କମ୍‌ ମହିଳା ବିଶ୍ବକପ୍‌ ଖେଳାଯିବ ଭୁବନେଶ୍ବରରେ। ଦୀର୍ଘ ୨ ବର୍ଷ ପ୍ରତୀକ୍ଷାର ମଙ୍ଗଳବାର ଅନ୍ତ ଘଟିବ। କୋଭିଡ୍ ପାଇଁ ବାରମ୍ବାର ଘୁଞ୍ଚିଥିବା ଏହି ଫିଫା ଯୁବା ବିଶ୍ବକପ୍‌ର ସପ୍ତମ ସଂସ୍କରଣ ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମ୍‌ରେ ଆରମ୍ଭ ହେବ। କେବଳ କଳିଙ୍ଗ ନୁହେଁ, ପ୍ରତିଯୋଗିତାର ପ୍ରଥମ ଦିବସରେ ଗୋଆର ମାରଗାଓଁସ୍ଥିତ ପଣ୍ଡିତ ଜବାହରଲାଲ୍ ନେହରୁ ଷ୍ଟାଡିୟମ୍‌ରେ ଏହି ପ୍ରତିଯୋଗିତା ଖେଳାଯିବ। ଗୋଟିଏଦିନ ପରଠାରୁ ନଭି ମୁମ୍ବାଇରେ ମଧ୍ୟ ଏହି ପ୍ରତ‌ିଯୋଗିତା ଆରମ୍ଭ ହେବ।

ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମ୍‌ କିନ୍ତୁ ସ୍ବତନ୍ତ୍ର ଆକର୍ଷଣ ରଖିଛି ଘରୋଇ ଦର୍ଶକଙ୍କ ପାଇଁ। ଭାରତୀୟ ଦଳ ନିଜର ସମସ୍ତ ୩ ଗ୍ରୁପ୍‌ ମ୍ୟାଚ୍‌ ଏଠାରେ ଖେଳିବ। ଇଣ୍ଡିଆ ୨୦୨୨ ଓ କିକ୍‌ ଅଫ୍‌ ଦ ଡ୍ରିମ୍ସ ଆଦି ଟ୍ୟାଗ୍‌ଲାଇନ୍ ସହିତ ଏହି ଦ୍ବିବାର୍ଷିକ ବିଶ୍ବକପ୍‌କୁ ଓଡ଼ିଶାର ଫୁଟ୍‌ବଲ୍‌ପ୍ରେମୀ ନିଜ ଘରୋଇ ପରିବେଶରୁ ଦେଖିବାକୁ ପାଇବେ। କଳିଙ୍ଗ ଷ୍ଟାଡିୟମ୍‌ରେ ଅପରାହ୍ନ ୪.୩୦ରେ ମରୋକ୍କୋ-ବ୍ରାଜିଲ୍‌ ଖେଳିବା ପରେ ରାତି ୮.୦୦ରେ ଭାରତ ଖେଳିବ ଆମେରିକା ସହିତ। ଏଥିସହିତ ଭାରତୀୟ ଯୁବାମାନେ ମଧ୍ୟ ବିଶ୍ବକପ୍‌ ପଦାର୍ପଣର ସ୍ବପ୍ନ ସାକାର କରିବେ। କୌଣସି ଯୋଗ୍ୟତା ପର୍ଯ୍ୟାୟ ‌ନୁହେଁ ବରଂ ଆୟୋଜକ ଦେଶ ଭାବେ ଭାରତ ପଦାର୍ପଣ ସ‌ୁଯୋଗ ପାଇଛି। ୫ ବର୍ଷ ତଳେ ଭାରତୀୟ ଯୁବ ଦଳ (୧୭ ବ‌ର୍ଷରୁ କମ୍‌ ପୁରୁଷ) ମଧ୍ୟ ଅନୁରୂପ ଭାବେ ସମାନ ସୁଯୋଗ ପାଇଥିଲା ଭାରତ ମାଟିରେ। କୌଣସି ବର୍ଗର ଫିଫା ପ୍ରତିଯୋଗିତାରେ ଭାରତୀୟ ମହିଳାଙ୍କ ଅଂଶଗ୍ରହଣ ପ୍ରଥମ ହେବ। ସେହି ଦୃଷ୍ଟିରୁ ଏହା ଭାରତୀୟ ମହିଳା ଫୁଟ୍‌ବଲ୍ ପାଇଁ ଏକ ଐତିହାସିକ ମୁହୂର୍ତ୍ତ ଆଣି ଦେଇଛି।

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *