ସ୍ଥଗିତ ରହିବ କଂଗ୍ରେସ ସଭାପତି ନିର୍ବାଚନ

ନୂଆଦିଲ୍ଲୀ: କଂଗ୍ରେସର ନୂତନ ସଭାପତି ଚୟନ ପାଇଁ ହେବାକୁ ଥିବା ନିର୍ବାଚନ କିଛି ସପ୍ତାହ ପାଇଁ ସ୍ଥଗିତ ରହିବାର ସମ୍ଭାବନା ରହିଛି ଏବଂ ଅଗଷ୍ଟ ୨୮ରେ ହେବାକୁ ଥିବା କଂଗ୍ରେସ କାର୍ଯ୍ୟକମିଟି (ସିଡବ୍ଲୁସି) ବୈଠକରେ ଏନେଇ ଚୂଡ଼ାନ୍ତ କାର୍ଯ୍ୟସୂଚୀ ସ୍ଥିର କରାଯିବ ବୋଲି ଗୁରୁବାର ଦିନ ଦଳୀୟ ସୂତ୍ରରୁ କୁହାଯାଇଛି।

ଉଲ୍ଲେଖଯୋଗ୍ୟ, ଏହା ପୂର୍ବରୁ ଘୋଷଣା କରାଯାଇଥିଲା ଯେ ନିର୍ବାଚନ କାର୍ଯ୍ୟସୂଚୀ ଅଗଷ୍ଟ ୨୧ରୁ ସେପ୍ଟେଟର ୨୦ ପର୍ଯ୍ୟନ୍ତ ହେବ। ସୂତ୍ରରୁ ପ୍ରକାଶ ଯେ ସଭାପତି ପଦ ପାଇଁ ନିର୍ବାଚନ ବର୍ତ୍ତମାନ କଂଗ୍ରେସ ପାଇଁ ଏକ ଚ୍ୟାଲେଞ୍ଜ ପାଲଟିଛି ଏବଂ ସଭାପତି ପଦ ପାଇଁ ରାହୁଲ ଗାନ୍ଧୀ ନିର୍ବାଚନ ଲଢିବାକୁ ଅନିଚ୍ଛା ପ୍ରକାଶ କରିଛନ୍ତି।

କଂଗ୍ରେସ ଦଳ ଅଗଷ୍ଟ ୨୦ ପର୍ଯ୍ୟନ୍ତ ଆଭ୍ୟନ୍ତରୀଣ ନିର୍ବାଚନ ପ୍ରକ୍ରିୟା ଶେଷ କରିଛି। ଅଗଷ୍ଟ ୨୧ରୁ ସେପ୍ଟେଟର ୨୦ ମଧ୍ୟରେ ସଭାପତି ପଦ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ ବୋଲି ଦଳ ଘୋଷଣା କରିଥିଲା। କିନ୍ତୁ ଅନେକ ପ୍ରୟାସ ସତ୍ତ୍ୱେ ରାହୁଲ ଗାନ୍ଧୀ ବର୍ତ୍ତମାନ ପର୍ଯ୍ୟନ୍ତ ତାଙ୍କ ଆଭିମୁଖ୍ୟକୁ ସ୍ପଷ୍ଟ କରିନାହାନ୍ତି।

ସୂଚନା ଅନୁଯାୟୀ, ନିର୍ବାଚନ ଶେଷ କରିବା ପାଇଁ ଦଳର କେନ୍ଦ୍ରୀୟ ନିର୍ବାଚନ କର୍ତ୍ତୃପକ୍ଷ ସମ୍ପୂର୍ଣ୍ଣ ପ୍ରସ୍ତୁତ।  ଏବେ ନିର୍ବାଚନ ପାଇଁ କଂଗ୍ରେସ କାର୍ଯ୍ୟକାରୀ କମିଟି ବୈଠକର ନିଷ୍ପତ୍ତିକୁ ଅପେକ୍ଷା କରାଯାଇଛି। କମିଟି ସଭାପତି ପଦ ପାଇଁ ନିର୍ବାଚନ ତାରିଖ ଘୋଷଣା କରିବ ଏବଂ ତା’ପରେ କର୍ତ୍ତୃପକ୍ଷ ଏହାକୁ ସୂଚିତ କରିବେ।

ସୂତ୍ରରୁ ପ୍ରକାଶ ଯେ ରାହୁଲ କଂଗ୍ରେସ ସଭାପତି ପଦ ପାଇଁ ନିର୍ବାଚନ ଲଢିବାକୁ ଇଚ୍ଛୁକ ନଥିବାରୁ ଏହି ପ୍ରକ୍ରିୟା ଅଟକି ରହିଥିବା ଜଣାପଡିଛି। ଏବଂ ସଭାପତି ପଦ ପାଇଁ ନିର୍ବାଚନ ଲଢ଼ିବାକୁ ତାଙ୍କୁ ମନାଇବା ପାଇଁ ଦଳ ପକ୍ଷରୁ ସମସ୍ତ ପ୍ରୟାସ ଜାରି ରହିଛି। ଯଦି ରାହୁଲ ଗାନ୍ଧୀ ତାଙ୍କ ଜିଦରେ ଅଟଳ ରୁହନ୍ତି ତେବେ ଅଶୋକ ଗେହଲଟ, ମଲ୍ଲିକାର୍ଜୁନ ଖାର୍ଗେ, କେସି ବେଣୁଗୋପାଳ, କୁମାରୀ ଶୈଲଜା ଏବଂ ମୁକୁଲ ୱାସନିକଙ୍କ ପରି ନେତାଙ୍କ ନାମ ମଧ୍ୟରୁ ଗୋଟିଏ ଉପରେ ସହମତି ସୃଷ୍ଟି କରିବାକୁ ଚେଷ୍ଟା ହୋଇପାରେ।

Leave a Reply

Your email address will not be published. Required fields are marked *

You may have missed