ବ୍ଲକସ୍ତରୀୟ ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ମେଳା

ଭୁବନେଶ୍ୱର, ୨୧/୦୪/୨୦୨୨ (ପିଆଇବି):

ଆଜାଦୀ କା ଅମୃତ ମହୋତ୍ସବ ପାଳନ ଅବସରରେ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ କେନ୍ଦ୍ରଶାସିତ ଅଞ୍ଚଳ ଏବଂ ରାଜ୍ୟ ସରକାରଙ୍କ ସହିତ ମିଶି ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ଏବଂ ଆରୋଗ୍ୟ କେନ୍ଦ୍ରଗୁଡ଼ିକର ଚତୁର୍ଥ ବାର୍ଷିକୀ ପାଳନ କରୁଛନ୍ତି । ଗତ ଅପ୍ରେଲ ୧୮ ତାରିଖରୁ ୨୨ ତାରିଖ ପର୍ଯ୍ୟନ୍ତ ବ୍ଳକସ୍ତରୀୟ ସ୍ୱାସ୍ଥ୍ୟ ମେଳା ଆୟୋଜିତ ହେଉଛି । ଚତୁର୍ଥ ଦିନରେ ଦେଶର ୫୮୭ଟି ବ୍ଳକରେ ୪ ଲକ୍ଷ ୮୨ ହଜାର ଲୋକ ଏହି ମେଳାରେ ଯୋଗ ଦେଇଛନ୍ତି । ସମଗ୍ର ଦେଶରେ ଉତ୍ସାହର ସହିତ ଲୋକମାନେ ଏହି ସ୍ୱାସ୍ଥ୍ୟ ମେଳାଗୁଡ଼ିକରେ ଯୋଗ ଦେଉଛନ୍ତି । ଏହି ମେଳାଗୁଡ଼ିକରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ, ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ସ୍ୱାସ୍ଥ୍ୟ ମନ୍ତ୍ରୀ, ସାଂସଦ, ବିଧାୟକ, କେନ୍ଦ୍ର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟର ମୁଖ୍ୟ ଶାସନ ସଚିବ, ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ସ୍ୱାସ୍ଥ୍ୟ ବିଭାଗ ସଚିବ, ସ୍ୱାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀଗଣ ଏବଂ ଜନପ୍ରତିନିଧିମାନେ ମଧ୍ୟ ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ମେଳାଗୁଡ଼ିକ ଆୟୋଜିତ ହୋଇଥିବା ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ଆରୋଗ୍ୟ କେନ୍ଦ୍ରଗୁଡ଼ିକରେ ଯୋଗଦେଇ ଏହି ମେଳାର ଗୁରୁତ୍ୱ ସମ୍ପର୍କରେ ଲୋକଙ୍କୁ ବୁଝାଉଛନ୍ତି । ଏହି ସ୍ୱାସ୍ଥ୍ୟ ମେଳାରେ ସୁବିଧାରେ ଏବଂ ଯେକୌଣସି ବ୍ୟକ୍ତି ସ୍ୱାସ୍ଥ୍ୟ ଖର୍ଚ୍ଚ ତୁଲାଇ ପାରିବା ଭଳି ଚିକିତ୍ସା ବ୍ୟବସ୍ଥା ହୋଇଛି ।

ଅପ୍ରେଲ ୧୮ ତାରିଖରୁ ୨୨ ତାରିଖ ପର୍ଯ୍ୟନ୍ତ ସମଗ୍ର ଦେଶର ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ପ୍ରତି ଜିଲ୍ଲାରେ ଅନ୍ତତଃ ପକ୍ଷେ ଗୋଟିଏ ବ୍ଳକରେ ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ଆରୋଗ୍ୟ ମେଳା ଅନୁଷ୍ଠିତ ହେଉଛି । ପ୍ରତି ଜିଲ୍ଲାରେ ଅନ୍ତତଃ ଗୋଟିଏ ବ୍ଳକରେ ଗୋଟିଏ ଦିନ ହିସାବରେ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକର ଦେଶସାରା ଏହି କାର୍ଯ୍ୟକ୍ରମ ଚାଲିଛି । ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକର ପ୍ରତ୍ୟେକ ବ୍ଳକରେ ଏହି ସ୍ୱାସ୍ଥ୍ୟ ମେଳା ଆୟୋଜିତ ହେଉଛି । ଏହି କାର୍ଯ୍ୟକ୍ରମର ଚତୁର୍ଥ ଦିନରେ ୫୮୭ଟି ବ୍ଳକରେ ୬୬ ହଜାର ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ପରିଚୟ ପତ୍ର ତିଆରି କରାଯାଇଛି ଏବଂ ୧୮ ହଜାର ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ସ୍ୱର୍ଣ୍ଣିମ କାର୍ଡ ପ୍ରଦାନ କରାଯାଇଛି । ହଜାର ହଜାର ଲୋକଙ୍କର ମାନସିକ ଚାପ, ରକ୍ତଚାପ ଆଦି ପରୀକ୍ଷା କରାଯାଇଛି । ଇ-ସଂଜିବନୀ ପ୍ଲାଟଫର୍ମରେ ୧୬ ତାରିଖ ଗୋଟିଏ ଦିନରେ ତିନି ଲକ୍ଷରୁ ଅଧିକ ଲୋକଙ୍କର ଟେଲି ପରାମର୍ଶ ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ଏବଂ ଆରୋଗ୍ୟ କେନ୍ଦ୍ରଗୁଡ଼ିକରେ କରାଯାଇଛି । ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ଏବଂ ଆରୋଗ୍ୟ କେନ୍ଦ୍ରଗୁଡ଼ିକରେ ଗୋଟିଏ ଦିନରେ ହୋଇଥିବା ଟେଲି ପରାମର୍ଶ ଏକ ନୂଆ ରେକର୍ଡ ସୃଷ୍ଟି କରିଛି । ପୂର୍ବରୁ ୧ ଲକ୍ଷ ୮ଠ ହଜାର ଟେଲି ପରାମର୍ଶ ଗୋଟିଏ ଦିନରେ ହୋଇଥିବାର ରେକର୍ଡ ସୃଷ୍ଟି ହୋଇଥିଲା । ଆଜି ସମଗ୍ର ଦେଶରେ ୩୩ ହଜାର ଟେଲି ପରାମର୍ଶ କରାଯାଇଛି ।

Leave a Reply

Your email address will not be published. Required fields are marked *

You may have missed