୧୦୦ କର୍ମଚାରୀଙ୍କୁ ୧୦୦ କାର୍‌ ଉପହାର ଦେଲା ଚେନ୍ନାଇର ‘ଆଇଟି’ କମ୍ପାନି

ଚେନ୍ନାଇ: କମ୍ପାନିର ସଫଳତା ଏବଂ ଅଭିବୃଦ୍ଧି ନିମନ୍ତେ ନିରବଚ୍ଛିନ୍ନ ସମର୍ଥନ ଏବଂ ଅତୁଳନୀୟ ଅବଦାନ ଥିବା ୧୦୦ଜଣ କର୍ମଚାରୀଙ୍କୁ ସୋମବାର ଦିନ ଚେନ୍ନାଇର ଆଇଟି କମ୍ପାନି ‘ଆଇଡିଆଜ୍‌୨ଆଇଟି’ ପ୍ରାୟ ୧୦୦ଟି ‘ମାରୁତି ସୁଜୁକି’ କାର୍‌ ଉପହାର ଦେଇଛି। ୧୦୦ଟି କାର୍‌ ମଧ୍ୟରେ ରହିଛି ‘ଏସ୍‌-କ୍ରସ୍‌’ରୁ ଆରମ୍ଭ କରି ଭିତାରା ବ୍ରିଜା ଏବଂ ବାଲେନୋ ପରି କାର୍‌।

‘ଆଇଡିଆଜ୍‌୨ଆଇଟି’ର ମାର୍କେଟିଙ୍ଗ୍‌ ହେଡ୍‌ ହରି ସୁବ୍ରମଣିଆନ୍ କହିଛନ୍ତି, ୧୦ ବ‌ର୍ଷରୁ ଊର୍ଦ୍ଧ୍ବ ହେବ ଆମ ନିଜର ହୋଇ ରହିଥିବା ୧୦୦ଜଣ କର୍ମଚାରୀଙ୍କୁ ଆମେ ୧୦୦ଟି କାର୍‌ ଉପହାର ଦେଉଛୁ। ଆମର ସର୍ବମୋଟ୍‌ ୫୦୦ କର୍ମଚାରୀ ଅଛନ୍ତି। ଆମେ ପାଇଥିବା ସମ୍ପଦ କର୍ମଚାରୀମାନଙ୍କୁ ଫେରଇ ଦେବା ହେଉଛି ଆମର ଚିନ୍ତାଧାରା।

‘ଆଇଡିଆଜ୍‌୨ଆଇଟି’ ସଂସ୍ଥାପକ ତଥା ଅଧ୍ୟକ୍ଷ ମୁରଲୀ ବିବେକାନନ୍ଦନ କହିଛନ୍ତି ଯେ, କମ୍ପାନିର ଉନ୍ନତି ନିମନ୍ତେ କର୍ମଚାରୀମାନେ ବହୁ କଷ୍ଟ ସ୍ବୀକାର କରିଛନ୍ତି। କମ୍ପାନି ସେମାନଙ୍କୁ କାର୍‌ ଦେଉନାହିଁ, ସେମାନେ ତାଙ୍କ କଠିନ ପରିଶ୍ରମ ବଳରେ କାର୍‌ ପାଇଛନ୍ତି। ୭/୮ବର୍ଷ ତଳେ ଆମେ କଥା ଦେଇଥିଲୁ, ଉତ୍ତୁଙ୍ଗ ଲକ୍ଷ୍ୟ ହାସଲ କଲେ ଆମେ ଆମର ସମ୍ପଦ ବାଣ୍ଟିଦେବୁ। କାର୍‌ ପୁରସ୍କାର ଦେବା ଅୟମାରମ୍ଭ ମାତ୍ର। ନିକଟ ଭବିଷ୍ୟତରେ ଆମେ ଆହୁରି ଏ ଭଳି ଯୋଜନା ପାଇଁ ବ୍ୟବସ୍ଥା କରିଛୁ।

ସୂଚନାଯୋଗ୍ୟ, ମାତ୍ର ୬ଜଣ ଇଞ୍ଜିନିୟର୍‌ଙ୍କୁ ନେଇ ୨୦୦୯ରେ ସଂସ୍ଥାପିତ ‘ଆଇଡିଆଜ୍‌୨ଆଇଟି’ର ସମ୍ପ୍ରତି ଯୁକ୍ତରାଷ୍ଟ୍ର ଆମେରିକା, ମେକ୍ସିକୋ ଏବଂ ଭାରତର ବିଭିନ୍ନ ପ୍ରାନ୍ତରେ ଶାଖା କାର୍ଯ୍ୟାଳୟ ରହିଛି। ‘ଫେସ୍‌ବୁକ୍‌’, ‘ବ୍ଲୁମ୍‌ବର୍ଗ’, ‘ମାଇକ୍ରୋସଫ୍‌ଟ’, ‘ଓରାକ୍ଲ’, ‘ମୋଟୋରୋଲା’, ‘ରସ୍‌’ ଓ ‘ମେଡ୍‌ଟ୍ରୋନିକ୍‌’ ଭଳି କମ୍ପାନିଗୁଡ଼ିକୁ ‘ଆଇଡିଆଜ୍‌୨ଆଇଟି’ ସଫ୍ଟୱେର୍‌ ସେବା ଯୋଗାଉଛି।

Leave a Reply

Your email address will not be published. Required fields are marked *