ବିଧାନସଭା ନିର୍ବାଚନ ପରେ ପେଟ୍ରୋଲ ମୂଲ୍ୟ ବଢିଲେ ରାସ୍ତାକୁ ଓହ୍ଲାଇବୁ: କଂଗ୍ରେସ

ନୂଆଦିଲ୍ଲୀ: ବ୍ୟବସାୟିକ ରନ୍ଧନ ଗ୍ୟାସ ଏବଂ କ୍ଷୀରର ମୂଲ୍ୟ ବୃଦ୍ଧି ନେଇ କଂଗ୍ରେସ ଦଳ ସରକାରଙ୍କୁ ଆକ୍ରମଣ କରିଛି। ବିଧାନସଭା ନିର୍ବାଚନ ପରେ ଇନ୍ଧନର ମୂଲ୍ୟ ବୃଦ୍ଧି ହେଲେ ଦଳ ରାସ୍ତାକୁ ଓହ୍ଲାଇବ ବୋଲି କଂଗ୍ରେସ କହିଛି। କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ କହିଛନ୍ତି ଯେ ଏଲପିଜି ମୂଲ୍ୟ ବଢ଼ାଇ ସରକାର ପ୍ରମାଣ କରିଛନ୍ତି ଯେ ଲୋକଙ୍କ ଅସୁବିଧା ସହ ସରକାରଙ୍କର କୌଣସି ସମ୍ପର୍କ ନାହିଁ। ଏହା ସହିତ ସେ ସୂଚାଇ ଦେଇଛନ୍ତି ଯେ ସରକାର ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧି କରିପାରନ୍ତି। ରାହୁଲ ଗାନ୍ଧୀ ଏକ ଟ୍ୱିଟ୍‌ରେ କହିଛନ୍ତି ଯେ ଆଜି ଏଲପିଜି ମୂଲ୍ୟ ବଢ଼ିଥିବାବେଳେ ଆଉ କିଛି ଦିନ ପରେ ପେଟ୍ରୋଲ-ଡିଜେଲ ମୂଲ୍ୟ ବଢିବ |

ସେହିପରି କଂଗ୍ରେସ ନେତ୍ରୀ ଅଳକା ଲାମ୍ବା କହିଛନ୍ତି ଯେ ମାର୍ଚ୍ଚ ପହିଲାରୁ ଦୁଗ୍ଧର ମୂଲ୍ୟ ୨ ଟଙ୍କା ବଢ଼ିଥିବାବେଳେ ଏହା ଶିଶୁ ଓ ମହିଳାଙ୍କ ପାଇଁ ଏକ ଝଟକା ସଦୃଶ ହୋଇଛି। ସେ କହିଛନ୍ତି ଯେ ଦିଲ୍ଲୀରେ ବ୍ୟବସାୟିକ ଏଲପିଜି ସିଲିଣ୍ଡରର ମୂଲ୍ୟ ୧୦୫ ଟଙ୍କା ବୃଦ୍ଧି କରାଯାଇଛି | ସେ କହିଛନ୍ତି, ଯେ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ସମାପ୍ତ ହେବା ପରେ ଘରୋଇ ରନ୍ଧନ ଗ୍ୟାସର ହାର ମଧ୍ୟ ୨୭ ଟଙ୍କା ବୃଦ୍ଧି ପାଇବ। ଉତ୍ତରପ୍ରଦେଶରେ ବିଜେପି ହାରୁଛି ବୋଲି ଜାଣିସାରିଲାଣି |

ନିର୍ବାଚନ ସମୟରେ ଏଲପିଜି ମୂଲ୍ୟ ବଢ଼ିଥିବାରୁ ଲୋକମାନେ ବିଜେପିକୁ ଦଣ୍ଡ ଦେବାକୁ ଯାଉଛନ୍ତି। ଯଦି ନିର୍ବାଚନ ପରେ ଗ୍ୟାସ ମୂଲ୍ୟ ବଢେ ତେବେ କଂଗ୍ରେସ ଦଳ ରାସ୍ତାକୁ ଓହ୍ଲାଇବ ବୋଲି ଅଳକା କହିଛନ୍ତି |

Leave a Reply

Your email address will not be published. Required fields are marked *