ସିଏମ୍‌ସି ପରିମଳ ଟେଣ୍ଡର୍‌କୁ ସରକାରଙ୍କ ଟେକ୍ନିକାଲ୍‌ ଅନୁମତି, ୫୯ ୱାର୍ଡ ୬ଟି ଜୋନ୍‌ରେ ଭାଗ; ୬ ଜୋନ୍‌ ପାଇଁ ହେବ ୬ଟି ଟେଣ୍ଡର୍‌

କଟକ: ସିଏମ୍‌ସି ପରିମଳ ଟେଣ୍ଡର ପାଇଁ ଏବେ ବାଟ ଫିଟିଛି। ସରକାରଙ୍କ ପକ୍ଷରୁ ପରିମଳ ଟେଣ୍ଡର ପାଇଁ ସିଏମ୍‌ସିକୁ ଟେକ୍ନିକାଲ୍‌ ଅନୁମତି ପ୍ରଦାନ କରାଯାଇଛି। ଦୀର୍ଘ ୭ବର୍ଷ ଧରି ଟେଣ୍ଡର ପ୍ରକ୍ରିୟାରେ ନାନା ସମସ୍ୟାକୁ ନେଇ ଏହା ଝୁଲି ରହିଥିଲା। ସିଏମ୍‌ସିର ୫୯ଟି ୱାର୍ଡକୁ ଟେକ୍ନିକାଲ ଟିମ୍‌ ପକ୍ଷରୁ ୬ଟି ଜୋନ୍‌ରେ ବିଭକ୍ତ କରି ଏକ ସଂପୂର୍ଣ୍ଣ ଯୋଜନା ପ୍ରସ୍ତୁତ କରାଯାଇ ସରକାରଙ୍କ ନିକଟକୁ ପଠାଯାଇଥିଲା। ଯୋଜନା ଅନୁଯାୟୀ ସହରର ସୁଇପିଂ, ଡ୍ରେନ ସଫେଇ, ବୁସ୍‌ କଟିଂ ଓ ଲୋକଙ୍କ ବାଡି ଅଳିଆ ଉଠାଇବା ପାଇଁ ଠିକା ସଂସ୍ଥା ଦ୍ବାରା ଲୋକମାନଙ୍କୁ ନିୟୋଜିତ କରାଯିବ। ତେବେ ୬ଟି ଜୋନ୍‌ ପାଇଁ ପୃଥକ ଭାବେ ୬ଟି ପ୍ୟାକେଜ୍‌ରେ ଟେଣ୍ଡର ଡକାଯିବ। ଗୋଟିଏ ସଂସ୍ଥା ୬ଟି ଟେଣ୍ଡରରେ ଭାଗ ନେଇ ପାରିବ। ମାତ୍ର ଗୋଟିଏ ସଂସ୍ଥାକୁ ସର୍ବାଧିକ ‌ଦୁଇଟି ୨ଟି ଟେଣ୍ଡର ମିଳିବ। ଅର୍ଥାତ ଗୋଟିଏ ସଂସ୍ଥା ସର୍ବାଧିକ ୨ଟି ଜୋନ୍‌ରେ ପରିମଳ କାମ କରିପାରିବ।

ମହାନନଗର ନିଗମରେ ୨୦୧୫, ମେ’ରେ ରାମ୍‌କୀ ସହିତ ସିଏମ୍‌ସିର ଚୁକ୍ତିନାମା ଶେଷ ହେବା ପରେ ପରିମଳ ଟେଣ୍ଡରକୁ ନେଇ ଅଚଳାବସ୍ଥା ଲାଗି ରହିଥିଲା। ସହରର ପରିମଳ ବ୍ୟବସ୍ଥାର ସୁପରିଚାଳନା ପାଇଁ ବାରମ୍ବାର ଟେଣ୍ଡର ପେପର୍ ପ୍ରସ୍ତୁତ ହୁଏ। ଏହାକୁ ଅନୁମୋଦନ ପାଇଁ ରାଜ୍ୟ ସରକାରଙ୍କୁ ପଠାଯାଏ। ମାତ୍ର ବିଭିନ୍ନ ତ୍ରୁଟି ଥିବାର ଦର୍ଶାଇ ଏହା ବାତିଲ ହୋଇଯାଏ। ବାରମ୍ବାର ଟେଣ୍ଡର ବାତିଲ ହୋବାରୁ ସିଏମ୍‌ସି ହାତରୁ ଟେଣ୍ଡର ପ୍ରସ୍ତୁତ କରିବା କ୍ଷମତା ରାଜ୍ୟ ସରକାର କାଢି ନେଇଥିଲେ। ସେପଟେ ସରକାରଙ୍କ ପକ୍ଷରୁ ବିଭିନ୍ନ ବିଭାଗର ଅଧିକାରୀଙ୍କୁ ନେଇ ଏକ ଟେକ୍ନିକାଲ୍‌ ଟିମ୍‌ ଗଠନ କରାଯାଇ ଟେଣ୍ଡର ପେପ୍‌ର ପ୍ରସ୍ତୁତ କରାଯାଇଥିଲା। ସିଏମ୍‌ସିର ୫୯ଟି ୱାର୍ଡକୁ ୬ଟି ଜୋନ୍‌ରେ ଭାଗ କରାଯାଇଥିବା ବେଳେ ଗୋଟିଏ ଜୋନ୍‌ରେ ୯ରୁ ୧୦ଟି ୱାର୍ଡ ରହିଛି। ଠିକା ସଂସ୍ଥାର କର୍ମଚାରୀମାନେ ସହରରେ ରାସ୍ତାଘାଟ ସଫେଇ, ଡ୍ରେନ୍ ସଫା, ଗଛ କଟା ଆଦି କାମ କରିବେ। ସିଏମ୍‌ସିର ପରିମଳ ଟେଣ୍ଡର ପାଇଁ ସରକାରଙ୍କ ପକ୍ଷରୁ ଟେକ୍ନିକାଲ ଅନୁମୋଦନ ମିଳିଛି। ଖୁବଶିଘ୍ର ୬ଟି ଜୋନ୍‌ ପାଇଁ ୬ଟି ଟେଣ୍ଡର ଡକାଯିବ ବୋଲି ସିଏମ୍‌ସି ଡେପୁଟି କମିସନର (ସାନିଟେସନ୍‌) ସଂଜୀବିତା ରାୟ କହିଛନ୍ତି।

Leave a Reply

Your email address will not be published. Required fields are marked *