ସଚେତନତା ଶିବିରରେ ଭିନ୍ନକ୍ଷମଙ୍କୁ ମୁଖ୍ୟସ୍ରୋତରେ ସାମିଲ କରିବାକୁ ଆହ୍ୱାନ
ଖୋର୍ଦ୍ଧା :୨୭।୧୦(ପ୍ରବାହ ନିଉଜ୍): ରାଜ୍ୟ ଭିନ୍ନକ୍ଷମ ଆୟୁକ୍ତ ଏବଂ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ମିଳିତ ଆନୁକୂଲ୍ୟରେ ଆଜି ଖୋର୍ଦ୍ଧା ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ଭିନ୍ନକ୍ଷମ ମାନଙ୍କ ଅଧିକାର ଏବଂ ଅଧିନିୟମ ସହିତ ବିଭିନ୍ନ ଯୋଜନା ସମ୍ପର୍କରେ ଏକ ସଚେତନତା ଶିବିର ଆୟୋଜିତ ହୋଇଯାଇଛି ।
କାର୍ଯ୍ୟକ୍ରମରେ ରାଜ୍ୟ ସରକାରଙ୍କ ଭିନ୍ନକ୍ଷମ ଆୟୁକ୍ତ ସୁଲୋଚନା ଦାସ ଯୋଗ ଦେଇ ଭିନ୍ନକ୍ଷମମାନଙ୍କ ଅଧିକାର ଓ ଅଧିନିୟମ ସମ୍ପର୍କରେ ଆଲୋକପାତ କରିଥିବା ବେଳେ ଖୋର୍ଦ୍ଧା ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଜିଲ୍ଲାରେ ଭିନ୍ନକ୍ଷମଙ୍କ ନିମନ୍ତେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ପ୍ରକାର ଯୋଜନା ଉପରେ ଆଲୋକପାତ କରିବା ସହିତ ସେମାନଙ୍କୁ କିପରି କରୋନା ଟୀକା ପ୍ରଦାନ କ୍ଷେତ୍ରରେ ପ୍ରାଥମିକତା ଦିଆଯିବ, ସେ ନେଇ ଆଲୋଚନା କରିଥିଲେ ଏବଂ ସେମାନଙ୍କୁ ମୁଖ୍ୟ ସ୍ରୋତରେ କିପରି ସାମିଲ କରାଯିବ, ତାକୁ ପ୍ରାଧାନ୍ୟ ଦେବା ସହିତ ଭିନ୍ନକ୍ଷମ ମାନଙ୍କୁ ସହଯୋଗ କରିବାକୁ ସେ କହିଥିଲେ। ଜିଲ୍ଲାପାଳ ଶ୍ରୀ ମହାପାତ୍ର ଭିନ୍ନକ୍ଷମମାନଙ୍କୁ ଆବଶ୍ୟକୀୟ ସୁବିଧା ଯୋଗାଇ ଦିଆଯିବା ସହିତ ସେମାନଙ୍କୁ ଚିହ୍ନଟ କରାଯାଇ ପରିଚୟ ପତ୍ର ପ୍ରଦାନ କରିବା ପାଇଁ ବିଶେଷ ଧ୍ୟାନ ଦିଆଯିବ। ସର୍ବସାଧାରଣ ସ୍ଥାନକୁ ଭିନ୍ନକ୍ଷମମାନେ ଯେପରି ସୁବିଧାରେ ଯାତାୟତ କରି ପାରିବେ, ସେ ନିମନ୍ତେ ସମସ୍ତ ପ୍ରକାର ବ୍ୟବସ୍ଥା କରିବାକୁ କହିଥିଲେ । ଏହା ସହିତ କୋଭିଡ ଟିକା ପ୍ରଦାନ କ୍ଷେତ୍ରରେ ଭିନ୍ନକ୍ଷମ ମାନଙ୍କୁ ଅଗ୍ରାଧିକାର ଦେବା ପାଇଁ ଗୁରୁତ୍ଵ ଦେଇଥିଲେ।
ବୈଠକରେ ଅତିରିକ୍ତ ଜିଲ୍ଲାପାଳ ମନୋଜ ପାଢ଼ୀ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ଦିଗନ୍ତ ରାଉତରାୟ, ଖୋର୍ଦ୍ଧା ଉପ-ଜିଲ୍ଲାପାଳ ଗୌରବ ଶିବାଜୀ ଇସାଲୱାର, ଭୁବନେଶ୍ୱର ଉପ-ଜିଲ୍ଲାପାଳ ଦେବବ୍ରତ ସାହୁ, ବିଭିନ୍ନ ବ୍ଲକର ବିଡିଓ ଏବଂ ତହସିଲଦାର, ପ୍ରମୁଖଙ୍କ ସହିତ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀ ଓ ଲୁଇସ ଭ୍ୟାଲି ବ୍ଲାଇଣ୍ଡ ସ୍କୁଲ ଓ ରାଜଧାନୀ ଡିଭସ ସ୍କୁଲର କିଛି ଭିନ୍ନକ୍ଷମ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ । ପରିଶେଷରେ ଭିନ୍ନକ୍ଷମ ମାନଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଟ୍ରାଇ ସାଇକେଲ ଭିନ୍ନକ୍ଷମ ଆୟୁକ୍ତ ଏବଂ ଜିଲ୍ଲାପାଳଙ୍କ ମାଧ୍ୟମରେ ପ୍ରଦାନ କରାଯାଇଥିଲା ।