ପାରିବାରିକ କଳହର କରୁଣ ପରିସ୍ଥିତି : ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ
ଖୋର୍ଦ୍ଧା : ୧୦/୧୦(ପ୍ରବାହ ନିଉଜ୍) ଟାଉନ ଥାନା ଅନ୍ତର୍ଗତ ଗୁରୁଜଙ୍ଗରେ ଘଟିଛି ଏକ ଅଭାବନୀୟ ଘଟଣା ।ପାରିବାରିକ ଜୀବନରେ ବିଶୃଙ୍ଖଳା ହେତୁ ନିଜ ସ୍ତ୍ରୀର ତଣ୍ଟି କାଟି ହତ୍ଯା କରିଛି ସ୍ବାମୀ। ବିଳମ୍ବିତ ରାତିରେ ହତ୍ଯାକାଣ୍ଡ ଘଟାଇ ସ୍ବାମୀ ଶଶୁର ଘରୁ ପାଚେରୀ ଡେଇଁ ଫେରାର ହୋଇଯାଇଛି । ମୃତକ ହେଲେ ୩୭ବର୍ଷୀୟା ଇନ୍ଦିରା ପ୍ରିୟଦର୍ଶିନୀ ମହାନ୍ତି। ଗତକାଲି ବିଳମ୍ବିତ ରାତିରେ ଏହି ଘଟଣା ଘଟିଛି।
ସୂଚନା ମୁତାବକ ଗତ ୨୦୦୫ ମସିହାରେ ଗୁରୁଜଙ୍ଗ ମାଳିସାହି ଅଞ୍ଚଳର କାର୍ତ୍ତିକ ପ୍ରଧାନ ସ୍ଥାନୀୟ ପତିତପାବନ ଛକ ଜଗନ୍ନାଥ ମନ୍ଦିର ନିକଟରେ ରହୁଥିବା ଇନ୍ଦିରାଙ୍କୁ ପ୍ରେମ ବିବାହ କରିଥିଲେ। କିଛିଦିନ ସୁଖର ସଂସାର କରିବା ପରେ କାର୍ତ୍ତିକ ଇନ୍ଦିରାଙ୍କ ଚରିତ୍ରକୁ ସନ୍ଦେହ କରିବା ହେତୁ ଉଭୟଙ୍କ ମଧ୍ୟରେ ଦୀର୍ଘଦିନ ହେବ କଳହ ଲାଗି ରହିବା ଫଳରେ ଇନ୍ଦିରା ନିଜ ୧୪ର ବର୍ଷର ପୁଅକୁ ସାଥିରେ ଧରି ଵାପ ଘରେ ଆସି ରହୁଥିଲେ । ଏବେ କିଛିଦିନ ତଳେ ଇନ୍ଦିରାଙ୍କ ସ୍ୱାସ୍ଥ୍ୟ ସମସ୍ୟା ଦେଖା ଦେବାରୁ କାର୍ତ୍ତିକ ଶ୍ବଶୂର ଘରକୁ ଯିବା ଆସିବା କରୁଥିଲେ । ଗତକାଲି ରାତିରେ ପରିବାର ଲୋକ ଖାଇପିଇ ଶୋଇ ପଡିବା ପରେ ସୁଯୋଗ ଦେଖି ବିଳମ୍ବତ ରାତିରେ କାର୍ତ୍ତିକ କୌଣସି ଏକ ଧାରୁଆ ଅସ୍ତ୍ର ରେ ଇନ୍ଦିରାଙ୍କ ତଣ୍ଟି କାଟି ହତ୍ଯା କରିବା ପରେ ଫେରାର ହୋଇଯାଇଛି।
ଖବରପାଇ ଆଦର୍ଶ ଥାନା ପୋଲିସ ଏବଂ ସାଇଣ୍ଟିଫିକ ଟିମ ସହ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପୋଲିସ ଶବ କୁ ଜବତ କରି ବ୍ଯବଚ୍ଛେଦ ପାଇଁ ମେଡିକାଲ ପଠାଇଥିବା ବେଳେ ମୃତକାଙ୍କ ମାମୁଁଙ୍କ ଅଭିଯୋଗ କ୍ରମେ ପୋଲିସ ଛାନଭିନ ଆରମ୍ଭ କରିଛି। ହତ୍ୟାକାରୀ କାର୍ତ୍ତିକକୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି।