ବ୍ରାହ୍ମଣୀପାଳଠାରେ ‘ଗୁରୁ ଗୋମକେ’ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ୧୨୧ତମ ଜନ୍ମ ଜୟନ୍ତୀ ପାଳିତ
ବ୍ରାହ୍ମଣୀପାଳ, ମଇ ୨, ୨୦୨୬: ‘ଗୁରୁ ଗୋମକେ’ ଭାବେ ପୂଜିତ କିମ୍ବଦନ୍ତୀ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ୧୨୧ତମ ଜନ୍ମ ଜୟନ୍ତୀ ବ୍ରାହ୍ମଣୀପାଳଠାରେ ବହୁ ଉତ୍ସାହର ସହ ପାଳିତ ହୋଇଯାଇଛି। ଟାଟା ଷ୍ଟିଲ୍ ଫାଉଣ୍ଡେସନ (ଟିଏସଏଫ), ବ୍ରାହ୍ମଣୀପାଳ ସ୍ଥିତ ବାବା ତିଲକା ମାଝୀ ଆଦିବାସୀ କ୍ଲବ ଏବଂ ଆଦିବାସୀ ସୋସିଓ ଏଜୁକେସନାଲ ଆଣ୍ଡ କଲଚରାଲ ‘ଆସୋସିଏସନ’ (ଏଏସଇସିଏ), ଯାଜପୁରର ମିଳିତ ସହଯୋଗରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ‘ଓଲ ଚିକି’ ଲିପିର ଜନକ ତଥା ଦୂରଦ୍ରଷ୍ଟା ପଣ୍ଡିତ ମୁର୍ମୁଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ପାଇଁ ସାନ୍ତାଳ ସମ୍ପ୍ରଦାୟର ପ୍ରାୟ ୫୫୦ ଜଣ ସଦସ୍ୟ ଏହି ସ୍ମୃତି ଚାରଣ ସଭାରେ ଏକତ୍ରିତ ହୋଇଥିଲେ।
ଏହି କାର୍ଯ୍ୟକ୍ରମରେ ରାଇରଙ୍ଗପୁର, ଏଏସଇସିଏ ସଭାପତି ଶ୍ରୀ ମନୋରଞ୍ଜନ ମୁର୍ମୁ ମୁଖ୍ୟ ଅତିଥି ଭାବେଯୋଗ ଦେଇଥିବାବେଳେ ଏବଂ ଓଡ଼ିଶା ସରକାରଙ୍କ ଜଳସମ୍ପଦ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ, ଶ୍ରୀ ଦୁଃଖୁ କିସକୁ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ଅନ୍ୟତମ ଅତିଥିମାନଙ୍କ ମଧ୍ୟରେ ଟାଟା ଷ୍ଟିଲ ଏଫ୍ ଏପି ବ୍ରାହ୍ମଣୀପାଳ ପ୍ଲାଣ୍ଟ ହେଡ ଶ୍ରୀ ଆଦର୍ଶ ଅଗ୍ରୱାଲ, ବଜରଙ୍ଗବାଲି ଟ୍ରକ୍ ଆସୋସିଏସନର ଶ୍ରୀ ଦୀପକ ଜେନା, ବ୍ରାହ୍ମଣୀପାଳ ୟୁନିଟ୍ ହେଡ ଶ୍ରୀ ରଜତ ଶତପଥୀ ଏବଂ ଏଏସଇସିଏ, ଯାଜପୁର ଶାଖାର ସଭାପତି ଶ୍ରୀ ରମେଶ ଚନ୍ଦ୍ର ମୁର୍ମୁ ଉପସ୍ଥିତ ଥିଲେ।
ଉତ୍ସବ ଅବସରରେ ବକ୍ତାମାନେ ଆଦିବାସୀ ସମାଜ ପ୍ରତି ଗୁରୁ ଗୋମକେଙ୍କ ଗଭୀର ଅବଦାନ ଉପରେ ଆଲୋକପାତ କରିଥିଲେ। ସାନ୍ତାଳୀ ପରିଚୟ, ଭାଷା ଏବଂ ସଂସ୍କୃତିର ସଂରକ୍ଷଣରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ସେମାନେ ଗୁରୁତ୍ୱାରୋପ କରିବା ସହ ତାଙ୍କର ଆଦର୍ଶ ଆଜି ମଧ୍ୟ ସମାଜ ପାଇଁ ଗର୍ବ ଓ ପ୍ରେରଣାର ଉତ୍ସ ହୋଇ ରହିଛି ବୋଲି କହିଥିଲେ। ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଜୀବନବ୍ୟାପୀ ସାଂସ୍କୃତିକ ଓ ଶିକ୍ଷାଗତ ଉନ୍ନତିର ମୂଲ୍ୟବୋଧକୁ ବଜାୟ ରଖିବା ପାଇଁ ଏକ ସାମୂହିକ ସଂକଳ୍ପ ସହିତ କାର୍ଯ୍ୟକ୍ରମଟି ଶେଷ ହୋଇଥିଲା।
