ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଟିକାକରଣ କେନ୍ଦ୍ରରେ ବ୍ୟାପକ ଅସୁବିଧା : ସାଧାରଣରେ ଅସନ୍ତୋଷ

ଖୋର୍ଦ୍ଧା: ୨୭/୦୪/୨୦୨୧:ସାରା ରାଜ୍ୟରେ ପ୍ରତ୍ୟେକ ଦିନ କୋଭିଡ୍ ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତଗତିରେ ବଢ଼ି ଚାଲିଛି। ଖୋର୍ଦ୍ଧା ଜିଲ୍ଲାରେ ଲଗାତାର ସଂକ୍ରମିତଙ୍କ ସଂଖ୍ୟା ଅହେତୁକ ଭାବରେ ବୃଦ୍ଧି ପାଇବାରେ ଲାଗିଛି । ସଂକ୍ରମଣ କ୍ଷେତ୍ରରେ ଖୋର୍ଦ୍ଧା ଜିଲ୍ଲା ସବୁଠୁ ଆଗରେ ।ଏହା ସହିତ ଖୋର୍ଦ୍ଧା ପୌରାଞ୍ଚଳ ସମେତ ଏହାର ଉପଖଣ୍ଡ ଅଞ୍ଚଳରେ ମଧ୍ୟ ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି ।

ଏହାକୁ ଦୃଷ୍ଟିରେ ରଖି ଖୋର୍ଦ୍ଧା ପୌରାଞ୍ଚଳରେ ସଂକ୍ରମଣ ନିୟନ୍ତ୍ରଣ ଲାଗି କୋଭିଡ୍ ସଂକ୍ରମଣ ଲାଗି ଜିଲ୍ଲା ପ୍ରଶାସନ କୋଭିଡ୍ ଟିକାକରଣ କେନ୍ଦ୍ର ପ୍ରତିଷ୍ଠା କରିବା ସହିତ ଅଧିକରୁ ଅଧିକ ଟେଷ୍ଟି ଉପରେ ଗୁରୁତ୍ବ ଦେଉଛନ୍ତି। ବର୍ତ୍ତମାନ ୪୫ ବର୍ଷରୁ ଉର୍ଦ୍ଧ ନାଗରିକ ଓ ୬୦ ବର୍ଷରୁ ଉର୍ଦ୍ଧ ବରିଷ୍ଠ ନାଗରିକଙ୍କୁ ଟିକାଦାନ ପ୍ରକ୍ରିୟା ଜାରି ରହିଛି । ଖୋର୍ଦ୍ଧା ଉପଖଣ୍ଡ (ବିଏମ୍‌ସିକୁ ବାଦଦେଇ)ରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମେତ ୩୫ଟି କେନ୍ଦ୍ରରେ ଏହି ଟିକାକରଣ ଚାଲିଛି।

ତେବେ ଟିକାକରଣ କେନ୍ଦ୍ରରେ ପ୍ରଥମେ ପ୍ରଥମେ ସୁରୁଖୁରୁରେ ଟିକାଦାନ ପ୍ରକ୍ରିୟା ଚାଲିଥିବା ବେଳେ ଗତ ଏକ ସପ୍ତାହ ହେବ ଟୀକାକରଣ ରେ ବ୍ୟାପକ ଅବ୍ୟବସ୍ଥା ଦେଖିବାକୁ ମିଳିଛି। ଏହାର ମୁଖ୍ୟ କାରଣ ହେଉଛି, ଜିଲ୍ଲାରେ ହୁ ହୁ ହୋଇ ବଢ଼ି ଚାଲିଥିବା ସଂକ୍ରମଣ ହେତୁ ଟୀକା ନେବା ପାଇଁ ଲୋକଙ୍କ ମଧ୍ୟରେ ଅସମ୍ଭବ ଭିଡ଼ ଦେଖିବାକୁ ମିଳିଛି ।
ନାମ ପଞ୍ଜୀକରଣ ଓ ଟିକା ନେବା ପାଇଁ ଟିକାକରଣ କେନ୍ଦ୍ର ଫାଟକ ଆଗରେ ଲୋକେ ଘଣ୍ଟା ଘଣ୍ଟା ଧରି ଧାଡିରେ ଛିଡ଼ା ହୋଇ ରହିବା ସହ ଠେଲାପେଲା ହେଉଛନ୍ତି।

ମଙ୍ଗଳବାର ଜିଲା ମୁଖ୍ୟ ଚିକିତ୍ସାଳୟ ପରିସରର ଟ୍ରମା କେୟାର ଠାରେ ଚାଲିଥିବା ଟିକାଦାନ କେନ୍ଦ୍ରରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି। ଲୋକଙ୍କ ମଧ୍ୟରେ ସାମାଜିକ ଦୂରତ୍ଵ ରହି ନ ଥିଲା ।

ବିଶେଷତଃ ଟିକା ନେବା ପାଇଁ ଆସୁଥିବା ବରିଷ୍ଠ ନାଗରିକମାନେ ଘୋର ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଟିକାଦାନ କେନ୍ଦ୍ରରେ କୌଣସି ପ୍ରକାର ମୌଳିକ ସୁବିଧା ନଥିବାରୁ, ଟୀକା ନେବାକୁ ଆସୁଥିବା କିଛି ବରିଷ୍ଠ ନାଗରିକ ଏନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ବିଭାଗୀୟ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେଇ ଟିକାଦାନ କେନ୍ଦ୍ରରେ ସମସ୍ତ ମୌଳିକ ସୁବିଧା ଯୋଗାଇ ଦେବାକୁ ସାଧାରଣରେ ଦାବି ହେଉଛି।

Leave a Reply

Your email address will not be published. Required fields are marked *