ଦାନଗଦୀସ୍ଥିତ ନୀଳାଚଳ ହାଇସ୍କୁଲରେ ନବନିର୍ମିତ ଦୁଇଟି ଅତିରିକ୍ତ ପ୍ରକୋଷ୍ଠ ଲୋକାର୍ପିତ

କଳିଙ୍ଗନଗର, ପ୍ରବାହ ନ୍ୟୁଜ୍ : ସ୍ଥାନୀୟ ଅଞ୍ଚଳର ଶିକ୍ଷା ଭିତ୍ତିଭୂମିରେ ଉନ୍ନତି ଆଣିବା ଉଦ୍ଦେଶ୍ୟରେ ନୀଳାଚଳ ଇସ୍ପାତ ନିଗମ ଲିମିଟେଡ୍ (ଏନ୍ ଆଇଏନ୍ ଏଲ୍ ) ଓ ଟାଟାଷ୍ଟିଲ୍ ଫାଉଣ୍ଡେସନ୍ (ଟିଏସଏଫ) ପକ୍ଷରୁ ଦାନଗଦୀ ବ୍ଲକ ଅନ୍ତର୍ଗତ ନଡ଼ିଆଭଙ୍ଗା ସ୍ଥିତ ନୀଳାଚଳ ହାଇସ୍କୁଲର ୨୧୦୦ ବର୍ଗ ଫୁଟ ଅଞ୍ଚଳରେ ନବନିର୍ମିତ ଦୁଇଟି ଅତିରିକ୍ତ ପ୍ରକୋଷ୍ଠ ମଙ୍ଗଳବାର ଲୋକାର୍ପଣ କରାଯାଇଛି । ନବନିର୍ମିତ ଏହି ଦୁଇ ପ୍ରକୋଷ୍ଠକୁ ଏନ୍ଆଇଏନ୍ଏଲ୍ର ପରିଚାଳନା ନିର୍ଦେଶକ ତଥା ସିଇଓ ସୁଧୀର କୁମାର ମେହେଟ୍ଟା ଉଦଘାଟନ କରିଥିଲେ । ଏହି ଅବରସରରେ ନଡିଆଭଙ୍ଗା ସରପଞ୍ଚ ରସ୍ମିତା ସାହୁ, ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟ, ସ୍ଥାନୀୟ ଗ୍ରାମବାସୀ ଓ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ । ଏହି ନବନିର୍ମିତ ଦୁଇଟି ପ୍ରକୋଷ୍ଠ ମଧ୍ୟରୁ ଗୋଟିଏ ଶ୍ରେଣୀଗୃହ ଏବଂ ଅନ୍ୟଟି ପ୍ରଶାସନିକ କାର୍ଯ୍ୟାଳୟ ପାଇଁ ବ୍ୟବହାର ହେବ । ଯାହା ବିଦ୍ୟାଳୟର ଛାତ୍ରଛାତ୍ରୀ ଏବଂ ଅଧ୍ୟାପକମାନଙ୍କ ଅବଶ୍ୟକତାକୁ ପୂରଣ କରିବ ।
ଏଥି ସହିତ ଟିଏସଏଫ ଓ ଏନଆଇଏନଏଲ ସ୍କୁଲର ଅର୍ଦ୍ଧ ନିର୍ମିତ ପାଚେରୀର ନିର୍ମାଣ କାର୍ଯ୍ୟ ଶେଷ କରିବେ । ଯାହା ବିଦ୍ୟାଳୟର ପରିବେଶର ସୁରକ୍ଷା ଏବଂ ନିରାପତ୍ତା ବୃଦ୍ଧି କରିବ । ଛାତ୍ରଛାତ୍ରୀମାନେ ଯେପରି ଏକ ସୁରକ୍ଷିତ ସ୍ଥାନରେ ଶିକ୍ଷା ଗ୍ରହଣ କରିପାରିବେ ଏବଂଖେଳକୁଦ କରିପାରିବେ ତାହା ସୁନିଶ୍ଚିତ କରିବ । ଅଷ୍ଟମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କୁ ସାମଗ୍ରିକ ଶିକ୍ଷା ପ୍ରଦାନ କରୁଥିବା ନୀଳାଚଳ ହାଇସ୍କୁଲ ନଡିଆଭଙ୍ଗା ଗ୍ରାମ ପଞ୍ଚାୟତର ଏକମାତ୍ର ହାଇସ୍କୁଲ ଅଟେ । ବର୍ତ୍ତମାନ ଏଠାରେ ୨୨୦ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି । ଯାହା କି ପିଲାମାନଙ୍କ ପାଇଁ ଏକ ସୁରକ୍ଷିତ ଶିକ୍ଷଣ ବାତାବରଣ ସୃଷ୍ଟି କରିବାର ଗୁରୁତ୍ୱ ବହନ କରିବ । ଏହା ଛାତ୍ରଛାତ୍ରୀମାନଙ୍କ ପାଇଁ ଏକ ଅନୁକୂଳ ଶୈକ୍ଷିକ ବାତାବରଣ ସୃଷ୍ଟି କରିବା ପାଇଁ ଟିଏସଏଫ ଏବଂ ଏନଆଇଏନଏଲର ମିଳିତ ପ୍ରତିବଦ୍ଧତାକୁ ଦର୍ଶାଉଛି । ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ବିଦ୍ୟାଳୟର ଭିତ୍ତିଭୂମି ବିକାଶରେ ପୁଞ୍ଜିନିବେଶ କରି ଛାତ୍ରଛାତ୍ରୀମାନଙ୍କୁ ଉନ୍ନତ ଶିକ୍ଷା ପ୍ରଦାନ କରି ସଶକ୍ତ କରାଇବ ।