କୋରାପୁଟ ଜିଲ୍ଳାର ଅପପୁଷ୍ଟିର ସୁପରିଚାଳନା ପାଇଁ ରାଉଣ୍ଡ୍ ଟେବୁଲ୍ ବୈଠକ

କୋରାପୁଟ, ପ୍ରବାହ ନ୍ୟୁଜ୍‌ : ୟୁନିସେଫ୍ ଦ୍ୱାରା ଜାତୀୟ ସ୍ୱାସ୍ଥ୍ୟ ମିିଶନ୍ (ଏନ୍‌ଏଚ୍‌ଏମ୍‌) ଏବଂ ଓଡିଶା ସରକାରଙ୍କ ସହଯୋଗରେ କୋରାପୁଟରେ ଅପପୃଷ୍ଟିର ମୁକାବିଲା ପାଇଁ ଏକ ଉଚ୍ଚ-ପ୍ରଭାବଶାଳୀ ରାଉଣ୍ଡ୍ ଟେବୁଲ୍ ବୈଠକର ଆୟୋଜନ କରାଯାଇଥିଲା । ଏହି ବୈଠକରେ ଅଞ୍ଚଳର ଅତିଶୟ ପୃଷ୍ଟିହୀନ(ସାମ୍‌-ଏସ୍‌ଏଏମ୍‌)ର ସମାଧାନ ଏବଂ ସଚେତନତା ସୃଷ୍ଟି କରିବା ପାଇଁ ବିଭିନ୍ନ ବିଭାଗର ସହଯୋଗ ଓ ଗଣମାଧ୍ୟମର ଯୋଗଦାନ ଆଲୋଚନାର କେନ୍ଦ୍ରବିନ୍ଦୁ ଥିଲା ।
କୋରାପୁଟର ଡିପିଏମ୍‌-ଏନ୍‌ଓପି ମମତା ମହାନ୍ତିଙ୍କ ଦ୍ୱାରା ସ୍ୱାଗତ ଭାଷଣ ଏବଂ ବୈଠକର ଉପକ୍ରମ ଦର୍ଶାଇ ରାଉଣ୍ଡ୍ ଟେବୁଲ୍ ବୈଠକ ଆରମ୍ଭ କରିଥିଲେ, ଯେଉଁଥିରେ ଓଡିଶାର ସବୁଠୁ ଅଧିକ ପ୍ରଭାବିତ ଜିଲ୍ଲା କୋରାପୁଟରେ ଅପପୁଷ୍ଟିର ସମାଧାନ ପାଇଁ ନିତ୍ୟାନ୍ତ ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ । ଡିପିଏମ୍ ଜିଲ୍ଲାର ସାମ୍‌(ଏସ୍‌ଏଏମ୍‌) ପରିଚାଳନା ପାଇଁ କାର୍ଯ୍ୟକଳାପର ବିସ୍ତୁତ ରୂପରେଖ ଉପସ୍ଥାପନ କରିବା ସହିତ ସରକାରୀ ସ୍ତରରେ ଚାଲିଥିବା ପ୍ରୟାସ ଏବଂ ଭବିଷ୍ୟତର ଯୋଜନାଗୁଡିକ ଉପରେ ଆଲୋକପାତ କରିଥିଲେ । “କୋରାପୁଟ ଜିଲ୍ଲାର ଲୋକମାନଙ୍କ ପାଖରେ ଅପପୃଷ୍ଟିର ପ୍ରଭାବଶାଳୀ ସମାଧାନ ପହଁଞ୍ଚାଇବା ପାଇଁ ତୃଣମୂଳ ସ୍ତରରେ ଅଙ୍ଗନବାଡି କେନ୍ଦ୍ର ଏବଂ ସ୍ଥାନୀୟ ସଂଗଠନର ଭୂମିକା ଗୁରୁତ୍ୱପୂର୍ଣ୍ଣ । ଆମର ଏହି ନେଟୱାର୍କକୁ ମଜବୁତ୍ କରିବା ଏବଂ ପୁଷ୍ଟିକର ହସ୍ତକ୍ଷେପ ଜିଲ୍ଲାର ପ୍ରତ୍ୟେକ କୋଣରେ ପହଁଞ୍ଚାଇବା ପାଇଁ ଲକ୍ଷ୍ୟ ରଖିଛୁ”, ସେ ମତ ଦେଇଥିଲେ ।
ୟୁନିସେଫ୍ ପୋଷଣ ବିଶେଷଜ୍ଞ ସୌରଭ ଭଟ୍ଟାଚାର୍ଯ୍ୟ ଏହି ଅଧିବେଶନକୁ ଆଗେଇ ନେଇ ଅପପୁଷ୍ଟି ତଥା ସାମ୍‌(ଏସ୍‌ଏଏମ୍‌) ପରିଚାଳନାର ବିବରଣୀ ପ୍ରଦାନକରି କରିଥିଲେ, “କୋରାପୁଟରେ ୪୩% ରୁ ଅଧିକ ପିଲା ଷ୍ଟଣ୍ଟେଡ୍ (ବୟସ ଅନୁଯାୟୀ ଉଚ୍ଚତା କମ୍‌) ହୋଇଥିବା ବେଳେ ୧୬% ପିଲା ୱେଷ୍ଟିଙ୍ଗ୍‌(ଉଚ୍ଚତା ଅନୁଯାୟୀ ଓଜନ କମ୍‌)ର ଶିକାର ହେଉଛନ୍ତି । ଜୀବନ ବଞ୍ଚାଇବା ଏବଂ ପିଲାମାନଙ୍କ ସୁସ୍ଥ ଭବିଷ୍ୟତକୁ ପ୍ରୋତ୍ସାହିତ କରିବା ପାଇଁ ଆମେ ଅତିଶୟ ପୃଷ୍ଟିହୀନ(ସାମ୍‌-ଏସ୍‌ଏଏମ୍‌) ପରିଚାଳନାକୁ ପ୍ରାଥମିକତା ଦେବା ଆବଶ୍ୟକ । ସାମ୍‌(ଏସ୍‌ଏଏମ୍‌) ପରିଚାଳନା କେବଳ ଖାଦ୍ୟ ବିଷୟରେ ନୁହେଁ, ଏହା ସ୍ୱାସ୍ଥ୍ୟ, ପରିମଳ ଏବଂ ଶିକ୍ଷା ସହିତ ସମନ୍ୱିତ ଆଭିମୁଖ୍ୟ ବିଷୟକୁ ମଧ୍ୟ ଗୁରୁତ୍ୱ ଦିଏ । ପ୍ରଭାବଶାଳୀ ସାମ୍‌(ଏସ୍‌ଏଏମ୍‌) ପରିଚାଳନା କେବଳ ଜୀବନ ରକ୍ଷା କରେ ନାହିଁ ବରଂ ପିଲାମାନଙ୍କ ସାମଗ୍ରିକ ସୁସ୍ଥତା ଏବଂ ଜ୍ଞାନର ବିକାଶରେ ମଧ୍ୟ ସହାୟକ ହୋଇଥାଏ” ।


ଏହି କାର୍ଯ୍ୟକ୍ରମରେ ବିସ୍ତୃତ ଆଲୋଚନା ଏବଂ ପ୍ରଶ୍ନ-ଉତ୍ତର ଅଧିବେଶନ ମଧ୍ୟ ଆୟୋଜିତ ହୋଇଥିଲା, ଯେଉଁଠାରେ ଅଂଶଗ୍ରହଣକାରୀମାନେ ଏ ବିଷୟରେ ନିଜ ମତାମତ ରଖିବା ସହିତ ଏହି ଅଞ୍ଚଳରେ ଅପପୁଷ୍ଟିର ଆହ୍ୱାନ ଓ ସମାଧାନ ବିଷୟରେ ପ୍ରଶ୍ନ ଉଠାଇଥିଲେ । ପଲିସି ମେକର୍‌, ସ୍ୱାସ୍ଥ୍ୟ ବିଶେଷଜ୍ଞ ଏବଂ ଗଣମାଧ୍ୟମ ପ୍ରତିନିଧିମାନେ ସାମିଲ୍ ହେବାରେ ଏହି ଅଧିବେଶନ ଏକ ପ୍ଲାଟ୍‌ଫର୍ମ ପ୍ରଦାନ କରିଥିଲା ।
ଏହା ଉଲ୍ଲେଖଯୋଗ୍ୟ ଯେ, ୟୁନିସେଫ୍ ଏବଂ ଓଡିଶା ସରକାରଙ୍କ ସହଯୋଗରେ ଆୟୋଜିତ ଜାତୀୟ ପୋଷଣ କାର୍ଯ୍ୟକ୍ରମ ଅପପୃଷ୍ଟିରେ ଓଡିଶାର ସବୁଠୁ ଅଧିକ ଅସୁରକ୍ଷିତ କୋରାପୁଟ ଜିଲ୍ଲାରେ ପୋଷଣର ମୁକାବିଲା ଉପରେ ଧ୍ୟାନ ଦେଉଛି । ସମ୍ପ୍ରଦାୟର ଯୋଗଦାନ ଏବଂ ବିଭିନ୍ନ ବିଭାଗର ସହଯୋଗ ମାଧ୍ୟମରେ, ପୁଷ୍ଟିହୀନତା ହାର ହ୍ରାସ କରିବା ଏବଂ ଶିଶୁ ଓ ମହିଳାଙ୍କ ପାଇଁ ସ୍ୱାସ୍ଥ୍ୟ ଫଳାଫଳକୁ ଉନ୍ନତ କରିବାକୁ ଏହି କାର୍ଯ୍ୟକ୍ରମ ଲକ୍ଷ୍ୟ ରଖିଛି ।
ପରିଶେଷରେ କୋରାପୁଟ ଡିପିଏମ୍‌-ଏନ୍‌ଓପି ମମତା ମହାନ୍ତି ସମସ୍ତ ଅଶଂଗ୍ରହଣକାରୀଙ୍କୁ ଧନ୍ୟବାଦ ଜଣାଇ କହିଥିଲେ “ଏହି ରାଉଣ୍ଡ ଟେବୁଲ୍ ଦୃଢ ସହଭାଗୀତା ଏବଂ ସମ୍ପ୍ରଦାୟ ଦ୍ୱାରା ପରିଚାଳିତ ସମାଧାନ ପାଇଁ ମୂଳଦୁଆ ସାଜିଛି । ମିଳିତ ଭାବେ, ଆମେ କୋରାପୁଟର ଶିଶୁ ଏବଂ ମା’ମାନଙ୍କ ପାଇଁ ଏକ ସୁସ୍ଥ ଭବିଷ୍ୟତ ଗଠନ କରିବୁ” ।

Leave a Reply

Your email address will not be published. Required fields are marked *