କେନ୍ଦ୍ର ବଜେଟ୍ ୨୦୨୪-୨୫ ପରବର୍ତ୍ତୀ ସମ୍ମିଳନୀର ଉଦଘାଟନୀ ଅଧିବେଶନକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଭାରତୀୟ ଶିଳ୍ପ ମହାସଂଘ (ସିଆଇଆଇ) ଦ୍ୱାରା ଆୟୋଜିତ ‘ବିକଶିତ ଭାରତ ଅଭିମୁଖେ ଯାତ୍ରା: କେନ୍ଦ୍ର ବଜେଟ୍ ୨୦୨୪-୨୫ ସମ୍ମିଳନୀ’ର ଉଦଘାଟନୀ ଅଧିବେଶନକୁ ସମ୍ବୋଧିତ କରିଥିଲେ । ଅଭିବୃଦ୍ଧି ପାଇଁ ସରକାରଙ୍କ ବୃହତ ଦୃଷ୍ଟିକୋଣ ଏବଂ ଶିଳ୍ପର ଭୂମିକା ପାଇଁ ରୂପରେଖ ଉପସ୍ଥାପନ କରିବା ଏହି ସମ୍ମିଳନୀର ଉଦ୍ଦେଶ୍ୟ । ଏହି ସମ୍ମିଳନୀରେ ଉଦ୍ୟୋଗୀ, ସରକାରୀ ଅଧିକାରୀ, କୂଟନୀତିଜ୍ଞ ଏବଂ ଚିନ୍ତକଙ୍କ ସମେତ ୧୦୦୦ରୁ ଅଧିକ ଅଂଶଗ୍ରହଣକାରୀ ବ୍ୟକ୍ତିଗତ ଭାବେ ଯୋଗ ଦେଇଥିବା ବେଳେ ଦେଶ ବିଦେଶର ବିଭିନ୍ନ ସିଆଇଆଇ କେନ୍ଦ୍ରରୁ ଅନେକ ଯୋଡି ହୋଇଥିଲେ।
ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଯେତେବେଳେ ନାଗରିକମାନେ ଜୀବନର ପ୍ରତ୍ୟେକ ଦିଗରେ ସ୍ଥିରତା ହାସଲ କରନ୍ତି ଏବଂ ଉତ୍ସାହରେ ପରିପୂର୍ଣ୍ଣ ରୁହନ୍ତି, ସେତେବେଳେ ଦେଶ କେବେ ବି ପଛକୁ ଫେରିପାରିବ ନାହିଁ । ଏହି ଅବସରରେ ତାଙ୍କୁ ସମ୍ବୋଧନ କରିବାକୁ ନିମନ୍ତ୍ରଣ କରିଥିବାରୁ ସେ ଭାରତୀୟ ଶିଳ୍ପ ମହାସଂଘ (ସିଆଇଆଇ)କୁ କୃତଜ୍ଞତା ଜଣାଇଛନ୍ତି।
ମହାମାରୀ ସମୟରେ ବ୍ୟବସାୟୀ ସମୁଦାୟ ସହିତ ଅଭିବୃଦ୍ଧିକୁ ନେଇ ଆଶଙ୍କା ସମ୍ପର୍କରେ ହୋଇଥିବା ଆଲୋଚନା ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ସେହି ସମୟରେ ପ୍ରକାଶ କରିଥିବା ଆଶାବାଦକୁ ମନେ ପକାଇଥିଲେ ଏବଂ ଆଜି ଦେଶରେ ଦ୍ରୁତ ଅଭିବୃଦ୍ଧି ଦେଖିବାକୁ ମିଳୁଛି ବୋଲି ଉଲ୍ଲେଖ କରିଥିଲେ । ଆଜି ଆମେ ଆଲୋଚନା କରୁଛୁ- ବିକଶିତ ଭାରତ ଅଭିମୁଖେ ଯାତ୍ରା। ଏହା କେବଳ ଭାବନାର ପରିବର୍ତ୍ତନ ନୁହେଁ, ଏହା ଆତ୍ମବିଶ୍ୱାସରେ ପରିବର୍ତ୍ତନକୁ ପ୍ରତିଫଳିତ କରୁଛି । ସେ ବିଶ୍ୱର ପଞ୍ଚମ ବୃହତ୍ତମ ଅର୍ଥନୀତି ଭାବରେ ଭାରତର ସ୍ଥିତି ଏବଂ ତୃତୀୟ ସ୍ଥାନ ଦିଗରେ ଦ୍ରୁତ ଅଗ୍ରଗତିକୁ ଦୋହରାଇଥିଲେ ।
ପ୍ରଧାନମନ୍ତ୍ରୀ ୨୦୧୪ରେ ବର୍ତ୍ତମାନର ସରକାର କ୍ଷମତାକୁ ନିର୍ବାଚିତ ହୋଇଥିବା ସମୟକୁ ମନେ ପକାଇ ଅର୍ଥନୀତିକୁ ଟ୍ରାକକୁ ଫେରାଇ ଆଣିବା ସମୟର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ । ୨୦୧୪ ପୂର୍ବ ସମୟରେ ଦେଶ ଦୁର୍ବଳ ପାଞ୍ଚଟି ଅର୍ଥନୀତି ତାଲିକାରେ ଥିଲା ଏବଂ ଲକ୍ଷ ଲକ୍ଷ କୋଟି ଟଙ୍କାର ଦୁର୍ନୀତି ଓ ଅଭିଯୋଗରେ ବୁଡ଼ି ରହିଥିଲା ବୋଲି ସେ ଦର୍ଶାଇଥିଲେ। ସରକାର ଏକ ଶ୍ୱେତପତ୍ରରେ ଦର୍ଶାଇଥିବା ଅର୍ଥନୈତିକ ସ୍ଥିତିର ନିର୍ଦ୍ଦିଷ୍ଟତା ବିଷୟରେ ଆଲୋଚନା ନକରି ପ୍ରଧାନମନ୍ତ୍ରୀ ଶିଳ୍ପପତି ଏବଂ ସଂଗଠନଗୁଡ଼ିକୁ ଦସ୍ତାବିଜର ସମୀକ୍ଷା କରିବା ଏବଂ ଏହାକୁ ଅତୀତର ଅର୍ଥନୈତିକ ପରିସ୍ଥିତି ସହ ତୁଳନା କରିବାକୁ ଉତ୍ସାହିତ କରିଥିଲେ। ବର୍ତ୍ତମାନର ସରକାର ଭାରତର ଅର୍ଥନୀତିକୁ ନୂତନ ଉଚ୍ଚତାରେ ପହଞ୍ଚାଇଛନ୍ତି ଏବଂ ଏହାକୁ ଭୟଙ୍କର ସ୍ଥିତିରୁ ଉଦ୍ଧାର କରିଛନ୍ତି ବୋଲି ସେ ଗୁରୁତ୍ୱାରୋପ କରିଥିଲେ।
ନିକଟରେ ଉପସ୍ଥାପିତ ବଜେଟରୁ କିଛି ତଥ୍ୟ ଉପସ୍ଥାପନ କରି ପ୍ରଧାନମନ୍ତ୍ରୀ ବର୍ତ୍ତମାନର ୪୮ ଲକ୍ଷ କୋଟି ଟଙ୍କାର ବଜେଟକୁ ୨୦୧୩-୧୪ର ୧୬ ଲକ୍ଷ କୋଟି ଟଙ୍କାର ବଜେଟ୍ ସହ ତୁଳନା କରିଛନ୍ତି, ଯାହା କି ତିନି ଗୁଣ ବୃଦ୍ଧି। ସମ୍ବଳ ବିନିଯୋଗର ସବୁଠାରୁ ବଡ଼ ମାପକାଠି ପୁଞ୍ଜି ବ୍ୟୟ ୨୦୦୪ରେ ୯୦ ହଜାର କୋଟି ଟଙ୍କା ଥିଲା, ଯାହାକୁ ୨୦୧୪ ପର୍ଯ୍ୟନ୍ତ ୧୦ ବର୍ଷରେ ୨ ଲକ୍ଷ କୋଟିକୁ ବୃଦ୍ଧି କରାଯାଇଥିଲା। ସେହି ତୁଳନାରେ ଏହି ଗୁରୁତ୍ୱପୂର୍ଣ୍ଣ ସୂଚକ ଆଜି ୫ ଗୁଣ ରୁ ଅଧିକ ବୃଦ୍ଧି ପାଇ ୧୧ ଲକ୍ଷ କୋଟି ଟଙ୍କା ଅତିକ୍ରମ କରିଛି ।
ତାଙ୍କ ସରକାର ଭାରତୀୟ ଅର୍ଥନୀତିର ପ୍ରତ୍ୟେକ କ୍ଷେତ୍ରର ଯତ୍ନ ନେବାକୁ ସଂକଳ୍ପବଦ୍ଧ ବୋଲି ଦୋହରାଇ ପ୍ରଧାନମନ୍ତ୍ରୀ କହିଥିଲେ, “ଯଦି ଆପଣ ବିଭିନ୍ନ କ୍ଷେତ୍ରକୁ ଦେଖିବେ, ତେବେ ଆପଣମାନେ ଏକ ଧାରଣା ପାଇବେ ଯେ ଭାରତ କିପରି ପ୍ରତ୍ୟେକ କ୍ଷେତ୍ର ଉପରେ ଧ୍ୟାନ ଦେଉଛି । ପୂର୍ବ ସରକାର ସହ ତୁଳନା କରି ଶ୍ରୀ ମୋଦୀ କହିଛନ୍ତି ଯେ ଗତ ୧୦ ବର୍ଷ ମଧ୍ୟରେ ରେଳବାଇ ଓ ରାଜପଥର ବଜେଟ୍ ରେ ୮ ଗୁଣା ବୃଦ୍ଧି ଘଟିଛି। ସେପଟେ କୃଷି ଓ ପ୍ରତିରକ୍ଷା ବଜେଟରେ ଯଥାକ୍ରମେ ୪ ଓ ୨ ଗୁଣ ରୁ ଅଧିକ ବୃଦ୍ଧି ଘଟିଛି ।
ଟିକସରେ ରେକର୍ଡ ହ୍ରାସ ପରେ ପ୍ରତ୍ୟେକ କ୍ଷେତ୍ରର ବଜେଟରେ ରେକର୍ଡ ବୃଦ୍ଧି କରାଯାଇଛି ବୋଲି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ । ୨୦୧୪ରେ ୧ କୋଟି ଟଙ୍କା ରୋଜଗାର କରୁଥିବା ଏମଏସଏମଇଗୁଡ଼ିକୁ ସମ୍ଭାବ୍ୟ ଟିକସ ଦେବାକୁ ପଡୁଥିଲା ଏବଂ ଏବେ ୩ କୋଟି ଟଙ୍କା ପର୍ଯ୍ୟନ୍ତ ଆୟ କରୁଥିବା ଏମଏସଏମଇ ମଧ୍ୟ ଏହାର ଫାଇଦା ନେଇପାରିବେ ବୋଲି ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି । ୨୦୧୪ରେ ୫୦ କୋଟି ଟଙ୍କା ପର୍ଯ୍ୟନ୍ତ ରୋଜଗାର କରୁଥିବା ଏମଏସଏମଇଗୁଡ଼ିକୁ ୩୦ ପ୍ରତିଶତ ଟିକସ ଦେବାକୁ ପଡୁଥିବା ବେଳେ ଆଜି ଏହି ହାର ୨୨ ପ୍ରତିଶତ ରହିଛି । ୨୦୧୪ରେ କଂପାନିଗୁଡ଼ିକ ୩୦ ପ୍ରତିଶତ କର୍ପୋରେଟ୍ ଟିକସ ଦେଉଥିବା ବେଳେ ଆଜି ୪୦୦ କୋଟି ଟଙ୍କା ପର୍ଯ୍ୟନ୍ତ ଆୟ କରୁଥିବା କମ୍ପାନିପାଇଁ ଏହି ହାର ୨୫ ପ୍ରତିଶତ ରହିଛି।
ପ୍ରଧାନମନ୍ତ୍ରୀ କହିଥିଲେ ଯେ କେନ୍ଦ୍ରର ଏହି ବଜେଟ୍ କେବଳ ବଜେଟ୍ ଆବଣ୍ଟନ ଏବଂ ଟିକସ ହ୍ରାସ ବିଷୟରେ ନୁହେଁ, ବରଂ ସୁଶାସନ ବିଷୟରେ ମଧ୍ୟ ଥିଲା । ଶ୍ରୀ ମୋଦୀ ମନେ ପକାଇ କହିଥିଲେ ଯେ ୨୦୧୪ ପୂର୍ବରୁ ବଜେଟରେ ଏକ ସୁସ୍ଥ ଅର୍ଥନୀତିର ପରିଚୟ ସୃଷ୍ଟି କରିବା ପାଇଁ ବଡ଼ ଘୋଷଣା କରାଯାଉଥିଲା। ତେବେ ଏହି ଘୋଷଣାଗୁଡ଼ିକ ସ୍ଥଳ ବିଶେଷରେ କାର୍ଯ୍ୟକାରୀ ହେବାର ଦିନ ଦେଖିବାକୁ ମିଳିନଥିଲା। ସେମାନେ ଆବଣ୍ଟିତ ଅର୍ଥ ମଧ୍ୟ ଭିତ୍ତିଭୂମି ପାଇଁ ସମ୍ପୂର୍ଣ୍ଣ ଭାବେ ଖର୍ଚ୍ଚ କରିପାରୁ ନଥିଲେ, କିନ୍ତୁ ଘୋଷଣା ସମୟରେ ଶୀର୍ଷକ ରଖାଯାଉଥିଲା। ସେୟାର ମାର୍କେଟରେ ମଧ୍ୟ ଛୋଟ ଛୋଟ ବୃଦ୍ଧି ରେକର୍ଡ କରାଯାଉଥିଲା ଏବଂ ସେମାନଙ୍କ ସରକାର କେବେ ବି ଠିକ୍ ସମୟରେ ପ୍ରକଳ୍ପ ଶେଷ କରିବାକୁ ପ୍ରାଥମିକତା ଦେଉନଥିଲେ । ବିଗତ ୧୦ ବର୍ଷ ମଧ୍ୟରେ ଆମେ ଏହି ସ୍ଥିତିକୁ ବଦଳାଇଛୁ। ପ୍ରତ୍ୟେକ ଭିତ୍ତିଭୂମି ପ୍ରକଳ୍ପକୁ ଆମେ ଯେଭଳି ଦ୍ରୁତ ଗତିରେ ସମ୍ପୂର୍ଣ୍ଣ କରୁଛୁ ତାହା ଆପଣମାନେ ସମସ୍ତେ ଦେଖିଛନ୍ତି ବୋଲି ଶ୍ରୀ ମୋଦୀ କହିଛନ୍ତି।
ସାମ୍ପ୍ରତିକ ବିଶ୍ୱ ପରିସ୍ଥିତିର ଅନିଶ୍ଚିତତା ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ଭାରତର ଅଭିବୃଦ୍ଧି ଏବଂ ସ୍ଥିରତାର ବ୍ୟତିକ୍ରମ ଉପରେ ଆଲୋକପାତ କରିଥିଲେ । ଭାରତର ବୈଦେଶିକ ମୁଦ୍ରା ଭଣ୍ଡାରରେ ଦୃଢ଼ ଅଭିବୃଦ୍ଧି ଦେଖିବାକୁ ମିଳିଛି ଏବଂ ନିମ୍ନ ଅଭିବୃଦ୍ଧି ଏବଂ ଉଚ୍ଚ ମୁଦ୍ରାସ୍ଫୀତି ବିଶ୍ୱ ପରିପ୍ରେକ୍ଷୀରେ ଭାରତ ଉଚ୍ଚ ଅଭିବୃଦ୍ଧି ଏବଂ ନିମ୍ନ ମୁଦ୍ରାସ୍ଫୀତି ଦେଖାଉଛି । ମହାମାରୀ ସମୟରେ ଭାରତର ଆର୍ଥିକ ବିଚକ୍ଷଣତାକୁ ବିଶ୍ୱ ପାଇଁ ଏକ ଆଦର୍ଶ ବୋଲି ସେ କହିଛନ୍ତି। ବୈଶ୍ୱିକ ସାମଗ୍ରୀ ଓ ସେବା ରପ୍ତାନି କ୍ଷେତ୍ରରେ ଭାରତର ଅବଦାନ କ୍ରମାଗତ ଭାବେ ବୃଦ୍ଧି ପାଉଛି। ମହାମାରୀ, ପ୍ରାକୃତିକ ବିପର୍ଯ୍ୟୟ ଏବଂ ଯୁଦ୍ଧ ଭଳି ଗୁରୁତ୍ୱପୂର୍ଣ୍ଣ ବୈଶ୍ୱିକ ଝଟକା ସତ୍ତ୍ୱେ ବିଶ୍ୱ ଅଭିବୃଦ୍ଧିରେ ଭାରତର ଅବଦାନ ୧୬ ପ୍ରତିଶତରେ ପହଞ୍ଚିଛି ବୋଲି ସେ ଗୁରୁତ୍ୱାରୋପ କରିଥିଲେ ।
ବିକଶିତ ଭାରତର ସଂକଳ୍ପ ଆଡକୁ ଦେଖ ଅଗ୍ରସର ହେଉଛି ବୋଲି ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ ଯେ ଦେଶରେ ବିଗତ ୧୦ ବର୍ଷ ମଧ୍ୟରେ ୨୫ କୋଟି ଲୋକ ଦାରିଦ୍ର୍ୟରୁ ମୁକୁଳିଛନ୍ତି ଏବଂ ଜୀବନଶୈଳୀକୁ ସହଜ କରିବା ଏବଂ ଜୀବନଧାରଣର ଗୁଣବତ୍ତା ବୃଦ୍ଧି ପାଇଁ ସରକାରଙ୍କ ପ୍ରୟାସ ଉପରେ ଗୁରୁତ୍ୱାରୋପ କରିଥିଲେ ।