ସଂଗୀତର ତାଳେତାଳେ ଛନ୍ଦାୟିତ ହୋଇ ସମସ୍ତଙ୍କୁ ବିମୋହିତ କରେ ଶ୍ରେୟାସା
କୁନି କୁନି ପାଦ,ଗୁଲୁ ଗୁଲୁ କଥା, ଖିଲି ଖିଲି ହସ କିନ୍ତୁ ତାରା ଭଳି ଚମକଭରା ଆଖି ।ବୟସ ମାତ୍ର ଛଅ । ନାଁ ତା’ର ଶ୍ରେୟାସା । ଗେହ୍ଲାରେ ସମସ୍ତେ ଡାକନ୍ତି ସ୍ମାଇଲି । ପିତା ସ୍ୱପ୍ନ ସରିତ୍ ନାୟକ ଓ ମାତା ଶୁଭ୍ରା ଶତରୂପାଙ୍କର ଏକମାତ୍ର ଅଲିଅଳି କନ୍ୟା । ମାତ୍ର ୩ ବର୍ଷ ବୟସରେ ତା’ର କୁନି କୁନି ପାଦ ସଂଗୀତର ତାଳେତାଳେ ଛନ୍ଦାୟିତ ହୋଇ ସମସ୍ତଙ୍କୁ ବିମୋହିତ କରେ। ସେତେବେଳେ ତା’ର ଛନ୍ଦ ଚପଳ ପଦପାତରେ ମୁଗ୍ଧ ହୋଇ ତା’ର ସେଇ କୁନି ପାଦର ଛନ୍ଦକୁ ଶାସ୍ତ୍ରୀୟ ନୃତ୍ୟର ଶୃଙ୍ଖଳାରେ ବାନ୍ଧିବାର ଦାୟିତ୍ୱ ନିଅନ୍ତି ନୃତ୍ୟ ଗୁରୁ ଦୀପ୍ସି ପଟ୍ଟନାୟକ । ତାଙ୍କ ପ୍ରେରଣାରେ ମାତ୍ର ୪ ବର୍ଷ ବୟସରେ ସେ ପ୍ରଥମେ ମଞ୍ଚ ପ୍ରବେଶ କରିଥିଲା ଉତ୍କଳ ରଙ୍ଗମଞ୍ଚରେ। ତା’ପରେ ସେ ଆଉ ପଛକୁ ଚାହିଁନି । ରବୀନ୍ଦ୍ର ମଣ୍ଡପ , ଭଞ୍ଜ କଳା ମଣ୍ଡପ,ଜୟଦେବ ଭବନ ଅନ୍ନପୂର୍ଣ୍ଣା ଥିଏଟର ରଙ୍ଗମଞ୍ଚ ପୁରୀ ,ଏ ସମସ୍ତ ମଞ୍ଚରେ ଏକକ ନୃତ୍ୟ ପରିବେଷଣ କରି ସେ ମୁଗ୍ଧ କରିଛି ଦର୍ଶକମାନଙ୍କୁ ।ଓଡ଼ିଶୀ, ସମ୍ବଲପୁରୀ, ସେମି- କ୍ଲାସିକାଲ, ମଡର୍ଣ୍ଣ ସବୁ ପ୍ରକାରର ନୃତ୍ୟରେ ସେ ନିଜର ପାରଦର୍ଶିତା ପ୍ରମାଣିତ କରିପାରିଛି।
ଏତେ କମ୍ ବର୍ଷ ବୟସରେ ଅନେକ ମାନପତ୍ର, ପ୍ରମାଣପତ୍ର,ମେଡାଲ ଓ ପୁରସ୍କାରରେ ତା ଘରର ଡ୍ରଇଂ ରୁମ ଭରପୁର ।କେବଳ ନୃତ୍ୟ ନୁହେଁ ପାଠରେ ମଧ୍ୟ ସେ ଖୁବ୍ ବିଚକ୍ଷଣା । ଆହୁରି ମଧ୍ୟ ଚିତ୍ରକଳା ପ୍ରତି ମଧ୍ୟ ତା’ର ଅହେତୁକ ଆକର୍ଷଣ ।ସମୟ ପାଇଲେ ରଙ୍ଗ ତୂଳୀ ଧରି ଅନେକ ପ୍ରକାର ଚିତ୍ର ଆଙ୍କିଯାଏ ସେ । ତା’ ଘରର କାନ୍ଥରେ ମଧ୍ୟ ତା’ର କୁନି କୁନି ହାତରେ ଅଙ୍କା ଅନେକ ଛବି ଶୋଭା ପାଉଛି । ତା’ର ଏ ପ୍ରତିଭା ଆହୁରି ପଲ୍ଲବିତ ,ବିକଶିତ ଓ ପ୍ରସ୍ଫୁଟିତ ହେଉ,ଆମର ଏତିକି କାମନା।