ୱାକାଥନ୍ ମାଧ୍ୟମରେ ଭୋଟର ସଚେତନତା

କଟକ : ଆସନ୍ତା ମେ ୨୫ ତାରିଖରେ କଟକ ଜିଲ୍ଲାର ଲୋକସଭା ନିର୍ବାଚନ ମଣ୍ଡଳୀ ଓ ଏହା ଅଧୀନସ୍ଥ ବାରବାଟୀ- କଟକ, ଚୌଦ୍ୱାର-କଟକ, କଟକ ସଦର, ଆଠଗଡ, ବାଙ୍କୀ ଓ ବଡମ୍ବା ବିଧାନସଭା ନିର୍ବାଚନ ମଣ୍ଡଳୀ ନିମନ୍ତେ ଭୋଟ ଗ୍ରହଣ ଅନୁଷ୍ଠିତ ହେବ । ଏହି ଭୋଟ ଗ୍ରହଣ ପାଇଁ ପ୍ରଶାସନିକ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଂଚିଥିବାବେଳେ ଭୋଟ୍ ଦାନ ବୃଦ୍ଧି ପାଇଁ ଭୋଟରମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ଏକ ୱାକାଥନ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଜବାହାରଲାଲ ନେହରୁ ଇଣ୍ଡୋର ଷ୍ଟାଡିୟମରୁ ବାହାରିଥିବା ଏହି ୱାକାଥନ୍‌ରେ ୨୦୦ରୁ ଅଧିକ ଯୁବକ ଯୁବତୀ ପ୍ଲାକାର୍ଡ ମାନ ପ୍ରଦର୍ଶନ କରି ବାରବାଟୀ ଦୁର୍ଗ, କନଭେଂଟ ସ୍କୁଲ, ଆନନ୍ଦ ଭବନ, ଶାରଳା ଭବନ ଛକ ଆଦି ପରିକ୍ରମା କରିଥିଲା । ନିର୍ବାଚନ ପ୍ରକ୍ରିୟାରେ ସକ୍ରିୟ ଅଂଶଗ୍ରହଣ ନିମନ୍ତେ ପ୍ରତିବଦ୍ଧତା ଏବଂ ମତଦାନ କରିବାର ମହତ୍ୱ ବିଷୟରେ ସଚେତନତା ସୃଷ୍ଟି କରି ଆଗାମୀ ନିର୍ବାଚନରେ ଶତ ପ୍ରତିଶତ ଭୋଟଦାନ ସୁନିଶ୍ଚିତ କରାଇବା ଲକ୍ଷ୍ୟରେ ଏହି ୱାକାଥନ ଆୟୋଜିତ ହୋଇଥିଲା । ଅଲିମ୍ପିଆନ୍ ଡି. ପି. ଇରାନୀ ଏହି ୱାକାଥନକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଏହି ଅବସରରେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ସୁବାସ ଚନ୍ଦ୍ର ରାୟ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଶିବ ଟପୋ, ଅତିରିକ୍ତ ଜିଲ୍ଲାପାଳ ଡକ୍ଟର ଦିବ୍ୟଲୋଚନ ମହାନ୍ତ, ଓରମାସ୍ କଟକର ଯୁଗ୍ମ ମୁଖ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ବିପିନ୍ ବିହାରୀ ରାଉତ, ଜିଲ୍ଲା କ୍ରୀଡା ଅଧିକାରୀ ଶ୍ରୀ ରଶ୍ମିରଞ୍ଜନ ସାମନ୍ତରାୟ, ଜିଲ୍ଳା ସଂସ୍କୃତି ଅଧିକାରୀ ଶ୍ରୀ ନଳିନୀକାନ୍ତ ସାହୁ ଓ ବିଭିନ୍ନ ଅଧିକାରୀ ତଥା କର୍ମଚାରୀ ଉପସ୍ଥିତ ଥିଲେ । 

Leave a Reply

Your email address will not be published. Required fields are marked *