ଇଲେକ୍ଟ୍ରୋରାଲ ବଣ୍ଡ ଥିଲା ମୋଦୀ ସରକାରର ସବୁଠୁ ବଡ଼ ଦୁର୍ନୀତି – ପ୍ରଶାନ୍ତ ଭୂଷଣ
ଭୁବନେଶ୍ୱର, : ଲୋହିଆ ଏକାଡେମୀ ଠାରେ ଲୋକଶକ୍ତି ଅଭିଯାନ ତରଫରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୁପ୍ରିମକୋର୍ଟର ବରିଷ୍ଠ ଆଡଭୋକେଟ କହିଲେ ଯେ, ନିର୍ବାଚନ ବଣ୍ଡ ଜରିଆରେ କେନ୍ଦ୍ରର ବିଜେପି ସରକାର ଇଡି, ସିବିଆଇକୁ ବ୍ୟବହାର କରି ବିଭିନ୍ନ କମ୍ପାନୀ, ବ୍ୟବସାୟିକ ସଂସ୍ଥା ଠାରୁ ଜବରଦସ୍ତ ପାର୍ଟି ଚାନ୍ଦା ଆଦାୟ କରିଛି। ୧୬୦୦୦ କୋଟି ଟଙ୍କା ବଣ୍ଡ ଜରିଆରେ ବିଭିନ୍ନ ପାର୍ଟିକୁ ଆସିଥିବା ବେଳେ ବିଜେପିକୁ ମିଳିଛି ଆଠ ହଜାର କୋଟି ଟଙ୍କାରୁ ଅଧିକ। ଏପରିକି ଚାନ୍ଦା ପାଇବା ପରେ ହଜାର ହଜାର କୋଟି ଟଙ୍କାର ଠିକା ଦିଆଯାଇଛି। ଔଷଧ କମ୍ପାନୀ ଠାରୁ ଚାନ୍ଦା ଆଣି ସେହି କମ୍ପାନୀ ଦ୍ୱାରା ନିମ୍ନମାନର ଔଷଧ ଉତ୍ପାଦନକୁ ଡ୍ରଗ କଣ୍ଟ୍ରୋଲ ଅଧିକାରୀମାନେ ଆଖି ବୁଜିଦେଇଛନ୍ତି। ଏହି ବଣ୍ଡ ଜରିଆରେ କଳା ଟଙ୍କା କାରବାର ହୋଇଛି। ଏସବୁର ତଦନ୍ତ ପାଇଁ ପୁଣି ସୁପ୍ରିମକୋର୍ଟରେ ଆବେଦନ କରାଯାଇଛି ଏସଆଇଟି ଜରିଆରେ କୋର୍ଟ ନିଜ ନିୟନ୍ତ୍ରଣରେ ଯାଞ୍ଚ କରିବା ପାଇଁ। ମୋଦୀ ସରକାର ସ୍ୱଚ୍ଛ ବୋଲି ଦାବୀ କରୁଥିବା ମିଥ୍ୟା ବୋଲି ପ୍ରମାଣିତ ହୋଇଛି ବୋଲି ପ୍ରଶାନ୍ତ ଭୂଷଣ କହିଛନ୍ତି।
ସୂଚନା ଅଧିକାର ଆନ୍ଦୋଳନର ନେତ୍ରୀ ଅଞ୍ଜଳି ଭରଦ୍ୱାଜ ଯିଏକି ପିଟିସନର କହିଲେ ଯେ, ମୋଦୀ ସରକାର ସମସ୍ତ ସରକାରୀ ସଂସ୍ଥାଗୁଡ଼ିକର ସ୍ୱାଧୀନତାକୁ ହଟାଇ ନିଜ ଦଳୀୟ ସ୍ୱାର୍ଥ ଓ ବିରୋଧୀଙ୍କ ବିରୋଧରେ ବ୍ୟବହାର କରିଛନ୍ତି। ଏହାର ଜବାବ ଚଳିତ ନିର୍ବାଚନରେ ଭୋଟଦାତାମାନେ ଦେବାକୁ ସେ ନିବେଦନ କରିଛନ୍ତି। ଲୋକଶକ୍ତି ଅଭିଯାନର ସଭାପତି ପ୍ରଫୁଲ୍ଲ ସାମନ୍ତରା କହିଲେ ଯେ, ରାଜ୍ୟର ଶାସକ ଦଳ ବିଜୁ ଜନତା ଦଳ ଖଣି କମ୍ପାନୀମାନଙ୍କ ଠାରୁ ଏକ ହଜାର କୋଟି ଟଙ୍କା ପାଇ ଖଣି ଲୁଟ୍ କରିବାକୁ ସମସ୍ତ ଆଇନ ଓ ସମ୍ବିଧାନକୁ କୁଠାରଘାତ କରାଯାଇଛି। ଏଥିରେ କେନ୍ଦ୍ରର ବିଜେପି ସରକାର ସହଯୋଗ କରିଛି। ତେଣୁ ଏହି ଦୁଇ ଦଳକୁ କ୍ଷମତାରୁ ହଟାଇବାକୁ ସେ ଆହ୍ଵାନ କରିଛନ୍ତି।